Unknown

 

 

 

 

 

 

 

 

 

 

ବିଷକନ୍ୟାର କାହାଣୀ

ମନୋଜ ଦାସ

 

ଓଡ଼ିଆ ସାହିତ୍ୟରେ ଯେଉଁ କେତେଜଣ ଯଶସ୍ୱୀ ଲେଖକ ନିଜ ନିଜର ଏକ ଏକ ସ୍ଵତନ୍ତ୍ର ପାଠକ ଶ୍ରେଣୀ ସୃଷ୍ଟିକରି ପାରିଛନ୍ତି, ତହିଁ ମଧ୍ୟରୁ ଅଧ୍ୟାପକ ମନୋଜ ଦାସ ଅନ୍ୟତମ । ତା'ର ପ୍ରମାଣ ବିଷକନ୍ୟାର କାହାଣୀ ବହି । ଏହା ପ୍ରଥମେ ୧୯୫୪ରେ ଆତ୍ମପ୍ରକାଶ କରିଥିଲା । ପରେ ଦ୍ଵିତୀୟ ସଂସ୍କରଣ ୧୯୫୭ରେ ହୋଇଥିଲା, ଏବଂ ବର୍ତ୍ତମାନର ଚାହିଦା ଦୃଷ୍ଟିରୁ ତୃତୀୟ ସଂସ୍କରଣ ଆଜି ପ୍ରକାଶ ପାଇଛି ।

 

ଅବଶ୍ୟ ଏହା ସଂଶୋଧିତ ଏବଂ ପରିବର୍ଦ୍ଧିତ ସଂସ୍କରଣ ଏଥିରେ ବୟସ୍ୟ, ଦଳେଇ ଘାଇ, ଜାଆଁଳାଘାଇର କୂର୍ମ ଏବଂ ମହା ପ୍ଲାବନ ଏହି ଚାରିଗୋଟି ଗପ ଯୋଗ କରାଯାଇଛି।

 

ଲେଖକଙ୍କ ତରଫରୁ ତାଙ୍କ ସ୍ଵଭାବ ସୁଲଭ ଅବହେଳା ପ୍ରକାଶ ପାଇନଥିଲେ ବହିଟି ଆହୁରି ପୂର୍ବରୁ ପ୍ରକାଶ ପାଇପାରିଥାନ୍ତା । ବିଳମ୍ବରେ ପ୍ରକାଶ ପାଇଲେ ମଧ୍ୟ ପାଠକମାନଙ୍କ ଦ୍ଵାରା ବହିଟି ଆଦୃତ ହେବ ବୋଲି ଆଶା ।

 

କଟକ

 

ମହା ଶିବରାତ୍ରି, ୧୯୬୩

ପ୍ରକାଶକ

***

 

ବିଷକନ୍ୟାର କାହାଣୀ

 

ଯେତେବେଳେ ସାରାଟା ଦିନ ଆକାଶ ପରିକ୍ରମାକରି ପୁଳାଏ ପୁଳାଏ ଜମାଟ ଅନ୍ଧକାର ଭଳି ଅସଂଖ୍ୟ କାଉ ଅତିକାୟ ଅଶ୍ଵତ୍‍ଥ ଗଛଟାର କବରୀ ଭିତରେ ନିସ୍ତବ୍‍ଧ ହୋଇ ବସି ରହନ୍ତି । ଯେତେବେଳେ ଦିନସାରାର ଗର୍ଜନ ଓ ଧାଁଦଉଡ଼ ଶେଷକରି ପ୍ରାଗୈତିହାସିକ ଜନ୍ତୁର କେତୋଟି ଅସହାୟ ଫସିଲ୍ ଭଳି ସର୍ଭିସ ବସ୍‍ଗୁଡ଼ିକ ରାସ୍ତା କଡ଼ରେ ଅଚେତ ହୋଇ ପଡ଼ିରହନ୍ତି । ଯେତେବେଳେ ସହରଠୁ କିଞ୍ଚିତ ଛୋଟ ଓ ବଜାରଠୁ ବଡ଼ ଏଇ ସ୍ଥାନର ଅଧିକାଂଶ ଦୋକାନ ପତ୍ର ଭିତରୁ ଆଲୋକ ସବୁ ଲିଭିଯାଏ, ଅଧା ଗାଉଁଲି ଜହ୍ନଟାକୁ ଡରାଇବା ପାଇଁ ଆକାଶ ଦିହରେ ଫତ୍‍ ଫତ୍‍ କରି ପହଁରି ବୁଲନ୍ତି କେତେ ଗଣ୍ଡା ବାଦୁଡ଼ି ।

 

ସେତିକିବେଳେ ଷ୍ଟେସନ୍ ବଜାରର ବଡ଼ ରାସ୍ତାଉପରେ କିଛି ଦୂର ଆଗେଇ ଯାଇ, ଆହୁରି କିଛି ଆଗେଇ ଯାଇ ବିଶୁଦ୍ଧ ହିନ୍ଦୁ ହୋଟେଲର କେତେ ହାତ ଦୂରକୁ ଅଧାଟିଣ-ଅଧା ଚାଳ ଛାଉଣିର ଯେଉଁ ନିଛାଟିଆ ଦୁଇ ମୁହାଁ ଘର, ତା’ ଆଗରେ କେବେ ଯଦି ଦଣ୍ଡେ ଠିଆ ହୋଇଚନ୍ତି ଦେଖିବେ ମଧ୍ୟେ ମଧ୍ୟେ ପଶ୍ଚିମ ପଟ ଝରକାର କବାଟ ଅପସରି ଯାଏ । ପିଚ୍‍କାରି ମାଇଲାପରି ରାସ୍ତା ଉପରଯାଏ କଚାଡ଼ି ପଡ଼େ ଆଲୁଅ । ରେଲିଂ ଦେଇ ଘର ଭିତରୁ କେତୋଟି ଛାଇମୂର୍ତ୍ତି ଟହଲୁଥିବାର ଦେଖାଯାଏ ।

 

ସେମାନେ ବସ୍ କଣ୍ଡକ୍ଟର, ଡ୍ରାଇଭର, କ୍ଳିନାର, ପାଖ ଫାଣ୍ଡିର ଦୁଇ ତିନିଜଣ କନେଷ୍ଟବଲ, କେବେ କେବେ ବା ସବ୍‍ରେଜିଷ୍ଟର ଖାନାର ଜଣେ ଅଧେ ମୋହରିର୍ ସହ ବୀର୍ ହନୁମାନ ଚାଉଳ କଳର ଜନୈକ କିରାଣୀ । ଦିନସାରା ନିୟମ ବନ୍ଧା ଯନ୍ତ୍ରର ଆଦର୍ଶରେ ତିଆରି ରୁଟିନ୍ ଧନ୍ଦା ଶେଷକରି ରାତିର ଏଇ ନିଷିଦ୍ଧ ପ୍ରହରରେ ହଠାତ ସେମାନଙ୍କର ମଗଜ ଭିତରେ ପର ଗଜେଇଉଠେ । ପକ୍ଷୀରାଜ ଅଶ୍ଵ ବୋଲି ନିଜକୁ ମନେକରି କେହି କେହି ତା’ଭିତରୁ ଉଡ଼ିବି ଯାଆନ୍ତି-। ମହାଶୂନ୍ୟରେ ନକ୍ଷତ୍ର ନିହାରିକାର କୋଳ ଛୁଇଁ ଛୁଇଁ ।

 

ଆରେ ଉଡ଼ିଗଲି ଲୋ ଉଡ଼ିଗଲି । ଧର ଧର, ମୋତେ ଟାଣି ରଖ ଭାଇ ।

 

ହାଁ – ହାଁ ଟୋକାଟା ଉଡ଼ିଗଲା ଉଡ଼ିଗଲା । ଯଜ୍ଞେଶ୍ଵରୀ ବସ୍‍ର ଉଡ଼ନ୍ତା ଡ୍ରାଇଭର ଉପରକୁ ଲଥ୍ ଲଥ୍ ହୋଇ କେତେଜଣ ଡେଇଁପଡ଼ନ୍ତି ।

 

ମରିଗଲି ମରିଗଲି । ମଲି ମଲି । ଛାଡ଼ ଏଥର–ଉଡ଼ନ୍ତା ଡ୍ରାଇଭରର ଆର୍ତ୍ତନାଦ ଉପରେ ଟିପ୍ପଣୀ ଦିଏ ଦଉଡ଼ିଆଖଟ ଉପରୁ ବପୁମାନ ମୋହରିର ନିଶିକାନ୍ତ ‘-ଆହୁରି ଜୋରେ ଚିପିଧର । ଶଳା ଭାବିଚି ଉଡ଼ି ଉଡ଼ି ଯାଇ ସ୍ଵର୍ଗରେ – ତା ନାଁ କଣ, ଉର୍ବଶୀ ସାଙ୍ଗରେ ମଜାମାରିବ ।

 

ସୁତରାଂ ଡ୍ରାଇଭରର ଗଳା, ଛାତି, ପେଟ ଉପରେ ଯଥା ସାଧ୍ୟ ବଳଦେଇ ଚାପି ବସନ୍ତି କେତେଜଣ – ଯେ ଯାଏଁ ସେ ଗଳ ଗଳ କରି ଗୁଡ଼ାଏ ବାନ୍ତି କରି ନ ପକାଇଛି ।

 

ନିଶିକାନ୍ତ କହେ – ଉର୍ବଶୀ ? ଆଃ ! ଆମର ଏକା ହୀରା ଉର୍ବଶୀ ମେନକା ଭଳି ଶହେଟାକୁ ଦାସୀ କରି ରଖିବା ଭଳି ସୁନ୍ଦରୀ ସୁକୁମାରୀ ।

 

ହାଃ – ହାଃ ! ଯାତ୍ରାଦଳର ମହାରାଜ ଭଳି ଅଟ୍ଟହାସ୍ୟ ସହକାରେ ନିଶିକାନ୍ତ ହୀରାର କାନ୍ଧ ଧରି ତା’ ଉପରକୁ ଆଉଯାଇ ଆଣେ । ବିଶୁଦ୍ଧ ହିନ୍ଦୁ ହୋଟେଲର ପଛପଟ ଦରଜା ବାଟେ ଲଣ୍ଡା ପୂଜାରୀକୁ ନଗଦ ପଇସା ରଖିଦେଇ ଛୋଟ ବାଲଟିଟି ପୁଣିଥରେ ପୁରା ହୋଇ ଆସେ । ହିସାବ ରଖି ସମସ୍ତଙ୍କୁ ବାଣ୍ଟିଦିଏ ହୀରା ।

 

କିଏ କହେ-ମୃତ ସଞ୍ଜିବନୀ । କିଏ କହେ ଅମୃତ । କିଏ ତାର ଅଜ୍ଞାନ ଶତ୍ରୁକୁ ମନେପକାଇ କହେ, ଇଏ ଅମୁକ ଶାଳକର ରକ୍ତ । ହଠାତ କଣ୍ଡକ୍ଟର ରଘୁନାଥ ଗୋଟିଏ ଗୀତ ଆରମ୍ଭ କରିଦିଏ । କେତେଜଣ ତାଳଦିଅନ୍ତି । ଜଣେ ଅଧେ ତା’ ପାଟିରେ କିଛି ଗୋଟାଏ ଗୁଞ୍ଜିଦେଇ ବନ୍ଦ କରିଦେବାକୁ ବି ଚେଷ୍ଟା କରନ୍ତି । ରଘୁନାଥ ଆପାତତଃ ଗୀତ ବନ୍ଦକରି ଗଳ୍ପ ଆରମ୍ଭ କରେ–କାଲି ରାତିରେ ମୋର ଗୋଟାଏ ପ୍ରକାଣ୍ଡ ବ୍ରହ୍ମରାକ୍ଷସ ସାଙ୍ଗରେ ସାକ୍ଷାତ ହୋଇଥିଲା ରେଳଲାଇନ୍ ପୋଲ ତଳେ ।

 

ସମସ୍ତେ କହନ୍ତି – ତା ପରେ ? ତାପରେ କୁଳୁ କୁଳୁ କରି ରଘୁନାଥ ଚାହିଁରହି ଦେହ ହାତ ଥରାଇ ହାଇମାରେ । ତାର ନିଶା ଛାଡ଼ିଆସୁଛି । ଦେହ ଶୀତେଇ ଶୀତେଇ ରୁମମୂଳ ଟାଙ୍କୁରିଉଠେ ।

 

ତା’ପରେ କଣ ହେଲା ?

 

ଆଁ ! ହଁ, ତାପରେ ରାବଣର ଦଶଟା ମୁଣ୍ଡରୁ ଆଉ ଦଶ କୋଡ଼ିଏଟି ଉଡ଼ିଗଲା । ଦୂର ଦୂର ଗଧ । ମିଥ୍ୟାବାଦୀ ମାତାଲ୍ କାହାଁକା ! କହି ଢଳି ଢଳି କନେଷ୍ଟବଲ୍ ଜଣକ ରୋଷେଇଘର ଭିତରକୁ ଟାଣିନେଇଯାଏ ହୀରାର ବାହୁଧରି । ହଠାତ ପାଟିଗୋଳ ବନ୍ଦ ହୋଇଯାଏ, ଆଉ ସଭିଏଁ ସେଇଆଡ଼େ ଚାହିଁରହନ୍ତି । ସଭିଙ୍କ ଆଖି ଚକା ଚକା ହୋଇଯାଏ । ଚମକ ଭଙ୍ଗାଇ ରଘୁନାଥ ହସିଉଠେ –ହୋ ହୋ ହୋ ହୋ । ତାପରେ ସଭିଏଁ ୟା ତା ମୁହଁକୁ ଚାହିଁ ଚିତ୍କାର କରନ୍ତି– ହି ହି ହି ହା ହା ହା ।

 

ଘର ପଛପଟ ମଇଦାନ ସେପାରି ମଶାଣିପଦାରୁ ଶୁଭେ ହୁଃକେକ୍‍କେ ହୋ ---

 

ଅଶ୍ଵତ୍‍ଥ ଡାଳରେ ଫଟ୍ ଫଟ୍ କରି କେତୋଟି ପକ୍ଷୀ ବ୍ୟାହତ-ନିଦ୍ରାର ସୂଚନା ଦିଅନ୍ତି ।

 

ରାତ୍ରିର ଆୟୁ କ୍ରମେ ହ୍ରାସ ହୋଇଆସେ । ନିଛାଟିଆ ଦୁଇ ମୁହାଁ ଘରଟା ପୁଣି ଶୂନ୍‍ଶାନ୍ ନିଛାଟିଆ ହୋଇଆସେ ।

 

ସୂର୍ଯ୍ୟ ଉଠେ । ସମସ୍ତେ ଉଠନ୍ତି ଏକା ରୋଷେଇ ଘର ଭିତରେ ମୁହଁମାଡ଼ି ହୀରା ନିଦାଏ-। ଘୁଙ୍ଗୁଡ଼ି ମାରେ । ପୁଣି କଡ଼ ଲେଉଟାଇ ପଡ଼ିରହେ । ଗତ ରାତ୍ରିର ଉଚ୍ଛ୍ଵସିତ ସୁହାଗର କ୍ଷୟକ୍ଷତି ଏବଂ ଉଦ୍ଦାମ ଚୁମ୍ବନର ପ୍ରବାହକୁ ପ୍ରଶମିତ କରେ । ମୁହଁରୁ ଗରଳ ଧାର ବାହାରି ଶୁଖି ଚିଡ଼୍‍ଚିଡ଼୍‍ କରେ । ସେ ହୁଏତ ଉଠିବସେ । କିନ୍ତୁ ଢୁଳାଏ । ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଗଲେ ରେଳଲାଇନ ପୋଲ ତଳର ଘାଟ ଉପରେ ଅନେକେ ବସି ଗାଧୁଆ ପାଧୁଆ କରନ୍ତି । ହୀରା କିନ୍ତୁ ସେତେବେଳେ ଓଳିପଟେ ବସି ହିକ୍‍କା ମାରେ । ବାନ୍ତି ସରଳ ହୁଏନାହିଁ । ବାଁହାତରେ ଛାତି ଚାପିଧରି ଡାହାଣ ହାତର ବିଶି ଆଙ୍ଗୁଠି ପାଟିରେ ଭର୍ତ୍ତିକରି ସେ ବାନ୍ତିକରେ । ବହୁତ ସମୟ ଗଡ଼ିଯାଏ ।

 

ଶେଷରେ “ବିଶୁଦ୍ଧ ହିନ୍ଦୁ ହୋଟେଲ”ର ପଛପଟେ ଲଣ୍ଡା ପୂଜାରୀ ଈସାରା ଦେଲେ ସେ ଯାଇ ଭାତ ଖାଇଆସେ । ଫେରିଆସି ଅଫିମ ଖାଇଲାଭଳି ଗୁମ୍‍ହୋଇ କିଛି ସମୟ ବସେ । ତା’ପରେ ଘର ପରିଷ୍କାର ପରିଚ୍ଛନ୍ନ କରିବାକୁ ଲାଗିଯାଏ । ସୂର୍ଯ୍ୟ ଯେତେବେଳେ ଦୂର ରେଳଲାଇନ ମଥାନରେ ଖସି ଖସି ପଡ଼େ । ଘାଟ ଉପରକୁ ଯାଇ ହୀରା ବିଦାୟୀ ସୂର୍ଯ୍ୟକୁ ପ୍ରଣାମକରି ଜଳ ଭିତରକୁ ପଶେ । ବର୍ତ୍ତମାନ ତାର ସ୍ନାନ ସମୟ । ଦୈନନ୍ଦିନ କାର୍ଯ୍ୟସୂଚୀ ଆରମ୍ଭର ଅବ୍ୟବହିତ ପୂର୍ବେ । ଅତି ପରିଚ୍ଛନ୍ନ କରି ଦେହ ହାତ ଘଷିମାଜି ହୁଏ । ଫେରିଆସି ବଡ଼ ଗିଲାସଟିଏ ଭର୍ତ୍ତିକରି ଚାହା ତିଆରି କରି ଖାଏ । ତା’ପରେ ପ୍ରସାଧନରେ ଅତୀତ ହୁଏ ଘଣ୍ଟାଟିଏ ।

 

ତଥାପି ଆହୁରି ଡେରି ତିନିଘଣ୍ଟା । ରାତି ଅନ୍ତତଃ ସାଢ଼େ ନ’ଟା ପୂର୍ବରୁ ଏଇ ନିଶିପଦ୍ମାର ଅନ୍ଵେଷଣରେ କୌଣସି ମଧୁପର ଆଗମନ ହୁଏ ନାହିଁ । ଦୁଆର କବାଟ ଭିତରପଟରୁ ବନ୍ଦକରି ଓଳିଆଡ଼େ ଯାଇ ହୀରା ବସିରହେ ଖୁଣ୍ଟକୁ ଆଉଜି । ବିସ୍ତୃତ ମଇଦାନର ସୁଦୂର ସୀମାରେ କେଉଁ ଗାଁର ଅସ୍ପଷ୍ଟ ମଖମଲି ନରମ–ଛବି ।

 

ହୀରାର ଅତୀତ ଅସ୍ପଷ୍ଟ । କିନ୍ତୁ ଇମିତି ନରମ, ଇମିତି ମଖମଲି ମଧ୍ୟ ।

 

ଦୂର ବେଣାବନର ନିଘଞ୍ଚ ବୁଦାସବୁ ତଳୁ ଅନ୍ଧାର ବହଳ ହୋଇଆସେ । ଆକାଶରେ କେତେବେଳେ ଗୋଟିଏ ଗୋଟିଏ ନକ୍ଷତ୍ର ଫୁଟିଉଠେ । ସମସ୍ତ ନକ୍ଷତ୍ରର ବିନ୍ଦୁ ସମାହାରରେ କେତୋଟି ଛବି ଆଙ୍କି ହୋଇଯାଏ ହୀରାର ଆଖିରେ । ମଙ୍ଗଳ ଦାସ–ଯାହା ସାଙ୍ଗରେ ସେ ପ୍ରଥମେ ପଳେଇ ଆସିଥିଲା ଏଠାକୁ । କେତେବର୍ଷ ବତିଗଲାଣି । ମଙ୍ଗଳ ଦାସର ବିଶୁଦ୍ଧ ହିନ୍ଦୁ ହୋଟେଲ ଆଜି ଅନ୍ୟର ଅକ୍ତିଆର ଭିତରେ । ମଶାଣିପଦାର ଧୂସର କଳା ମାଟି ଭିତରେ ଗୁମୁରି ଗୁମୁରି କେବେ କେବେ ଖଣ୍ଡିଆଭୂତ ପବନରେ ସୁ ସୁ ହୋଇ ମଙ୍ଗଳ ଦାସର ନିଷ୍ପ୍ରଭ ଜୁଇର ଶେଷ ଧୁଳି ରେଣୁ ଉଡ଼ିଆସେ ହୀରାର ଘର ଭିତରକୁ । ଛନକା ପଶେ । କୁହୁଳି କୁହୁଳି ମନଟା ଭିତରେ ଗୋଟାଏ ଆତଙ୍କ ଅଟକି ରହେ, ଅଗଣା ଭିତରେ ସାପ ଭଳି ।

 

ଛାଇ ଭଳି ଗୋଟିଏ ମୂର୍ତ୍ତି ଆସି ଦୋହଲୁଛି ଅଗଣାରେ । କିଏ ସେ ? ଅତିକାୟ-ମଣିଷଟା ଆହୁରି ପାଖେଇ ଆସିଲା । ହୀରା ଚିହ୍ନିଲା । ଏଇଟା ହନୁମାନ ମିଲ୍‍ର କୁଲି । ରୂଢ ସୁରରେ ହୀରା ପଚାରିଲା କଅଣ ? ଟିକିଏ ହସିବାର ଉଦ୍ୟମକରି କୁଲି କହିଲା – ଆମେ ତିନିଜଣ ଆଜି ଟିକିଏ ଆସନ୍ତୁ ।

 

ହୀରା ଚିହିଙ୍କି ଉଠିଲା –ଚୁପ୍ ପଳା ଏଠୁ କହୁଛି ।

 

ରାଗୁଛୁ କାହିଁକି ? ଆମେ ବି ସମାନ ଦାମ ଦବୁଁ । ଟିକିଏ ମଉଜ୍ କରିବା କଥା ନା ଆଉ-! କଣ ଟିକିଏ ବିଚାର କର । କୁଲି ଆହୁରି ନିକଟକୁ ଘୁଞ୍ଚିଆସିଲା- ଆମେ ବରଂ କିଛି ବେଶି ରାତିକୁ ଆସିବୁ ! ବାବୁମାନେ ଯିବାପରେ ।

 

ହୀରା ଉଠିପଡ଼ି ପାଟିକଲା – ଲଣ୍ଡା !

 

ଲଣ୍ଡାପୂଜାରୀ ଦଉଡ଼ି ଆସି ତାର ଖନିଆପାଟିରେ ହୁରିକଲା, ଭାଁଗ୍ ଭାଁଗ୍ ଶଳା ଭାଁଗ । କୁଲିଟା ଗୁମ୍‍ମାରି ମିନିଟିଏ ଛିଡ଼ାହେଲା । ତାପରେ ଅଇଁଠା ମଜ୍‍ଲିସରୁ ବିତାଡ଼ିତ କୁକୁର ଭଳି ବସ୍ତିଆଡ଼େ ମିଳେଇଗଲା । ଲଣ୍ଡା ବସିଲା ହୀରା ପାଖରେ । ଲଣ୍ଡା ! ମୋ ପିଠିଟାରେ ଟିକିଏ ତେଲ ଲଗେଇଦେଲୁ । ହୁଁ ହୁଁ କରି ଲଣ୍ଡା କୃତଜ୍ଞଭଙ୍ଗୀରେ ତାର ପିଠି ଘସେ । ହଠାତ କେଉଁ ମୁହୂର୍ତ୍ତରେ ସେ ତା’ର ହାଡ଼ୁଆ ମୁହଁ ନେଇ ହୀରାର କାନ୍ଧରେ ଗୁଞ୍ଜିଦିଏ ।

 

ହୀରା ଗର୍ଜିଉଠେ – ଏଇ ଫାଜିଲ୍‍ ଟୋକା ।

 

ଆଶ୍ଚର୍ଯ୍ୟ । ସକ୍ ସକ୍ କରି କାନ୍ଦିବାକୁ ଆରମ୍ଭ କରିଦିଏ ଲଣ୍ଡା । ତୁ ମୋତେ ବକୁଚୁ ହୀରା ?

 

ମଙ୍ଗଳ ଦାସ ସହ ଏକଦା ଯେଉଁମାନେ ଆସିଥିଲେ ତାଙ୍କ ଭିତରୁ ହୀରାର ଶେଷ ସ୍ମୃତି ହୋଇ ରହିଛି ପାଖ ହୋଟେଲରେ ବିନା ବେତନର ପୂଜାରୀ ଲଣ୍ଡା । ବାୟାଟା, କାନ୍ଦ ନା ଲଣ୍ଡା । ତୁ ଭାରି ଭଲ ଟୋକା ।

 

ଏଇ ଲଣ୍ଡାର ପରିଚୟ-ଗୋଟାଏ ବାମନ ପୁରୁଷର ମଜ୍‍ବୁତ୍ ଗଠନ ଉପରେ ସ୍ତ୍ରୀ-ସୁଲଭ ଆଚାର ବ୍ୟବହାର, ଲାଜଲଜ୍ଜା, କେଶ ବିନ୍ୟାସ ଓ ସଯତ୍ନ ସିନ୍ଦୁର ଟୋପାର ସମାହାର ।

 

ବାହାରପଟୁ କବାଟର ଜଞ୍ଜିର ଦୋହଲେ । ହୀରା ଠିଆହୋଇ ଦେହହାତ ସିଧାକରି ଲମ୍ବା ହାଇମାରେ ।

 

ପ୍ରଗାଢ଼ ରାତି ସହ ଉଦ୍‍ବେଳିତ ହୁଏ ହୀରାର ଆଶ୍ରୟ । ତହିଁ ଭିତରେ ସମାଗତ ଚିତାଚୈତନ୍ୟବନ୍ତ କିରାଣୀ ଏବଂ ଟାଙ୍ଗରାମୁଣ୍ଡ ମହୋରିର୍ ମହୋଦୟଗଣ କନେଷ୍ଟବଲ୍‍-ହଜୁରମାନେ ଏବଂ ଡ୍ରାଇଭର କଣ୍ଡକ୍ଟର ବାବୁ -ସଭିଏଁ ପୁଣି ମହାଶୂନ୍ୟରେ ଉଡ଼ନ୍ତା ଥାଳିଆ ବନି ଚକ୍‍କର ଦିଅନ୍ତି ।

 

ରାତି ପରେ ରାତି ---

 

ସହସ୍ର ରଜନୀର ପ୍ରମୋଦ ଲହରୀରେ ଅବଗାହନ କରି ଚାଲେ ହୀରା । ସେଇସବୁ ଉତ୍ତୁଙ୍ଗ ଲହରୀର ସଲିଳ ତଳେ କମ ହାଙ୍ଗର ଦ୍ଵାରା ସେ କ୍ଷତବିକ୍ଷତ ହୋଇନାହିଁ । ବିରାଟ ତିମିଜନ୍ତୁ ତାକୁ ଗ୍ରାହ୍ୟ ନ କରି ବାଟଭାଙ୍ଗି ଚାଲିଯାଏ । ଏକାନ୍ତ କ୍ଷୁଦ୍ର ଜଳଜୀବ ସବୁ ହୀରାର ଅଙ୍ଗଦ୍ୟୁତିକୁ ଭୟକରନ୍ତି । ପାଖ ପଶିପାରନ୍ତି ନାହିଁ । ହୀରା ତେଣୁ ହାଙ୍ଗର୍‍ର ଶିକାର ।

 

ଥରେ ଥରେ ଅସହ୍ୟ ଯନ୍ତ୍ରଣାରେ ଦିହତଳର କବ୍‍ଜା ବିଦ୍ରୋହ କରିଉଠେ । ହୁଏତ ସେତେବେଳକୁ ରାତ୍ରିର ଶେଷ ପ୍ରହର । ନିଃଶେଷିତ ବତୀର ଶେଷ ଅଂଶ ଭଳି ପଡ଼ିରହି ଦଉଡ଼ିଆ ଖଟ ଉପରେ କୁନ୍ଥେଇ କୁନ୍ଥେଇ ସେ ଭାଙ୍ଗି ମୋଡ଼ିହୁଏ । ଝରକା ଦେଇ ଲଣ୍ଡାକୁ ପାଟିକରି ଡାକେ । ଲଣ୍ଡା ଆସି ହୀରାର ସର୍ବାଙ୍ଗ ଘଷିଦିଏ, ଆଉ କେତେବେଳେ ସୁକ୍ ସୁକ୍ କରି ହୀରାର ପଣତ ଆଖିରେ ଦେଇ କାନ୍ଦିପକାଏ ।

 

ହୀରା କେବଳ ଅନୁଭବ କରେ ଏଇ କ୍ରନ୍ଦନ । ବାୟୁମଣ୍ଡଳରେ ଅଦୃଶ୍ୟ କୀଟାଣୁସବୁଭଳି ସେ ଅନୁଭୂତିର ଅସ୍ତିତ୍ୱ ଅଛି ଅଥଚ ପ୍ରକାଶ ନାହିଁ, ଆଉ ଅର୍ଥ ବଡ଼ ଅସ୍ପଷ୍ଟ ।

 

ମଝିରେ ମଝିରେ ହୀରାର ସଦନ ଅକସ୍ମାତ୍ କେତେଦିନ ବନ୍ଦ ରହେ । ଅକାରଣ କବାଟରେ ଢୋ ଢା ଶବ୍ଦ କରି ନିଷ୍ଫଳ ନାଗରମାନେ ଲେଉଟି ଯାଆନ୍ତି । ଚାରିକଡ଼ ବନ୍ଦ ରୋଷେଇଘର ଭିତରେ ହୀରା ଚୁପ୍‍ଚାପ୍‍ କଣ ମାଲିସ୍ କରେ ଦିହରେ ।

 

ହୀରା ସମଝି ପାରୁଛି– ଦେହ ଭିତରର କବ୍‍ଜାସବୁ ଢିଲାହୋଇ ଆସିଲାଣି ଏଥର । କିନ୍ତୁ ପୂରାପୂରି ଢିଲା ହେବା ପୂର୍ବରୁ ହିଁ ଅକସ୍ମାତ୍ ପ୍ରମୋଦ ଲହରୀର ଲୀଳାଭୂଇଁରେ ଦିନେ ମୁଣ୍ଡ ଟେକି ଉଠିଲା ବିସ୍ତୃତ ଏକ ବାଲୁଚର ।

 

ନୂଆ ସ୍ଥାପିତ ରିଫ୍ୟୁଜି କଲୋନୀର ଶେଷ ସୀମାନ୍ତରେ ଯେଉଁ କେତୋଟି ଗୋଟିକିଆ ଘର, ତାହାରି ଅନ୍ତରାଳରୁ ଏକଦା ରାତିର ଗଭୀର ପ୍ରହରରେ ହୀରା ଆବିଷ୍କାର କଲା ଝୁଣ ଝୁଣ ମଧୁର ଶବ୍ଦ, ଆଉ ତାର ପରିଚିତ କଣ୍ଠସବୁର କଳରୋଳ । ଲଣ୍ଡାକୁ ପଠାଇ ଅନୁସନ୍ଧାନ ନେଇ ବୁଝିଲା ସେ – କେଉଁ ଦୂରାନ୍ତରୁ ହତ-ମୃଣାଳ କେତୋଟି ନିଶିପଦ୍ମ ଭାସିଆସି ଉପନିବେଶ ଗଢ଼ି ତୋଳିଛନ୍ତି ତାହାରି ଏକଚାଟିଆ ଚରାଭୂଇଁ ଭିତରେ । ହୀରା ସବୁ ଶୁଣେ– ବସି ଢ଼ୁଳାଏ, କେହି ନ ଆସିଲେ ନିଜେ ଦୁଇ ଗିଲାସ ସାବାଡ଼ କରିଦିଏ । ନିଶାର୍ଦ୍ଧରେ ବି ଆଉ ତା ଦୁଆରେ ପ୍ରାୟ ଖଡ଼୍‍ ଖଡ଼୍ ଶବ୍ଦ ହୁଏନା ।

 

ତଥାପି ହୀରା ଆଗଭଳି ଆଉ ଗରାଖମାନଙ୍କ ପାଇଁ ଏତେ ବ୍ୟଗ୍ର ନୁହେଁ । ଭାତ ମୁଠେ ମୁଠେ ହୋଟେଲରୁ ମାଗଣାରେ ମିଳୁଛି । ରଘୁନାଥ ବା ନିଶିକାନ୍ତ ଭଳି ପଇସାରେ ନ ଦେଇ ହୋଟେଲବାଲା ତା’ର ଦେୟ ଭାତରେ ଦିଏ । କିନ୍ତୁ ଏମିତି ଏକ ଦିନରେ ଅଶ୍ରୁସଜଳ ଲଣ୍ଡା ଖବର ଦେଲା, ହୋଟେଲବାଲା ଜଣେ ରିଫ୍ୟୁଜି ଝିଅ ଆଣି ରଖିଲାଣି । ସତକୁ ସତ, ଦିନେ ମାଲିକ ମନା କରିଦେଲା ଲଣ୍ଡାକୁ – ହୀରାକୁ ଡାକି ଆଉ ଦୈନିକ ଭାତ ଖୁଆଇବା ଦରକାର ନାହିଁ ।

 

ଦରକାର ନାହିଁ । ହୀରାକୁ ଆଉ ଦରକାର ନାହିଁ ସେଇ ଛୋଟ ସହରଟିରେ । ଲୁଚାଇ ଖାଇବାକୁ ଦେଇଥିବା ଯୋଗୁଁ ଲଣ୍ଡା ମାଡ଼ଖାଇଲା । ଯଦିଓ ଚକ୍‍ଚାକ୍‍, ତଥାପି ହୀରାର ଦେହ ଅଧା ମଲା । ହାସ୍ୟ ଆଉ ଲାସ୍ୟର ସମାହାରରେ ପ୍ରାଣବନ୍ତ ନୂତନ ଉପନିବେଶଆଡ଼କୁ ମୁହାଁଇ ଯେତେବେଳେ ଜଣେ ଜଣେ ଗୁଣୁ ଗୁଣୁ ଗୀତ ଗାଇଚାଲନ୍ତି ଆଉ କେବେ କେବେ ତିନିପହର ରାତିରେ ତବଲା ଆଉ ହାରମୋନିୟମ୍‍ର ଆବାଜ୍ ବି ଭାସିଆସେ, ଲଣ୍ଠଣଟା ନିଷ୍ପ୍ରଭ କରିଦେଇ ହୀରା ଝରକାବାଟେ ଶୂନ୍ୟକୁ ଚାହେଁ – ମଦୁଆଭଳି ଅଧାମଲା ଜହ୍ନ ଘୁସୁରି ଘୁସୁରି ତଳକୁ ଗଡ଼ୁଥାଏ-

 

ହୀରା ବି ତେବେ କଣ ଏଣିକି ଗୀତ ଗାଇବ ? ସେଇ ନୂତନ ଉପନିବେଶର କୌଣସି ଏକ ଆଲୋକିତ ବାତାୟନର ଝିଲ୍‍ମିଲ୍‍ ପର୍ଦ୍ଦା ଉପରେ ଦୃଷ୍ଟିରଖି ହୀରା ଭାବିହୁଏ ।

 

ହଁ, ଗୀତ ତାକୁ ସୁହାଗକରି ଶିଖାଇଥିଲା ମଙ୍ଗଳ ଦାସ । ଅନ୍ଧକାର ଗଛଟା ଉପରେ ଚଢ଼େଇଟିଏ ଛଟ୍‍ପଟ୍ ହୁଏ । ମଙ୍ଗଳ ଦାସର ଭୂତ ? ନା, ଗୀତ ଆଉ ହୀରା ଗାଇପାରିବନି । ମନେ ନାହିଁ ।

 

ଏକଦା ବଜାରଟା ଭିତରେ ବହୁ ଆଖିର ଲୋଭନୀୟ ଉଜ୍ଜ୍ୱଳ ହୀରା – ଅଦ୍ଭୁତ କଥା, ଦେଢ଼ଦିନ ହେଲା ମୁଠିଏ ଖାଇବାକୁ ପାଇନାହିଁ । ଦୈବାତ୍ ସେଦିନ ସନ୍ଧ୍ୟାରେ ରଘୁନାଥ ଆସି ଧୀରେ ଧୀରେ କବାଟ ଈଷତ୍ ଖୋଲି ଭିତରେ ପଶିଲା । ଅଭିମାନ ନୁହେଁ, କେଇ ଅଣା ପଇସାର ଆଶାରେ ହୀରା ସଳଖି ବସିଲା । ରାସ୍ତା କାଦୁଅ ଯୋଗୁଁ ମଟର ଚଳାଚଳ ବନ୍ଦ । ବେକାର ହୋଇ ଯେଉଁ ଅସୁବିଧା ! ତା’ଉପରେ ପୁଣି ରିଫ୍ୟୁଜିଦଳ ଭିତରୁ କେତେଟା ଟୋକାଙ୍କୁ ଶସ୍ତାରେ ମିଳୁଛି । କଣ ଯେ ମାଲିକ କରିବ କେଜାଣି ? ହୀରା କିଛି କହିବା ପୂର୍ବରୁ ରଘୁନାଥ ସୁର କୋମଳ କରି କହିଲା –ହଁ,ମୋତେ ଟଙ୍କାଟିଏ ଦେଇଥା ହୀରା, ମୁଁ କାଲି ଦିନଟା ଛାଡ଼ି - ।

 

ଶୂନ୍ୟ ଆଖିରେ ଚାହିଁଥିଲା ହୀରା । ହଠାତ ତକିଆଟା ଟାଣିଆଣି ଆଖି ମୁଦି ଶୋଇପଡ଼ିଲା । ରଘୁନାଥ କହି କହି ଫେରିଲା - ସବୁ ଶଳେ ସୁଖର ବନ୍ଧୁ ।

 

ଅଳଙ୍କାର ବିକ୍ରିହେଲା । ଜଣାପଡ଼ିଲା, ବିଭିନ୍ନ ସମୟରେ ବହୁ ରସିକଙ୍କ ଦ୍ଵାରା ପ୍ରଦତ୍ତ ଏଇସବୁ ଉପହାରରୁ ଅଧିକାଂଶ ଫାଙ୍କି । ନକଲି ।

 

ହୀରାର ଚହଟ ମଧ୍ୟ ଯେ ନକଲି, ସେଟାବି ଯଥାଶୀଘ୍ର ଜଣାପଡ଼ିଗଲା ।

 

ହୀରା ଏତିକି ଜ୍ଞାନ ଅର୍ଜିଥିଲା ଯେ ମଟର ଚଳାଇବା ପାଇଁ ଲାଇସେନ୍‍ସ ନାମକ ଗୋଟିଏ ମୂଲ୍ୟବାନ୍ ଜିନିଷର ପ୍ରୟୋଜନ । ସେଦିନ ଅନନୁଭୂତପୂର୍ବ ବିସ୍ମୟ ସହକାରେ ଶୁଣିଲା ଯେ ତାର ଦେହଟିକୁ ବଜାରରେ ଚାଲୁରଖିବା ପାଇଁ ମଧ୍ୟ ଲାଇସେନ୍‍ସ ପ୍ରୟୋଜନ । ହୀରାର ମ୍ରିୟମାଣ ତନୁ ପରୀକ୍ଷାକରି ଡାକ୍ତର ମତଦେଲେ–ବିଷାକ୍ତ । ହୀରାର ନକଲି ଧରାପଡ଼ିଗଲା । ପ୍ରବଳ ଚେଷ୍ଟା ସତ୍ତ୍ୱେ ତାର ଅବସନ୍ନ ଆଖିରେ ହୀରା ଭବିଷ୍ୟତର ଇଶାରା ଫୁଟାଇପାରିଲା ନାହିଁ । ଡାକ୍ତରର ମତକୁ ରୋକିଦେଇ ପାରିଲା ନାହିଁ ।

 

ଲଣ୍ଡା କାନ୍ଦ କାନ୍ଦ ହୁଏ । ପୁଣି ଅଦ୍ଭୁତ ହସ ହସେ । ସହସ୍ର ରଜନୀର ପ୍ରମୋଦ ନାୟିକା ହୀରାକୁ ଏଣିକି ସୁଚ୍ଚରିତ୍ରା ଲଳନା ହେବାକୁ ପଡ଼ିବ । ବିଷକନ୍ୟା ସିଏ ।

 

ଝିପିଝିପି ବର୍ଷାରେ ଘରର ଛାତ ଭେଦି ପାଣିପଡ଼ିଲା । ହୀରା ଅନୁଭବ କଲା, ତା ପିଣ୍ଡାରେ କିଏ ଆଶ୍ରୟ ନେଇଛି । କବାଟ ଖୋଲି ଚିହ୍ନିଲା ସେଇ କୁଲି ।

 

ନାଁ, ମୁଁ ବର୍ଷା ଛାଡ଼ିଲେ ଚାଲିଯିବି । କୁଲି ଆଗରୁ କହିରଖିଲା । କାହିଁକି, ଆସି ବସୁନ ! ତା’ପରେ ନିର୍ବିକାର ହୋଇ ହୀରା ପୁଣି କହିଲା । ତୁମ ପ୍ରସ୍ତାବରେ ମୁଁ ରାଜି ଅଛି । ଆହୁରି ନିର୍ବିକାର ଭାବରେ କୁଲିଟି କହିଲା, କିନ୍ତୁ ରେଟ୍‍ କେତେ ?

 

ହୀରା ହସି ହସି ଆଖିରେ ଗୋଟାଏ ଇସାରା କରିବାର ଚେଷ୍ଟା କଲା । କିନ୍ତୁ ସେତେବେଳେ ଆକାଶରେ ବିଜୁଳି ନାଚୁଥିଲା । ତା ଆଖିର ବିଜୁଳି ଅନ୍ଧାରରେ ରହିଗଲା । ଆଗନ୍ତୁକ କହିଲା– ଚାରିଟା ପଇସା ଦେବି ଏଇକ୍ଷଣି ହାତେ ହାତେ, ରାଜି ? ଅସହାୟ ହୀରାର ଗୋଡ଼ତଳେ ମାଟି ଦୋଦୁଲ୍‍ଦୁଲ୍ ଦୋହଲେ । କୁଲିଟା ଓଦା ଓଦା ସର୍ ସର୍ ଦିହରେ ଆଗେଇଆସୁଛି । ତାର ଆଖିଦୁଇଟା ନିଆଁ ହୋଇ ଜଳୁଚି, ଯେମିତି ଝାମ୍ପିପଡ଼ିବ । ହୀରା ହଠାତ ଘର ଭିତରେ ପଶିଯାଇ କବାଟ ବନ୍ଦ କରିଦେଲା । କବାଟ ଏପାଖରୁ ପଦାଘାତ ପଡ଼ିଲା ।

 

ଆବେ ଶାଳି ଖୋଲ ! ନ ହେଲା ଦି ପଇସା ଅଧିକା ଦେବି ।

 

ସର୍କସର କ୍ରୁଦ୍ଧ ହେଟାଭଳି କବାଟ ଉପରେ କିଛି ସମୟ ଆମ୍ପୁଡ଼ି ଦାବୁଡ଼ି କୁଲି ଫେରିଗଲା ।

 

ହୀରାର ଶେଷ ପ୍ରଚେଷ୍ଟାର ସାକ୍ଷୀଥିଲେ ଅନେକେ । ଛୋଟ ଗୋଟିଏ ପାନ ଦୋକାନ–ସମସ୍ତେ ଶେଷ ସମ୍ବଳ ବିକି ସେ ଗଢ଼ି ତୋଳିଥିଲା । ଜଣେ ଭଦ୍ରଲୋକ ଆଗେଇ ଆସିଥିଲେ । ଚାରି ପଇସାର ପାନ । କିନ୍ତୁ ତା’ପରେ ସେ ପୁଣି କହିଲେ, ହାତସାରା ସେଗୁଡ଼ୁ କଣ ? ଘାଆ କି ?

 

କିଛି ନାଇଁ ଆଜ୍ଞା, ଚୂନ ଲାଗି ---------

 

ନାହିଁ ବାବୁ – ବିଷରୋଗ । ବେଶ୍ୟାଟା ହଜୁର –

 

ଜଣେ ଦୁଇଜଣ ହି ହି କରି ହସିଲେ । ଦୋକାନ ଉଠିଗଲା ଯଥାଶୀଘ୍ର ।

 

ବିଷକନ୍ୟାର ପରବର୍ତ୍ତୀ କାହାଣୀ ସଂକ୍ଷିପ୍ତ ।

 

ଏଣିକି ନିସ୍ପନ୍ଦ ରାତ୍ରିର ଆକାଶରେ ଯେତେବେଳେ ବାଦୁଡ଼ି ସବୁ ଜହ୍ନକୁ ଭୟ ଦେଖାଇ ଫଡ଼ ଫଡ଼ ହୁଅନ୍ତି, ଆପଣ ଯଦି ଯାଇ ସେଇ ଝରକାକୁ ଲକ୍ଷ୍ୟକରିବେ, ପିଚ୍‍କାରି ମାରି ଆଲୋକର ଫୁତ୍‍କାର ଆଉ ବିଛୁଡ଼ି ପଡ଼ିବନି । ପଛପଟ ମଇଦାନ ଭିତରେ ଯେଉଁଠି ମଙ୍ଗଳ ଦାସର ଖଣ୍ଡିଆ ଭୂତ ବୈଶାଖୀ ବତାସରେ ଏକଗୋଡ଼ିଆ ନାଚେ, ସେଇ ଦିଗର ଝରକା ଖୋଲାରଖି ଶୋଇପଡ଼ିଥିଲା ହୀରା ।

 

ଦୁଇଦିନ ପରେ ବି ତାର ନିଦ ଭାଙ୍ଗିଲାନି । ସହସ୍ର ଶଯ୍ୟାର ନାୟିକା ଶୋଇପଡ଼ିଛି । ଶୋଇ ରହୁ ।

 

ହଠାତ ମଝିରେ ମଝିରେ ସେଇ ଅନ୍ଧାର କୋଠରୀ ଭିତରେ ସୁକ୍ ସୁକ୍ କାନ୍ଦଣା ଶୁଭେ-। ସେ ହୀରାର ଭୂତ ନୁହେଁ । ବିଶୁଦ୍ଧ ହିନ୍ଦୁ ହୋଟେଲର ଅବୈତନିକ ଲଣ୍ଡା ପୂଜାରୀ ।

***

 

ଯାଯାବର ପୁତ୍ରର କାହାଣୀ

 

ଚୌଧୁରୀ ଘରର ନିଶୂନ୍ ପୂଜା ମେଲାଣ – ଯାହା କେବଳ ବର୍ଷକେ ଥରେ ବିଶ୍ଵଜନନୀ ଦୂର୍ଗାଙ୍କୁ ଆଶ୍ରୟ ଦେବାଲାଗି ନିଦ୍ରାହତ କୁମ୍ଭକର୍ଣ୍ଣ ଭଳି ଝାଲିବାଦ୍ୟ ସାହାଯ୍ୟରେ ସାରା ଗାଁକୁ ଚମକିତ କରିଦିଏ । ସେଦିନ ସହସା ଅସମୟରେ ସରଗରମ ହୋଇଉଠିଲା । ଏକାବେଳକେ ଏତେଗୁଡ଼ିଏ ଅଧା ସାହେବୀ ପୋଷାକର ଲୋକଙ୍କୁ ପାରେଶ୍ଵର ଗାଁ ଇତିପୂର୍ବେ କେବେ ପ୍ରତ୍ୟକ୍ଷ କରିନଥିଲା । ପଲଟଣ ପଛେ ପଛେ ଶଗଡ଼ ଗାଡ଼ିରେ ପୁଣି ଏତେ ସାଜ ସରଞ୍ଜାମ ।

 

ପୂଜା ଦଲାଣ ଆଗରୁ ଲିପାପୋଛା ସରିଥିଲା । ମେଲାଣ ଭିତରେ ପୁରୁଷମାନେ ଏବଂ ପାଖ ଲମ୍ବାଘର – ଯେଉଁଠି ପୂଜାର ରୋଷେଇବାସ ହୁଏ, ତା’ ଭିତରେ ତିନି ଚାରିଜଣ ସ୍ତ୍ରୀଲୋକ ଓ ବାଳକ ବସା ବାନ୍ଧିଲେ । ଗାଁର ସସଙ୍କୋଚ ପିଲାପିଲିମାନେ କୌତୁହଳୀ ଆଖିନେଇ ପାଖକୁ ଭିଡ଼ି ଆସିଲେ ।

 

ପାରେଶ୍ଵର ଗାଁକୁ ଏଇ ପ୍ରଥମ ଆଗନ୍ତୁକ ଦି ଗ୍ରେଟ୍ ଧନଲକ୍ଷ୍ମୀ ସର୍କସ ଲିମିଟେଡ଼୍ ।

 

ପୂଜା ମେଲାଣ ପଛପଟ ଝରକାଦେଇ ବଡ଼ ନିବିଷ୍ଟତା ସହକାରେ ଉମି ଦେଖିଲା ଏଇ ଅତିଥିମାନଙ୍କର ଆଗମନ, ଆଉ ଖବର ଦେଲା ଯାଇ ବଉ ପାଖରେ । ସର୍କସ – ଅର୍ଥାତ ଅଦ୍ଭୁତ ଖେଳ କସରତ୍ । ପଛରେ ପରା ଆହୁରି ବାଘ ଘୋଡ଼ା ଇତ୍ୟାଦି ବି ଆସିବେ । ଚୌଧୁରୀ ଘରୁ ପିଲାପିଲିଙ୍କ ଭିଡ଼ କ୍ରମେ କମିଗଲା । ସାନ ଚୌଧୁରୀ ଶଙ୍ଖନାଦବାବୁ ଚିଲେଇଲେ – ବାବୁମାନେ ଆସି ବିଶ୍ରାମ କରୁଛନ୍ତି –ଅଥଚ ଶଳେ ପିଲେ ଟିକେ ପବନ ଛାଡ଼ିଦେବେ ନାହିଁ । ଯାଅ ---

 

ଅତିଥିମାନେ ଖାଇ ପିଇ ବିଶ୍ରାମ କରୁ କରୁ ଦି’ପହର ଟପିଗଲା । ଉମିର ମନ ହଉଥାଏ ଥରେ କିମିତି ଚୌଧୁରୀ ଘରଆଡ଼େ ଯାଇ ଦେଖିଆସନ୍ତା ଖେଳୁଆଡ଼ମାନଙ୍କୁ । ଘରୁ ବାହାରି ଆସିଲା ସିଏ । ଘର ପଛପଟ ପିଜୁଳି ଗଛଟାଆଡ଼କୁ ଦୈନନ୍ଦିନ ଅଭ୍ୟାସ ଅନୁସାରେ ଚାହିଁ ଚାହିଁ ଆସୁଥାଏ – ଆରେ ବାଃ, ଉମିର ଆଖିପଡ଼ିଲା ଖୁବ୍ ପାଖରେ ଗୋଟାଏ ମାର୍ବଲ ଗୁଟି ଭଳି ଚିକ୍‍କଣ ପାଚିଲା ପିଜୁଳି । ଲୁଗାପଟା ସଜାଡ଼ି ସେ ଉଠିଗଲା ଗୋଟିଏ ଧପ ଗଛ ଉପରକୁ । ଝାଡ଼ବୁଦା ଆଢ଼ୁଆଳରେ ଏଇ ଜାଗାଟା ତା’ର ଅତି ପ୍ରିୟ । ନିଝୁମ ପଲ୍ଲୀ ମଧ୍ୟାହ୍ନର ଏକସୁରିଆ ସାଏଁ ସାଏଁ ଶବ୍ଦ ଭିତରେ ଉମି କେତେଥର ଏଇଠି ବସି ଗୁଣୁ ଗୁଣୁ ଗୀତ ଗାଏ । ଗଛ ମୂଳର ଆଜ୍ଞାବହ ଧୂସର ଶୀତଳ ବାଲିକୁ ନେଇ ମନଇଚ୍ଛା ସଂସାର ଗଢ଼େ ।

 

ଗଛଟିର କେଶସଜ୍ଜାରେ ନିବିଡ଼ତା ଆଣିଦେଇଛି ଗୋଟାଏ ଜାଲିପକା ଲତା । ଉମି ତାର ଚିର ପରିଚିତ ତିନି-ଫାଙ୍କୁଡ଼ା ଡାଳଟା ଉପରେ ଆଉଜିପଡ଼ି ପିଜୁଳିଟିକୁ କେଉଁ ଦିଗରୁ ପ୍ରଥମେ ଆକ୍ରମଣ କରିବ, ସେଇକଥା ଭାବୁଥିଲା ।

 

ଆରେ ହେ ? ହି –ହି –

 

ଉମି ଗଛଉପରେ ରହିବ କି ତଳକୁ ଆସିବ ବୁଝିପାରୁ ନ ଥାଏ- କାବା ହୋଇଯାଏ ।

 

ମୋତେ ଗୋଟିଏ ଦେବଟି ପିଲା !

 

ଉମି ଯେପରି ବିଶ୍ଵାସ କରିପାରୁନଥିଲା । ସର୍କସ ପାର୍ଟି ସହ ଏ ପିଲାକୁ ସେ ଦେଖିଚି । ବୟସ ପନ୍ଦର ଷୋହଳ ହେବ । ଉମିଠୁଁ ଦୁଇ ତିନିବର୍ଷ ବଡ଼ । ଦେହର ବର୍ଣ୍ଣଟା କସି ଲେମ୍ବୁପତ୍ର ଭଳି ସ୍ଵଚ୍ଛ । ପାତଲୁନଟାକୁ ଅସ୍ତିନଭଳି ମୋଡ଼ୁ ମୋଡ଼ୁ ସେ ପୁଣି ପଚାରିଲା – ଏ ଗଛଟା ତୁମର ? ନୁହେଁ ?

 

ଉମି ଗଛଉପରୁ ଉହ୍ଳାଇ ଆସିଥିଲା, ଆଉ ବଡ଼ ସଙ୍କୋଚ ସହକାରେ ପିଜୁଳିଟି ବଢ଼ାଇଦେଲା ।

 

“ତୁମେ ଖାଇବନି ?”

 

ନା ସୂଚକ ମୁଣ୍ଡ ହଲାଇଲା ଉମି ।

 

ହି –ହି –ଆଗନ୍ତୁକ ସର୍କସ ପିଲା ପିଜୁଳି ଗୋଟାକ ଏକାଥରେ ପାଟିରେ ପୂରାଇ ଉଠିଗଲା ଗଛ ଉପରକୁ । ପାଚିଲା କଞ୍ଚା ନିର୍ବିଶେଷରେ ଚାରି ପାଞ୍ଚଟା ପକେଟରେ ପୂରାଇ ସେ ଆହୁରି ଆଗକୁ ଉଠିବାକୁ ଆରମ୍ଭ କଲା ।

 

ଉମି ଏତେବେଳେ ଅପ୍ରସ୍ତୁତ ଭାବରେ ପାଟି ଫିଟାଇଲା,- ସେଆଡ଼େ ଯାଅନା । ବିରୁଡ଼ି ବସା ଅଛି ।

 

ଆରେ ବାପ । ହି –ହି –ପିଲାଟା ଏକାବେଳକେ ଗଛଉପରୁ ଡେଇଁପଡ଼ିଲା ଉମିର ଗୋଡ଼ ପାଖକୁ । ଆଉ ତା’ରି କାନ୍ଧଟା ଜୋର୍‍ରେ ଧରିପକାଇ ନିଜର ଭାର ସମ୍ଭାଳି ନେଲା ।

 

“ଚମତ୍କାର ମିଠା ! ଏ ତୁମରି ଗଛ – ନୁହେଁ ? ତୁମ ଘରଟା କାହିଁ ? ହଁ, ତୁମର ନାମ କ’ଣ ?”

 

ଏକାଥରେ ଗୁଡ଼ାଏ ପ୍ରଶ୍ନ । ଉମି ଘରଆଡ଼କୁ ଅଙ୍ଗୁଳି ଦେଖାଇଦେଲା । ଆଉ କହିଲା- “ମୋର ନାଁ ଉମାରାଣୀ” ।

 

“ଉମାରାଣୀ ! ଆମ ଦଳରେ ସେଇ ଯେଉଁ ମୋଟା ମାଇକିନିଆଟା ନାହିଁ ? ଯାହାର ଦାନ୍ତଟାମାନ ଏଡ଼େ ବଡ଼ ! ତା’ର ନାମ ଶୋଭାରାଣୀ ହି – ହି –

 

ଉମିକୁ ବଡ଼ ଅଦ୍ଭୁତ ଲାଗୁଥାଏ । ସର୍କସ ପାର୍ଟିର ରହସ୍ୟମୟ ମଣିଷମାନେ ପୁଣି ଏଡ଼େ ସହଜଭାବରେ ମିଳାମିଶା କରିପାରନ୍ତି ?

 

“ତୁମ ଘର ତ ଏଇ ପାଖରେ ! ଚାଲନା । ପାଣି ପିଇବି । ଘରେ ଅଛି କିଏ” ?

 

“ମା ଅଛି” କହି ଉମି ଆଗେ ଆଗେ ଚାଲିଲା । ବୋଉ ପାଖରେ ଅପରିଚିତ ଅଥଚ ତା’ର ପରିଚିତ କୌଣସି ବନ୍ଧୁକୁ ନେଇ ଘରକୁ ଯିବା ଜୀବନରେ ଏଇ ତାର ପ୍ରଥମ । ପୁଣି ସର୍କସ ପାର୍ଟିର ଲୋକ । ଉମି ମନରେ ଆନନ୍ଦ ଆଉ ଅଧୀରତା ସମତା ରଖିପାରୁ ନଥିଲେ । ଘରେ ପହଞ୍ଚି ବହୁ ଆୟାସରେ କଣ୍ଠ ସଞ୍ଜତ କରି ବୋଉ ବୋଉ ଡାକି ଉମି ଦୌଡ଼ି ଦୌଡ଼ିଗଲା ଭିତରକୁ, ଆଉ ମାଆ ପାଖରେ କଅଣ ବୋଲି କହି ଆଗନ୍ତୁକର ପରିଚିତି ଆରମ୍ଭ କରିବ, ସେକଥା ଠଉରାଇ ନ ପାରି ବଡ଼ ଅଡ଼ୁଆରେ ପଡ଼ିଲା । ଅପୂର୍ବ ସର୍କସରାଇଜର ଆଲୌକିକ ଏକ ସୁନ୍ଦର ଜୀବନକୁ ସେ ତାର କୁଡ଼ିଆକୁ ନେଇ ଆସି ପାରିଛି, ଏଡ଼େବଡ଼ କୃତିତ୍ୱକୁ ବୋଉ କ’ଣ ସହଜେ ପରତେ ଯିବ ?

 

ପରିଚୟ ଅବଶ୍ୟ କ୍ରମେ ଗାଢ଼ ହେଲା ।

 

ସାଜସଜ୍ଜା ଇତ୍ୟାଦି ଶେଷ ହୋଇ ସର୍କସ ଆରମ୍ଭ ହେବାକୁ ଯେଉଁ ଦୁଇଦିନ ଡେରି ହେଲା ତହିଁର ଅଧିକାଂଶ ସମୟ ମାଷ୍ଟର ପଲ୍‍ଟୁର କଟିଛି ଉମିଘରେ । ଉମି-ବୋଉର ସ୍ନେହଶୀଳ ଅନ୍ତରରେ ଏକ ସୁରକ୍ଷିତ ଆସନ ଅଧିକାର କରିଛି ମାଷ୍ଟର ପଲ୍‍ଟୁ । ତା’ର ଯାଯାବର ଜୀବନର ବହୁ ବିସ୍ମୟକର, ବହୁ ତିକ୍ତ ଅଭିଜ୍ଞତା, ଘଣ୍ଟାପରେ ଘଣ୍ଟା ବଡ଼ ହାଲୁକା ହସ ହସି ସାବଲୀଳ ଭାବରେ କହିଚାଲେ ସେ । ଧନଲକ୍ଷ୍ମୀ ସର୍କସ ଯେତେବେଳେ ପ୍ରଥମେ ଆରମ୍ଭ ହୁଏ, ସେତେବେଳେ ପଲ୍‍ଟୁର ବାପା ଥିଲେ ସେଥିରେ ମେନେଜର । ସର୍କସର ଜଣେ ଅଧା ହିନ୍ଦୁସ୍ଥାନି ମହିଳା ସହ ବିବାହ ହୁଏ । ପଲ୍‍ଟୁର ଜନ୍ମର ଅଳ୍ପକାଳ ପରେ ତା’ର ବାପା ସର୍କସର ମାଲିକସହ ଗୋଳମାଳ କରି କର୍ଣ୍ଣାଟିକ ସର୍କସକୁ ପଳାଇଗଲା ଓ ସେଠାରେ କୁଆଡ଼େ ନୂଆକରି ବାହାହେଲା । ଏଣେ ମା’ର ଅନିଚ୍ଛାସତ୍ତ୍ୱେ ସର୍କସ ମାଲିକ ପଲ୍‍ଟୁକୁ କସରତ୍ ଶିଖାଇଲେ ପିଲାକାଳଠୁଁ । କେତେବର୍ଷ ତଳେ ମାଆ ବି ତାର ମରିଯାଇଛି ।

 

ବକଟେ ଏଇ ଯାଯାବର ଜୀବନର ଅଜସ୍ର ଘାତ ପ୍ରତିଘାତର ଲୋମହର୍ଷକ ମର୍ମନ୍ତୁଦ କାହାଣୀ ଉମି ଆଉ ତାର ବୋଉ ମନରେ ଯେଉଁ ଆଲୋଡ଼ନ ତୋଳେ ତା’ଭିତରେ ବୁଭୁକ୍ଷୁ ପଲ୍‍ଟୁ ଖୋଜିପାଏ ତା’ର ବହୁ ଆକାଂକ୍ଷିତ ଭରସା କିଞ୍ଚିତ୍ ।

 

ଦୀର୍ଘ ସମୟ ଅନୁପସ୍ଥିତି ଯୋଗୁଁ ରିଂ-ମାଷ୍ଟର ଆଉ ମେନେଜର ଚିଡ଼ିମିଡ଼ି ହୁଅନ୍ତି । ଗେଟ୍‍କିପର ବୁଢ଼ା ସନ୍ୟାସୀ ଯାଇ ଡାକିଆଣେ ତାକୁ । “ଟିକିଏ ଦୁଧ ପିଇଦେଇ ଯାଅ ବାପା”-ଉମି ବୋଉ ପାଖରେ କିଛି ସମୟ କସରତ୍‍ ଅଭ୍ୟାସର ହାଡ଼ଭଙ୍ଗା କଷ୍ଟ ଭୁଲି ରହିଯାଏ ପଲ୍‍ଟୁ, ଆଉ ଉମିକୁ କହେ–ତୁ ସର୍କସରେ ରହିବୁ ? କେତେ ସହର, କେତେ ଦେଶ !”- ଉମି ଲଜ୍ଜାରେ ମୁହଁ ଲୁଚାଏ ।

 

ସେଦିନ ସର୍କସର ଶୁଭାରମ୍ଭ । ଘଣ୍ଟାଏ ଆଗରୁ ଡ୍ରାମ, କ୍ଳେରିଓନେଟ୍ ପ୍ରଭୃତି ସହଯୋଗେ ଆବାହନୀ ଆରମ୍ଭ ହେଲା । ଏ ଅଞ୍ଚଳରେ ଏଇ ପ୍ରଥମ । ତେଣୁ ଦୂରଦୂରାନ୍ତରରୁ ଦର୍ଶକ ଭିଡ଼କରି ଆସିଲେ । ପାରେଶ୍ଵର ଗାଁ ହେଲା ଲୋକାରଣ୍ୟ । ସାନ-ଚୌଧୁରୀ ବିପୁଳ ନିଶହଳକ ଚହଟାଇ ଇତସ୍ତତଃ ବିଚରଣ କରିବାକୁ ଲାଗିଲେ । ଯିମିତି ଭଗୀରଥ ବନି ସିଏ ହିଁ ସର୍କସକୁ ଆବାହନ କରିନେଇ ଆସିଛନ୍ତି ।

 

ଏକ କାଳୀକନ୍ୟାର ଅଭିସାର ଭଳି ସଞ୍ଜ କ୍ରମେ ସଲଜ୍ଜ ପଦପାତରେ ଧୀରେ ଧୀରେ ନିବିଡ଼ ହୋଇ ଆସୁଥିଲା । ଆକାଶର ସମୁଦ୍ରରେ ଦିଗହରା ପୁଳାଏ ଛାୟାକ୍ଲାନ୍ତ ବାଦଲର ଅସ୍ପଷ୍ଟ ଗତିପଥକୁ ଚାହିଁ ବସିଥିଲା ଉମି ।

 

ପଲ୍‍ଟୁ ଡାକିଲା ହଠାତ ଆସି –“ତୁ ଯିବୁନାହିଁ କିରେ ?”

 

“ଆଜି ନୁହେଁ” ।

 

“ହଁ ଆଜି । ମୁଁ ଅପେକ୍ଷା କରିଥିବି । ବୁଢ଼ା ସନ୍ୟାସୀକୁ କହିଦେବି । ସେ ଭିତରେ ନେଇ ତୋତେ ବସାଇଦେବ” ।

 

ଉମି ଗଲା ଆଉ ସେଇ ସନ୍ଧ୍ୟାରେ ବିସ୍ମୟ-ବିହ୍ଵଳ ଦୃଷ୍ଟି ନେଇ ତା’ର ସୁପରିଚିତ ବନ୍ଧୁକୁ ନୂତନ ରୂପେ ଆବିଷ୍କାର କଲା – ବହୁ ଉଚ୍ଚରେ । ଝୁଲନ୍ତା ରେଲିଂର ଦୋଳିରେ ଜୀବନପଣର କସରତ୍ ସବୁ ଦେଖାଇ ଚାଲିଥିଲା ପଲ୍‍ଟୁ । ସେଇ ବିପଜ୍ଜନକ ଦୃଶ୍ୟ ଦେଖିଲାବେଳେ ଉମିର ନିଶ୍ଵାସ ବନ୍ଦ ହୋଇଆସୁଥାଏ । ଏତେ ଉଚ୍ଚରେ ଯେଉଁ ପଲ୍‍ଟୁ, ସେ ପୁଣି ଏଇ କେଇ ମୁହୂର୍ତ୍ତତକେ ଥିଲା ତାର ଏତେ ନିକଟରେ ।

 

ସର୍କସ ସମାପ୍ତ ହେଲା । ପଲ୍‍ଟୁ ସମ୍ପର୍କରେ ସଂପୂର୍ଣ୍ଣ ନୂତନ ଅଭିଜ୍ଞତା ନେଇ ହତବାକ୍ ଉମି ଘରକୁ ଲେଉଟି ଆସିଲା ରାତି ପ୍ରହରକ ପରେ ।

 

ତହିଁ ପରଦିନ ଦି’ପହରରେ ସେଇ ଜଟାଧାରୀ ପିଜୁଳି ଗଛ ତଳେ ପୁଣି ପଲ୍‍ଟୁ ଆସି ଉପସ୍ଥିତ ହେଲା । ଉମି ତା’ମୁହଁକୁ ବଲବଲକରି ଅନେଇଥାଏ କେବଳ । ବିସ୍ମୟ ପ୍ରକାଶ କରିବାକୁ ଭାଷା ପାଉନଥାଏ ।

 

ପ୍ରାୟ ପ୍ରତ୍ୟେକ ସନ୍ଧ୍ୟାରେ ଉମି ଯାଇ ଫାଟକ ପାଖରେ ଛିଡ଼ାହୁଏ, ଆଉ ବୁଢ଼ା ସନ୍ୟାସୀ ତାକୁ ସ୍ନେହରେ ନେଇ ଛାଡ଼ିଦେଇ ଆସେ ଭିତରେ । ସ୍ତ୍ରୀ ଦେଖଣାହାରୀଙ୍କ ଗହଳିରେ । ସମାନ ଚମକ ନେଇ ଉମି ଦୃଶ୍ୟ ପରେ ଦୃଶ୍ୟ ପିଇଯାଏ । କଳା ଆଉ ଧଳା ଘୋଡ଼ାର ଦୌଡ଼, ସାହେବୀ ପୋଷାକରେ ପାତିମାଙ୍କଡ଼ର ତାମସା, ବୟସ୍ୟର କିମ୍ଭୂତ ହାସ୍ୟକର ଭଙ୍ଗୀର ନିର୍ବିକାର ପୁନରାବୃତ୍ତି, ଆଉ ମଝିରେ ଯେତେବେଳେ ମାଷ୍ଟର ପଲ୍‍ଟୁ ଶୂନ୍ୟରେ ବିରାଟ ତମ୍ବୁର ଏକ ପ୍ରାନ୍ତରୁ ଦୋଳିରେ ପହଁରି ଯାଇ ଅନ୍ୟ ପ୍ରାନ୍ତର ଦୋଳି ଧରେ, ସେତେବେଳେ ବିମୁଗ୍ଧ ଦର୍ଶକମଣ୍ଡଳୀର ଗୋଟିଏ କୋଣରେ ଆଚମ୍ବିତ ଉମିର ଛାତି ଭିତରଟା ସାଏଁ ସାଏଁ କରେ । ତା’ର ଛୋଟ ଓଠ ଦୁଇଟିରେ ଅସ୍ପଷ୍ଟ ମଧୁସୂଦନ ନାମ ସହଳ ସହଳ ଉଚ୍ଚାରିତ ହୋଇଯାଏ ।

 

ପଲ୍‍ଟୁ ଖେଳ ଶେଷକରି ତଳକୁ ଆସି ନାକତଳୁ ହାତ ସିଧାକରି ସର୍କସ ପ୍ରଥାରେ ଅଭିବାଦନ ଜଣାଇବା ମାତ୍ରେ ତା’ଉପରେ ସପ୍ରଶଂସ କରତାଳିର ଉଚ୍ଛ୍ଵାସ ବର୍ଷିତ ହୁଏ । କରତାଳି ଓ କଳରବ ଭିତରେ ଉମିର ଉତ୍କଣ୍ଠା ପ୍ରଶମିତ ହୋଇଆସେ ।

 

ବୈଶାଖ ଅଧାଅଧି ହୋଇଆସିଲା । ଆଚମ୍ବିତ ପଲ୍ଲୀର ଗହନ ତରୁଲତା ଉପରଦେଇ କାଳ ବୈଶାଖୀର ଛାୟା ଘୋଟିଗଲା । ଦୁଇଦିନ ଉପୁରା ଉପୁରି ସନ୍ଧ୍ୟାରେ ପବନର ଘୋଡ଼ାରେ ଚଢ଼ି କଳାମେଘର ବର୍ଗୀବାହିନୀ ଠୁଳହେଲେ ଉଦବେଳିତ ପଲ୍ଲୀ ମଥାନରେ ବିପର୍ଯ୍ୟସ୍ତ ତମ୍ବୁ ଆଉ ବିକ୍ଷିପ୍ତ ଦର୍ଶକମଣ୍ଡଳୀଆଡ଼କୁ ଚାହିଁ ସର୍କସ କର୍ତ୍ତୃପକ୍ଷ ସ୍ଥିର କଲେ, ଆଶ୍ରୟ-ଶୂନ୍ୟ ଏଇ ପଲ୍ଲୀ ପ୍ରାନ୍ତର ଏଥର ପରିତ୍ୟାଗ କରିବାକୁ ହେବ ।

 

“ଉମି ! ଆମେ କାଲି ଚାଲିଯାଉଛୁ ଏ ଗାଁରୁ” ।

 

ପଲ୍‍ଟୁ ବଡ଼ ଉଦାସ ଦେଖାଯାଉଥିଲା । ଉମି କିଛି ସମୟଧରି ଚାହିଁ ରହିଲା ତା’ ମୁହଁକୁ-

 

“ଏଇ କାଲି ? ଏତେ ଶୀଘ୍ର ?”

 

“ହୁଁ “—

 

ଟିକିଏ ପରେ ପଲ୍‍ଟୁର ମୁହଁ ଉପରେ ତା’ର ସ୍ଵାଭାବିକ ଉତ୍‍ଫୁଲ୍ଲତା ଫେରିଆସିଲା ।

 

“ପୁଣି କେବେ ଏ ଗାଁକୁ ଆସିଲେ ତୋ’ ସାଙ୍ଗରେ ଦେଖାହେବ ଉମି, ନୁହେଁ ?

 

“ମୁଁ କ’ଣ ସବୁଦିନେ ଏଠି ରହିଥିବି ?”

 

“ଆଉ” ? – ଟିକିଏ ଡେରିରେ ବୁଝିଲା ପଲ୍‍ଟୁ ।

 

“ଓ ହୋ ! ତୁ ପୁଣି ଦିନେ ବାହାହୋଇଯିବୁ । ନୁହେଁ ? ହି – ହି ”

 

ଉମିର ଛୋଟ ମୁହଁଟା ଉପରେ ଆଉ ଗୋଟାଏ ବର୍ଣ୍ଣର ଆଭା ଦେଖାଗଲା । ପଲ୍‍ଟୁ ପୁଣି କହିଲା –“ମେନେଜର କହୁଥିଲା, ଏ ଗାଁର ବେଶ ମୋଟା ପଇସା ହୋଇଛି । ହୁଏତ ଆଗାମୀ ବର୍ଷକୁ ଆମେ ପୁଣି ଆସିବୁ ।“

 

“ସର୍କସରେ ନରହିଲେ କ’ଣ ହୁଅନ୍ତା ! କେଡ଼େ ବିପଦ !”ଉମିର ଇମିତି ପ୍ରଶ୍ନରେ ପଲ୍‍ଟୁ କିଛି ସମୟ ଶୂନ୍ୟକୁ ଚାହିଁରହିଲା ।

 

“ନ ରହି ଆଉ ଉପାୟ କଣ ?”

 

ଉମିର ଫୁରୁଫୁରିଆ ବାଳଗୁଡ଼ା ଉପରଦେଇ ପଲ୍‍ଟୁର ଗୋଟିଏ ଦୀର୍ଘ ନିଶ୍ଵାସ ବହିଗଲା-

 

ଗାଁ କଡ଼ରେ ନିଥର ନଈଟି । ତା’ କଡ଼େ କଡ଼େ ସଳଖ ସଡ଼କଟି ସାପଟିଏ ଭଳି ସୁଦୂରର ଦିଗ୍‍ବଳୟକୁ ଦଂଶନ କରିବାକୁ ଧାଇଁଛି । ଗୋଟିଏ ପଲାଙ୍ଗ ଗଛକୁ ଆଉଜି ଉମି ଏକ ଧ୍ୟାନରେ ଚାହିଁଥାଏ । ସୂର୍ଯ୍ୟୋଦୟ ଏବେ ବି ସ୍ପଷ୍ଟ ହୋଇନାହିଁ । ସର୍କସର ମାଲ୍ ଓ ମଣିଷବାହୀ ଶଗଡ଼ଗୁଡ଼ାକ ଦୂରକୁ ଦୂରକୁ ଅପସରି ଗଲେ । ଦୂରାନ୍ତରର ଧୂଆଁଳିଆ ପାହାଡ଼ଟି ଯେଉଁଠି ଶିଶୁବୋଧର ଓଟ ଭଳି ନିଶ୍ଚଳ ଭାବରେ ଠିଆହୋଇଛି, ସେଇଠି ଆକାଶ ଓ ପାହାଡ଼ର ବର୍ଣ୍ଣ ଭିତରେ ବିନ୍ଦୁ ବିନ୍ଦୁ ଶଗଡ଼ଗୁଡ଼ିକ ଅଦୃଶ୍ୟ ହୋଇଗଲା । ଉମି ତେବେ ବି ଚାହିଁରହିଲା ବହୁତ ସମୟ-

 

ସର୍କସର ଧୂମ୍‍ଧାମ୍‍ ନିସ୍ତବ୍ଧ ହୋଇଗଲା । ଗ୍ରାମ ଦେବତୀ ଦେଉଳ ସମ୍ମୁଖର ପଡିଆଟା ପୁଣି ଧୁ ଧୁ କଲା । ସର୍କସ ଉପଲକ୍ଷେ ଯେଉଁ ଦୁଇଟା ପାନବିଡ଼ିର ଦୋକାନ ଗଜୁରି ଉଠିଥିଲା ତା’ବି କ୍ରମେ ଅଦୃଶ୍ୟ ହେଲା । କେବଳ ଏକ ଯାଯାବର କିଶୋରର ଜୀବନ ସଙ୍ଗୀତ ଗୋଟାଏ ସ୍ଥାୟୀ ମୂର୍ଚ୍ଛନା ରଖିଗଲା ଦୂର ପଲ୍ଲୀର ଏକ ନିଛାଟିଆ ହୃଦୟ ଭିତରେ ।

 

ଉମିର ଜୀବନ-ଧାରା କିଛିଦିନ ବଡ଼ ଶିଥିଳ ହୋଇପଡ଼ିଲା । ଦୂର, ବହୁଦୂର, ଆହୁରି ସୁଦୂର କେତେ ସହର, ଗାଆଁ, ପାହାଡ଼, ନଈ, ସମୁଦ୍ର ଉପକଣ୍ଠରେ ଖେଳ ଦେଖାଇ ଚାଲିଛନ୍ତି ସେଇ ସ୍ଵୟଂ ସମ୍ପୂର୍ଣ୍ଣ ଏକ ଭ୍ରାମ୍ୟମାଣ ଦଳ । ନୂଆ ନୂଆ ସ୍ଥାନ, ନୂଆ ନୂଆ ଦର୍ଶକ, କେବଳ ପୁରୁଣା ସେଇ କସରତ୍ । କୃତ୍ରିମ ଦାଢ଼ି ଖଞ୍ଜି ବୟସ୍ୟ ବିକୃତ ସ୍ଵରରେ ଇଂରାଜୀ ଗୀତ ଗାଇ ସମସ୍ତଙ୍କୁ ହସାଉଛି । ସେଇ ପାତିମାଙ୍କଡ, ମେଲେରିଆ-ପ୍ରକମ୍ପିତ ଭାଲୁ ଆଉ ଭାଲୁଠୁଁ ବି ମୋଟି ସେଇ ଅଦ୍ଭୁତ ମାଇକିନିଆଟା ବାଘ ଗଳାରେ ହାତ ଛନ୍ଦି, ତାକୁ ଗେଲବସର କରି ସମସ୍ତଙ୍କୁ କାବା କରିଦେଉଛି ।

 

ଆଉ ଏହିସବୁ ଅଭ୍ୟସ୍ତ ଦୃଶ୍ୟର ସ୍ମୃତି ଭିତରେ ପ୍ରଜ୍ଜୋଳ ହୋଇଉଠେ, ଗୋଟିଏ ଅଶାନ୍ତ ତରୁଣ ରେଲିଙ୍ଗ ବାହି ଉପରକୁ ଉଠିଯାଉଛି । ତାର ନିର୍ଭୟ ପତଳା ତନୁ ଯେପରି ବିଦ୍ୟୁତ୍ ଭଳି ଶୂନ୍ୟକୁ ଥଟ୍ଟାକରି ଏକ ପରେ ଏକ କସରତ୍ ଦେଖାଇ ଚାଲିଛି । ଦୁର୍ଘଟଣା ସହ ତା’ର ସେଇ ବିପଜ୍ଜନକ ଲଢ଼େଇର ଦୃଶ୍ୟ କୌତୁହଳୀ ଜନତା ଉପଭୋଗ କରୁଛି ।

 

ପ୍ରତ୍ୟହ ସୂର୍ଯ୍ୟାସ୍ତରେ ଉମିର ଛାତି ଭିତର ଚାଉଁକିନା ଲାଗେ । ଏତିକିବେଳେ ସର୍କସପାର୍ଟି କେଉଁଠି ଆୟୋଜନ କରୁଥିବେ ସେମାନଙ୍କର ପ୍ରଦର୍ଶନୀ ପାଇଁ ସନ୍ୟାସୀ ଗେଟ୍ ପାଖରେ ଠିଆହୋଇ ସାରିବଣି । ଭାଲୁକୁ ପେଣ୍ଟ, କୁରୁତା ପିନ୍ଧା ହେଉଥିବ । ଭାଲୁଠୁଁ ମୋଟି ବୁଢ଼ୀଟି ତାର ଫାଲୁକା ମୁହଁରେ ପଲସ୍ତରା ପରେ ପଲସ୍ତରା ପାଉଡ଼ର ମଡ଼ାଉଥିବ ।

 

ଦିନ, ମାସ ଆଉ ବର୍ଷ ଏକ ପରେ ଏକ ବିତିଗଲା । ବର୍ଷେ, ଦୁଇବର୍ଷ ଆଉ ତିନିବର୍ଷ । ଉମିର ପତଳା ସରୁ ଦେହଟା ଉପରେ ଇତିମଧ୍ୟରେ ବହୁ ପଲସ୍ତରା ପଡ଼ିଛି । ଆଉ ଅତୀତର ଦୁଃଖ, ସୁଖ, ଆଘାତ ଉପରେ ବସିଯାଇଛି ନୂଆ ନୂଆ ଚମକ ଓ ଅନୁଭୂତିର ଆବରଣ । ଏମିତି ଏକ ଦିନରେ ହଠାତ ପାରେଶ୍ଵର ଗାଁରେ ପୁଣି ଆଲୋଡ଼ନ ଖେଳିଗଲା । ସେଇ ତିନିବର୍ଷ ତଳର ସର୍କସପାର୍ଟି – ଦି ଗ୍ରେଟ୍ ଧନଲକ୍ଷ୍ମୀ, ପୁଣି ଶୁଭାଗମନ ଘୋଷଣା କରିଛି । ନାଗରାବାଲାର ଡୁମ୍ ଡୁମ୍ ଶବ୍ଦ ଉମିର ଛାତି ଭିତରୁ କେତୋଟି ପ୍ରସ୍ଥ ଓଲଟାଇ ଦେଇଗଲା ।

 

“ମା ! ପୁଣି ସେଇ ସର୍କସ ଆସୁଛି ।“

 

“ହଁ-ପଲ୍‍ଟୁ କେଡ଼େ ବଡ଼ ହେଇଯିବଣି ୟା’ଭିତରେ ।“ ଉଦ୍‍ବିଗ୍ନ ଉମି ଅପେକ୍ଷା କରେ । ଡ୍ରମ ଶବ୍ଦର ତାଳେ ତାଳେ ଧୂଳିର ଧ୍ଵଜା ଉଡ଼ାଇ ଶଗଡ଼ଗୁଡ଼ିକ ଆସି ଚୌଧୁରୀଘର ଦଲାଣରେ ଥୟ ଧରିଲେ ।

 

ତିନିବର୍ଷ ତଳେ ହୋଇଥିଲେ ଉମି ଏତେବେଳକୁ ହୁଏତ ଦଲାଣ ପଛପଟେ ଉଙ୍କିମାରି ଆସନ୍ତାଣି । ଆଜି କିନ୍ତୁ ସେ ଅପେକ୍ଷା କଲା । ଦିପହରର ନୀରବତା ଘଞ୍ଚ ହୋଇଆସିଲା । ପିଜୁଳି ଗଛ ତଳେ ଛିଡ଼ାହୋଇ ଉମି ତିନୋଟି ସୁନ୍ଦର ପିଜୁଳି ତୋଳି ଅପେକ୍ଷା କଲା । ଇମିତି ସମୟରେ ଏଇଠି ତାର ନିତି ଦେଖାକରିବାର ବେଳ । ପଲ୍‍ଟୁ କଦାପି ଭୁଲିନଥିଲା ସେ କଥା ।

 

“କି’ରେ । କିମିତି ଅଛୁ ? କେଡ଼େ ବଡ଼ଟେ ହେଲୁଣି ।“ସର୍କସର ଗେଟ୍‍କିପର ବୁଢ଼ା ତାକୁ ସନ୍ୟାସୀ ତାକୁ ଚିହ୍ନି ପକାଇଛି । ଉମି ଭାରି ଖୁସିହୋଇ ବୁଢ଼ାକୁ ଜୁହାର କଲା ।

 

“କାଲି ସର୍କସ ଆରମ୍ଭ । ଯିବୁ ନିଶ୍ଚୟ ମା । ତୋ ମା କିମିତି ଅଛନ୍ତି ?”

 

“ନିଶ୍ଚୟ”-ଟିକିଏ ରହିଯାଇ ବୁଢ଼ା କହିଲା । “ଆହା ! ପିଲାଟିକୁ ତୋ ମା କେତେ ସ୍ନେହ କରୁଥିଲେ । ପଲ୍‍ଟୁ କଥା କହୁଛି ।“

 

ଉମି ଛେପଢ଼ୋକି କହିଲା – “ସେ ଏତେବେଳ ଯାଏ ବିଶ୍ରାମ କରୁଛନ୍ତି ?”

 

ବୁଢ଼ା ଦାଣ୍ଡେ ରହି କହିଲା-“ହଁ’ ମା, ବିଶ୍ରାମ କରୁଛି । ଗଲାବର୍ଷ ଗୋଟେ ଜାଗାରେ ଖେଳ କରୁ କରୁ ଶୂନ୍ୟରୁ ପଡ଼ିଯାଇ ତାର ଛାତି ବନ୍ଦ ହୋଇଗଲା । ଛାଡ଼ ! ହଉ ମା, ମୁଁ ପରେ ଆସିବି ।“

 

ବୁଢ଼ା ଚାଲିଗଲା ।

 

ଉମିର ପାପୁଲିରୁ ଫଳ ତିନିଟା ତଳେ ବାଲିଉପରେ ପଡ଼ି ସ୍ଥବିର ହୋଇ ରହିଗଲା ।

***

 

ଜହ୍ନ ଓ ଜ୍ୟୋତ୍ସ୍ନା

 

ଧରିତ୍ରୀର ମର୍ମଦେଶ ଫୁଲାଇ ଫୁଲାଇ ମୂର୍ଚ୍ଛନା ତୋଳୁଥିଲା ମଲ୍ଲିଫୁଲ ଭଳି ସ୍ନିଗ୍ଧ ଓ ଗହଳ ଜ୍ୟୋତ୍ସ୍ନା । ମନ୍ଥର ପବନର ଦୁର୍ବଳ ଲହରୀ ଉପରେ ଭରାଦେଇ ଭାସି ଆସୁଥିଲା ବିରାଟ ରାଜପ୍ରାସାଦର ଏକ ଦୂରପ୍ରାନ୍ତରୁ କ୍ଷୀଣ ସାହାନାଇର ସ୍ଵର । ପ୍ରାସାଦ ଶିଖରର ଏକ ପରିତ୍ୟକ୍ତ କୋଣରେ ବସି ସନ୍ତ୍ରସ୍ତ ରାଜକୁମାର ସମସ୍ତ ଉତ୍କଣ୍ଠା ଜୋର୍‍ରେ ଚାପିରଖି ପ୍ରଶ୍ନକଲେ- “ନ ହେଲେ ନନ୍ଦା ।“

 

ପଲ୍ଲବର ଆବରଣମୁକ୍ତ କମଳିନୀ ଭଳି ତରୁଣୀ ନନ୍ଦା ନିଜ ବାହୁଗ୍ରନ୍ଥିରୁ ମୁହଁ ଅଲଗାକରି ରାଜକୁମାରର ନୟନରେ ଦୃଷ୍ଟି ନିବଦ୍ଧ କଲା । ତା’ର ଅଶ୍ରୁ-ଓଦା ମୁହଁ ଉପରେ ଜ୍ୟୋତ୍ସ୍ନା ମଖାଇ ଦେଉଥିଲା ସୁନାର ଫଗୁ । କୋହ ଚାପି ରଖିବାର ଚେଷ୍ଟାକରି ସେ କହିଲା –“ଏ ପ୍ରଶ୍ନ ବି ମୋତେ ଶୁଣିବାକୁ ହେଲା କୁମାର !”

 

ନିରୁତ୍ତର କୁମାରକୁ ଚାହିଁ ସେ କହିଲା ପୁଣି –“ହଁ, ନ ହେଲେ ସ୍ଵୟଂ ମହାରାଜାଙ୍କ ଛାମୁରେ ମୁଁ ନ୍ୟାୟପ୍ରାର୍ଥିନୀ ହେବି । ମୋ ନିଜ ପ୍ରତି ମୁଁ ଅନ୍ୟାୟ କରିବାକୁ ଚାହେଁନା । ତା’ଛଡ଼ା ତୁମେ ତ ଜାଣ କୁମାର–“ । ଅଧର ଦଂଶନକରି ନନ୍ଦା ନୀରବ ହେଲା ।

 

ରାଜକୁମାର ଜାଣେ – ତା’ର ସଂଗୁପ୍ତ ପ୍ରେମର ବିଶ୍ୱବ୍ୟାପୀ ରୂପନେଇ ନନ୍ଦାର ଗର୍ଭରେ ଅନାଗତର ଭୂମିକା । ବିବ୍ରତ କୁମାରର ଆଖିରେ ବିବର୍ଣ୍ଣ ହୋଇ ଆସେ ଚନ୍ଦ୍ରମା । ସେ କଳ୍ପନା କରିବାକୁ ବି ଭୟ ପାଏ । ରାଜଦରବାରରେ ନନ୍ଦାର ଫରିୟାଦ, ଆସନ୍ନ ଉତ୍ସବ ଆଶାରେ ଉନ୍ମତ୍ତ ସଭାସଦବର୍ଗଙ୍କ ଆଖିରେ ନିର୍ବାକ ବିସ୍ମୟ, କ୍ରୋଧରୁକ୍ଷ ମହାରାଜାଙ୍କ ଆଦେଶରେ ଧୃଷ୍ଟା ନନ୍ଦାର ହୁଏତ ସୁକଠୋର ଦଣ୍ଡ ହୋଇପାରେ, କିନ୍ତୁ ତୁଣ୍ଡବାଇଦର କରାମତିରେ ଏ ଅପକୀର୍ତ୍ତିର କାହାଣୀ ଯଦି ଯାଇ ଡିଣ୍ଡିମ ପିଟେ ସୁଦୂର କୁଶାଳୀ ନଗରୀର ଅପରୂପ ଲାବଣ୍ୟ-ଧନ୍ୟା ରାଜଦୁଲାଳୀ ପାଖରେ, ଯାହା ସହ ରାଜକୁମାରର ପରିଣୟ ମାତ୍ର ଆଉ ସାତଟି ଦିନପରେ ?

 

ନନ୍ଦାର ଅବିନ୍ୟସ୍ତ କେଶଗୁଡ଼ିକ ଥରି ଥରି ଉଠୁଥିଲା ମୃଦୁ ପବନର ହସ୍ତକ୍ଷେପରେ ।

 

“ନନ୍ଦା !”

 

ନନ୍ଦା ମୁହଁ ତୋଳି ଚାହିଁଲା । ରାଜକୁମାରର ଅଧରରେ ଫୁଟିଛି ହସ, ଯେଉଁ ହସ ଏଇ ଜ୍ୟୋତ୍ସ୍ନାଠୁଁ ବି ସୁନ୍ଦର ନନ୍ଦାର ଆଖିରେ ।

 

ପୁଷ୍ପାଞ୍ଜଳି ଭଳି ନନ୍ଦାର ମୁହଁ ଉଭୟ ହାତରେ ତୋଳିଧରି ରାଜକୁମାର କହିଲେ –“ରାଗିଲ ନନ୍ଦା ! ତୁମେ ବିଶ୍ଵାସ କରିପାରୁଛ – ମୁଁ ତୁମ ସହ ପ୍ରତାରଣା କରିବି ! ମୋ ପ୍ରତି ତୁମର ଏ ସନ୍ଦେହରେ ଅଭିମାନ କରିବା କଥା ମୋର । ମିଥ୍ୟା ରଟନାରେ ଭୁଲି ଶ୍ରୀପୁରୁଠୁଁ ଏତେଦୂର ଦୌଡ଼ିଆସିଲ !”

 

ବର୍ଷକ ତଳେ, ଯେତେବେଳେ ଶ୍ରୀପୁରଗଡ଼ ଦର୍ଶନ କରିବାକୁ ଯାଇ ସେଠାରେ ଭୟାବହ ବସନ୍ତରେ ଆକ୍ରାନ୍ତ ହୋଇଥିଲେ ରାଜପୁତ୍ର, ସାମାନ୍ୟ ନାଏବର ଝିଅ ଏଇ ନନ୍ଦା ! ସେତେବେଳେ ସେ ସାବିତ୍ରୀର ପ୍ରତିଜ୍ଞା ନେଇ କୁମାରର ମୃତ୍ୟୁକୁ କରିଥିଲା ପରାଭୂତ । ଜୀବନ ଫେରିପାଇଥିଲେ ସିଏ, କିନ୍ତୁ ନନ୍ଦାର ଅଞ୍ଚଳରେ ମାନସ ବନ୍ଧକ ରଖି । ତା’ ପରଠୁଁ ଆଜିଯାଏ, ନାନା ରାଜକାର୍ଯ୍ୟର ଛଳରେ ବାରମ୍ବାର ରାଜପୁତ୍ରକୁ ଯିବାକୁ ପଡ଼େ ଶ୍ରୀପୁର, ଆଉ ସାମାନ୍ୟ ନାଏବ-ଦୁହିତାର ଆଖିରେ ଜମାଟବାନ୍ଧେ ରାଣୀହଂସପୁରର ଝଲସିତ ସ୍ଵପ୍ନ ।

 

“ଉପାୟ ନାହିଁ ବୋଲି ଆଜିଯାଏ ଅପେକ୍ଷା କରିଥିଲି ନନ୍ଦା ! ମହାରାଜାଙ୍କ ପାଖରେ ବାରମ୍ବାର ମୋର ପ୍ରାର୍ଥନା ବ୍ୟର୍ଥ ହୋଇଛି । କୁଶାଳୀର ରୂପସୀ ସ୍ଵପ୍ନାକୁ ପୁତ୍ରବଧୂ କରି ଆଣିବା ପାଇଁ ସେ ନିଶ୍ଚିତ । ତେଣୁ ଆମର ଶେଷ ଉପାୟ-

 

କୁମାରର କେଶରାଶିରେ ଅଙ୍ଗୁଳି ସଂଚାର କରୁ କରୁ ବିମୁଗ୍ଧା ନନ୍ଦ ଶୁଣୁଥିଲା ଶେଷ ଉପାୟ ସମ୍ପର୍କରେ ରାଜକୁମାରର ନିର୍ଦ୍ଦେଶ । ପ୍ରେମର ସମ୍ମାନ ପାଇଁ ରାଜ୍ୟ ପରିତ୍ୟାଗ କରିବାକୁ ବି ଯୁବରାଜ ପ୍ରସ୍ତୁତ ।

 

“ତୁମେ କେତେ ଭଲ, କେତେ ସୁନ୍ଦର ରାଜପୁତ୍ର !” ବାହୁପାଶରୁ ନନ୍ଦାକୁ ମୁକ୍ତିଦେଇ ରାଜପୁତ୍ର କହିଲା-“ଆଜି ତୁମେ ଶ୍ରୀପୁର ଲେଉଟି ଯାଅ ନନ୍ଦା ! ଆଉ ମୁଁ ଯାହା କହିଲି, ମନେ ରଖିଥିବ ।

 

ଆଉ ଦୁଇଟି ରାତ୍ରିର ଅବସାନ ପରେ ତୃତୀୟ ପ୍ରଭାତରେ ଯୁବରାଜର ବିବାହ କ୍ଷଣ । ରାଜ୍ୟର ସମସ୍ତ ସମ୍ଭ୍ରାନ୍ତ କର୍ମଚାରୀ ନିମନ୍ତ୍ରିତ ହୋଇ ନଅରକୁ ଯାଇଛନ୍ତି । ଶ୍ରୀପୁରର ବିଶ୍ଵସ୍ତ ବୃଦ୍ଧ ନାଏବ ମଧ୍ୟ ସ୍ଵଗ୍ରାମରୁ ଅନୁପସ୍ଥିତ ।

 

ରାତ୍ରିର ପ୍ରଥମ ପ୍ରହର ବିତିଗଲା । ଶ୍ରୀପୁରଗଡ଼ର ଉଦ୍ୟାନ ପଛପଟେ ଏକ କୃଷ୍ଣବର୍ଣ୍ଣର ଗାଡ଼ିଆସି ଅନ୍ଧାର ଭିତରେ ଆତ୍ମଗୋପନ କରି ଛିଡ଼ାହେବା ମାତ୍ରେ ଏକ ଚଞ୍ଚଳା ତରୁଣୀ କ୍ଷୀପ୍ରଗତିରେ ଉଠିଗଲା ଭିତରକୁ । ହରିଣର ଗତିକୁ ବିଦ୍ରୂପ କରି ଅଶ୍ଵ ଛୁଟିଚାଲିଲା ବିପରୀତ ଦିଗରେ । ଦୁଃସାହସିନୀ ନନ୍ଦା ଜାଣେ– ପ୍ରତିଜ୍ଞା ରକ୍ଷାକରି ଏତିକିବେଳେ ଯୁବରାଜ ବି ବାହାରି ଆସିଥିବେ ରାଜଦୁର୍ଗରୁ । ଆଉ ଛୁଟି ଚାଲିଥିବେ ସୀମାନ୍ତ ଅଭିମୁଖେ ।

 

ଆଉ କେତୋଟି ଘଣ୍ଟା । ଆଗାମୀ କାଲି ସନ୍ଧ୍ୟାରେ ଉତ୍ସବମୁଖର ରାଜ୍ୟର ସୀମା ଟପି ମିଳିତ ହେବେ ପ୍ରେମିକ-ପ୍ରେମିକା ।

 

ମଝିରେ ଥରେ ଅଶ୍ଵ ପରିବର୍ତ୍ତନ କରି ଛୁଟିଚାଲିଲା ଗାଡ଼ି । ଛୁଟି ଚାଲିଥିଲା ସମଗ୍ର ରାତି ଆଉ ତା’ ପରର ଦିନସାରା ବ୍ୟାପି !

 

କୁଶାଳୀର ଅନିନ୍ଦ୍ୟାସୁନ୍ଦରୀ ରାଜକନ୍ୟା ସହ ପ୍ରଭାତରେ ଯଥାବିଧି ମଙ୍ଗଳକାର୍ଯ୍ୟ ନିର୍ବାହିତ ହେବାପରେ ଅଳ୍ପାଲୋକିତ ବାସରଭବନରେ ରାଜକୁମାର ସ୍ଵପ୍ନାର ଚିବୁକ ତୋଳିଧରିଲେ –“କୁହ ପ୍ରିୟତମା ! ତୁମର ଏ ଦାନସମ୍ଭାର ଆଜିଯାଏ ଅସ୍ପୃଷ୍ଟତ !”

 

ସ୍ଵପ୍ନାର ସ୍ଵପ୍ନିଳ ଆଖିପତାତଳେ ମୁହୂର୍ତ୍ତକ ପାଇଁ ନାଚିଉଠେ କୁଶାଳୀ ଦୁର୍ଗର ଏକ ସବଳ-ବାହୁ ଦୀର୍ଘ ଯୁବାର ଦେହ । ସେନାପତି ପୁତ୍ର ! ଆଜିର ଏଇ ପ୍ରାଚୁର୍ଯ୍ୟ ଭିତରେ ସ୍ଵପ୍ନା ଈଷତ୍ ଲଜ୍ଜା ଅନୁଭବ କରେ । ଯେଉଁ ଦେହର ମୂଲ୍ୟ ଏତେ ଅଧିକ, ତାକୁଇ ସେ ତୋଳିଧରିଥିଲା ସାମାନ୍ୟ ଏକ ସେନାପତିର ପୁତ୍ର ଆଗରେ ।

 

“ନୀରବ ରହିଲ ଯେ ? ଏ ଅକିଞ୍ଚନ ପ୍ରତି ତୁମର ଏ ଦାନସମ୍ଭାର ପୂର୍ବରୁ ଅଚୁମ୍ବିତା ତ-?”

 

“ଅଚୁମ୍ବିତା ପ୍ରିୟ ।“ କହିସାରି ଖୁସି ହୋଇଉଠେ ସ୍ଵପ୍ନା ।

 

ମୁଁ ବି ଶପଥକରି କହୁଛି ସ୍ଵପ୍ନା ! ମୋ ଜୀବନର ବାତାୟନରେ ତୁମେ ଇ ପ୍ରଥମ ରଜନୀଗନ୍ଧା ।

 

ସ୍ଵପ୍ନାର ଆଖି ଯୋଡ଼ିକରେ ବିଶ୍ଵାସର ପୂର୍ଣ୍ଣତା ଲକ୍ଷ୍ୟକରି ଖୁସି ହୋଇଉଠେ ରାଜକୁମାର !

 

ଆଦିଗନ୍ତ ଜ୍ୟୋତ୍ସ୍ନା – ପୃଥିବୀଠୁଁ ବହୁ ସହସ୍ର ମାଇଲ ଦୂରରେ ଚକ୍ ଚକ୍ ହସେ ଏକ ବିକଳାଙ୍ଗ ନିର୍ଜୀବ ଧାତୁପିଣ୍ଡ । ଚୋରିକଲା ଆଲୁଅର ସିଗ୍ନଧିମା ଦେଇ କେତେ ସହଜରେ ପ୍ରତାରିତ କରିପାରିଛି ବହୁ ଦୂରର ମାଟିର ପୃଥିବୀକୁ !

***

 

ରାୟବାହାଦୂରଙ୍କ ନିଶ

 

ଓଃ –ଦୀର୍ଘଦିନ ପରେ । ବାସ୍ତବିକ ଦୀର୍ଘଦିନ ପରେ । ସମୟର ବିରାମ ବିହୀନ ସୁଅରେ ଇତିମଧ୍ୟରେ କେତେଥର ପୁର୍ଣ୍ଣିମାର ଚାନ୍ଦ ମୁଣ୍ଡଟେକି ବୁଡ଼ିଗଲାଣି ।

 

ସମସ୍ତେ ଉଦ୍‍ଗ୍ରୀବ ହୋଇ ବସିଛନ୍ତି । ବାସ୍ତବିକ କେତେ ଦୀର୍ଘଦିନ ପରେ ।

 

ଦୀର୍ଘଦିନ ପରେ ଆଜି ପାରେଶ୍ଵରର ଜମିଦାର ରାୟ ଶ୍ରୀ ଶଙ୍ଖନାଦ ଚୌଧୁରୀ ବାହାଦୂର ତାଙ୍କର ନିଶ ଦାଢ଼ି କାଟିବେ । ପର୍ବତ ଶୃଙ୍ଗ ଭଳି ନାଶିକା ତଳର ଉପତ୍ୟକାରେ ବଢ଼ିଉଠିଛି ଅପର୍ଯ୍ୟାପ୍ତ ଫସଲ ଆଉ ଚିବୁକ ତଳେ ଝୁଲନ୍ତା ବଗିଚା । ଚୌଧୁରୀଙ୍କର ମସୃଣ ଗାଲପାଟି ଉପରେ ଭୟାବହ ଏକ୍‍ଜିମାର ଉତ୍ପାତ ଯୋଗୁଁ କେତେମାସ ଧରି କ୍ଷୁର ବିଚରଣ କରିପାରି ନ ଥିଲା । ଅତି ସନ୍ତର୍ପଣରେ ଜଟି ବାରିକ ଦାଢ଼ିତକ ମସୃଣ କରିଦେଲା । ନାସା-ପର୍ବତର ଗୁମ୍ଫାଯୋଡ଼ିକ ତଳେ ଯେଉଁ ଉଦ୍ଧତ ଗୁମ୍ଫା, ତାକୁଇ ନେଇ ଦେଖାଦେଲା ଏଥର ସମସ୍ୟା ।

 

ଗମ୍ଭୀର ନାଏବବାବୁଙ୍କୁ ଲକ୍ଷ୍ୟକରି ସୁଗମ୍ଭୀର ଭାବରେ କହିଲେ ଶଙ୍ଖନାଦ ବାବୁ–“ପୂର୍ବଭଳି ନ ରଖି ଏଥର ଗୋଟିଏ ନୂଆ ଢାଞ୍ଚାରେ ନିଶ ରଖାଯାଉ । ନା କ’ଣ ହେ ନାଏବ-! ହାଃ –ହାଃ –“ ଅନେକଗୁଡ଼ିଏ ଉଦ୍‍ଗ୍ରୀବ କଣ୍ଠର ଅର୍କେଷ୍ଟ୍ରା ଶୁଣାଗଲା । ନାଏବବାବୁ କହିଲେ– ଆଜ୍ଞା – ହଁ । ତହସିଲଦାର କହିଲେ – ଠିକ୍ ହଜୁର । ଉସ୍ତାଦ ଜବ୍‍ବର ଅଲ୍ଲୀ କହିଲେ– ବହୁତ ଆଚ୍ଛା । ଆଉ ଜଣେ ଦୁଇଜଣଙ୍କର କଣ୍ଠସ୍ଵର ନିଶ୍ଚିହ୍ନ ହୋଇଗଲା । ଶେଷରେ ଦୁଇ ସେକେଣ୍ଡ ପରେ ଦୁଇଥର ଛେପ ଢୋକି ବିକଳ କଣ୍ଠରେ ଗାଁ ମାଇନର ସ୍କୁଲର ହେଡ଼ମାଷ୍ଟର କହିଲେ –ଠିକ୍ କହିଲେ ସାର୍ । ଇଏସ୍ ଆଜ୍ଞା ।

 

ଜଟି ବାରିକ ତା’ର କ୍ରମବର୍ଦ୍ଧିଷ୍ଣୁ ହୃତ୍‍ସ୍ପନ୍ଦନକୁ ଚାପିରଖି ଉଦ୍ୟତ କ୍ଷୁରଧରି ଅପେକ୍ଷା କଲା । ଶଙ୍ଖନାଦ ବାବୁ ବହୁ ଦିନର ଅର୍ଜିତ ନିଶରେ ବିଲେଇ ଆଉଁସିଲା ଭଳି କର ସଞ୍ଚାଳନ କଲେ-। “ଏଥର ଆମ ପୂର୍ବପୁରୁଷମାନଙ୍କ ଭଳି ସେଇ ପ୍ରକାଣ୍ଡ ନିଶରଖି ଲାଭ ନାହିଁ ।“

 

ପୁଣିଥରେ ଶୁଭିଲା–“ଠିକ୍ ହଜୁର, ବହୁତ ଆଚ୍ଛା, ଆଜ୍ଞା ହଁ, ଇତ୍ୟାଦି ଏବଂ ଶେଷରେ–“ଠିକ୍ କହିଲେ ସାର୍, ଇଏସ ଆଜ୍ଞା ।“

 

ଦୁଇହାତ ବିଛୁଆତି ଲାଗିଲାଭଳି ଦଳି ଦଳି ତହସିଲଦାର କହିଲେ-“ନିଶର ପରିମାଣ କମାଇଦେବା ଆଜିକାଲି ଉଚିତ ବିବେଚନାର କଥା ହଜୁର । ଏଇ ଦେଖନ୍ତୁ, ସମ୍ରାଟ ସପ୍ତମ ଏଡ଼ୱାର୍ଡ଼ ରଖିଥିଲେ ପ୍ରଚୁର ନିଶ ଦାଢ଼ି – ତାଙ୍କ ପୁଅ ପଞ୍ଚମ ଜର୍ଜ ତାକୁ ସଙ୍କୁଚିତ କରିନେଲେ । ତାଙ୍କ ପୁଅ ଷଷ୍ଠ ଜର୍ଜ ଟୋକା କାଳେ କିଞ୍ଚିତ ନିଶ ରଖୁଥିଲେ ମାତ୍ର ।

 

“ହାଃ- ହାଃ –ବହୁତ ଖବର ରଖିଚତ ନିବାରଣ ।“ ଉସ୍ତାଦ୍‍ଜୀ କହିଲେ –“ସାବାସ୍ ବେଟା”

 

ତହସିଲ୍‍ଦାର ନିବାରଣର ହାତ ଦଳିବାର ଗତି ଅକସ୍ମାତ୍ ପ୍ରବଳ ଭାବରେ ବୃଦ୍ଧିଲାଭ କଲା । ଆଉ ଆପ୍ୟାୟିତ ମୁହଁରୁ ବାହାରିଲା –“ ହଁ, ହଜୁର୍ ।“

 

ଜମିଦାର ଇଶାରା କଲେ । ଜଟି ବାରିକ କଇଁଚିଟା ମୁଣ୍ଡରେ ଛୁଆଇଁ ଆବାଦ୍ ଆରମ୍ଭକଲା । ହଠାତ ମଝିରେ ଜମିଦାରବାବୁ ପାଟିକଲେ -”ଥାମ” ।

 

ଘଞ୍ଚ୍‍କରି ଜଟିର ଯନ୍ତ୍ର ଥମିଗଲା । ସଙ୍ଗେ ସଙ୍ଗେ ତା’ ହୃତ୍‍ପିଣ୍ଡ ବି ଥମିଯିବା ଅବସ୍ଥାକୁ ଆସିଲା । ଶଙ୍ଖନାଦ ବାବୁ ଅଇନାରେ ଗୁମ୍ଫ ନିରୀକ୍ଷଣ କଲେ । ପ୍ରଜାବିଦ୍ରୋହରେ ଇତଃସ୍ତତ ବିଧ୍ଵସ୍ତ ଜମିଦାରୀ ଭଳି ଜମିଦାରବାବୁଙ୍କ ନିଶ ବି ଜଟିର ଯନ୍ତ୍ରାଘାତରେ କ୍ଷୟିଷ୍ଣୁ ହୋଇଆସୁଛି ।

 

“କି ପ୍ରକାର ନିଶ ଆମ୍ଭେ ରଖିବୁ ?”

 

ସମସ୍ତଙ୍କ ମୁହଁରେ ଚିନ୍ତାର ଆଭାଷ । ନାଏବ ବାବୁ କହିଲେ,-“ଏଇମାନେ କରନ୍ତୁ ହଜୁର, ପ୍ରଜାପତିଆ ନିଶ ରଖିଲେ-“

 

“ବେଶ୍ ବେଶ୍ ସେଇଆ କର, ବୁଝିଲୁ ?”

 

ଜଟି ମୁଣ୍ଡହଲାଇ କାମ ଆରମ୍ଭ କଲା । ଉପତ୍ୟକାର ଉଭୟ ପ୍ରାନ୍ତ ଆବାଦ କରି କରି ମଝିରେ ଗୋଟାଏ ତ୍ରିଭୁଜାକାର ସ୍ଥାନର ସୃଷ୍ଟିକଲା ।

 

ଶଙ୍ଖନାଦବାବୁ ଦର୍ପଣ ଦେଖି ପ୍ରସନ୍ନ ବଦନରେ ହଠାତ ଥିଓରି ଆଲୋଚନାରେ ମନୋନିବେଶ କଲେ । -“ ୟାର ନାମ ପ୍ରଜାପତିଆ ନିଶ କାହିଁକି ଜାଣିଛ ?” ଟିକିଏ ନୀରବ ରହି ପୁଣି କହିଲେ-“ ହୁଁ – ହୁଁ- ଜାଣିନ ? ଚର୍ଚ୍ଚିଲ ସାହେବ ଏଇଭଳି ନିଶ ରଖିଛି ବୋଲି ।“

 

ଆଜ୍ଞା, ହଁ ।-ସମବେତ ସୁର ସମର୍ଥନ କଲା ।

 

ନାଏବବାବୁର ଗୋଟାଏ ପୁଅ ଫିଫ୍‍ଥ କ୍ଳାସରେ ପଢ଼େ । ଶଙ୍ଖନାଦବାବୁଙ୍କ ସାନଝିଅ ଚେଙ୍ଗ ଜେମା ପାଖରେ ବସି ପଢ଼େ ବୋଲି ତାର ଟିକିଏ ସାହସ ବେଶି । ସେ ଧୀରେ ଧୀରେ କହିଲା–“ବାପା ! ଆମ ଇତିହାସ ବହିରେ ଚର୍ଚ୍ଚିଲର ଯେଉଁ ଫଟକ୍‍ ଅଛି ନା ! ସେଥିରେ ସେ ନିଶ ନ ଘେନି ବସିଛି ।“

 

ଅତ୍ୟୁଦବିଗ୍ନ ଚପାକଣ୍ଠରେ ନାଏବବାବୁ କହିଲେ,-“ଚୁପ୍” । ହେଡ୍‍ମାଷ୍ଟର କହିଲେ ବିରକ୍ତିପୂର୍ଣ୍ଣ ଗମ୍ଭୀର ଗଳାରେ– “ମୁଁ ଆସିବା ଆଗରୁ ଯେତେସବୁ ବାଜେ ବହି ଆମ ସ୍କୁଲରେ ଭର୍ତ୍ତି କରାହୋଇଛି ।“

 

ଏତିକିବେଳେ ଶଙ୍ଖନାଦବାବୁଙ୍କ ସାନ ଭାଇ ପାର୍ଥବାବୁ ବାହାରିଆସିଲେ–“ ଚର୍ଚ୍ଚିଲ୍ ନୁହେଁ ହିଟଲର୍ । ତେବେ ତା’ ନିଶର ଶେଷ ଅଂଶ ଦୁଇଟା ଏତେ ଗୋଜିଆ ନୁହେଁ । ଜଟିଆ ! କଇଞ୍ଚି ଧର ।“

 

“ହଁ – ହଁ – ଧର ଧର ।“ ବାବୁଙ୍କର ହୁକୁମ ହେଲା । ଜଟି କଇଁଞ୍ଚିଧରି ଉଭୟ କଡ଼ର ତୀକ୍ଷ୍‍ଣ ଅଂଶକୁ ଉଡ଼ାଇ ଦେଲା । ପାର୍ଥବାବୁ ଚଷମା ଠିକ୍ ଭାବରେ ଥୋଇ କହିଲେ,-“ଉହୁଁ, ଡାହାଣକଡ଼ ଆଉ ଥୋଡ଼ା କମ୍‍ତି ହେବ ।“

 

ଜଟି ଆଉଥରେ କଇଞ୍ଚି ଚଳାଇଲା । ଶଙ୍ଖନାଦବାବୁ ପାର୍ଥବାବୁଙ୍କଆଡ଼କୁ ନିଶଟାକୁ ଟେକିଧରିଲେ । ପାର୍ଥବାବୁ ଝୁଙ୍କିପଡ଼ି ଡାକିଲେ- “ହେଡ୍‍ମାଷ୍ଟର, ଶୁଣିଲ ।“ ହେଡ୍‍ମାଷ୍ଟର ଆସି ସସଙ୍କୋଚ ନଇଁପଡ଼ିଲେ । ପାର୍ଥବାବୁ କହିଲେ– “ଦେଖ ତ, ବାଁ ପାଖଟା କିଞ୍ଚିତ୍ ଲମ୍ବା ଦିଶୁନାହିଁ ?” ଆଖିରେ ହାତ ବୁଲାଇନେଇ ହେଡ୍‍ମାଷ୍ଟର କହିଲେ,- “ଠିକ୍ କହିଲେ ସାର୍“।

 

ଶଙ୍ଖନାଦବାବୁ ଗର୍ଜିଉଠିଲେ– “ଆବେ ଶଳା,ମନ ଦେଇ କାମ କର ।“

 

ଜଟି ଅତି ସାବଧାନରେ ବାଁ ପାଖରୁ କେଇ ଖିଅ କେଶ ଲୋପ କରିଦେଲା । ଏତେବେଳକୁ ସମସ୍ତେ ପାଖକୁ ଆସି ପ୍ରଶ୍ନଚିହ୍ନ ଭଳି ଜମିଦାରଙ୍କ ନିଶଉପରେ ଝୁଙ୍କିପଡ଼ିଥିଲେ ।

 

ନାଏବବାବୁ କହିଲେ- ଡାହାଣ ପାଖର ଉପର ଅଂଶଟା ଆଉ କିଛି ଆଣ୍ଟି ନଦେଲେ ହେବନି । ପାର୍ଥବାବୁ ବି ସମ୍ମତି ଦେଲେ । ଜଟି ଆଦେଶ ମାନିଲା । ଏଥର ହେଡ୍‍ମାଷ୍ଟର କହିଲେ, – “ଶ୍ମଶ୍ରୁର ମଧ୍ୟବର୍ତ୍ତୀ ଅଂଶରୁ କିଞ୍ଚିତ କେଶ ସଂହାର ହେବା ପ୍ରୟୋଜନ” । ଆଉ ଠିକ୍ ସେଇଆହେଲା ।

 

ଏତେବେଳେ ତହସିଲଦାର ପାଟି ଫିଟାଇଲେ – “ହଜୁର !, ଅସମାନ ଦେଖାଯାଉଛି ତେବେ ବି । ମୁଣ୍ଡକାଟ୍‍ ହେଲେ ବି ହଜୁର୍ ମା ବାପାଙ୍କ ଆଗରେ ସତ କହିବି ।“

 

ଶଙ୍ଖନାଦବାବୁ ଅସହାୟ ଆଖିରେ ନିଶହଳକ ପାର୍ଥବାବୁଙ୍କଆଡ଼େ ତୋଳି ଧରିଲେ । ଏଇ ସଙ୍କଟଜନକ ପରିସ୍ଥିତିରେ ସୁଦକ୍ଷ ସେନାପତି ଭଳି ପାର୍ଥବାବୁ ହୁକୁମ୍ ଦେଲେ –“ଜଟିଆ, ତୋର ହାତ ଥରୁଚି କାହିଁକି ବେ ? କହୁଣିଠୁ ଅପରେସନକରି ବରବାଦ କରିଦେବି ଜାଣିଥା । ଏଇ ଡାହାଣ ପାଖରେ ସମାନକରି କଇଞ୍ଚି ଚଳା ।“

 

ଫିସ୍‍ଫିସ୍ କରି ନାଏବର ପୁଅ କହିଲା,- “ବାପା, ଏଟା ବିଷମ ଚତୁର୍ଭୁଜ ନା ବର୍ଗକ୍ଷେତ୍ର-। ସେଣ୍ଟିମିଟରରେ ମାପିଦେଲେ ଜଣାପଡ଼ିଯିବ ।“

 

ନାଏବବାବୁ ପୁଅକୁ ଠେଲିଦେଇ ବୈଜ୍ଞାନିକର ବୀଜାଣୁ ଗବେଷଣାଭଳି ଆହୁରି ଝୁଙ୍କିପଡ଼ି କହିଲେ - "ଏଥର ଅନେକଟା ଠିକ୍ ହୋଇଆସିଛି ହଜୁର । ଆଉ ଟିକିଏ ପତଳା କରିଦେଲେ ହେଲା, ବିଶେଷତଃ ଦକ୍ଷିଣ ପାଖଟା ।"

 

ଯନ୍ତ୍ରବତ୍ ଜଟି ଜଟି ଦକ୍ଷିଣ ପାଖରେ କଇଞ୍ଚି ଲଗାଇଲା । ଏତେବେଳେ ଶଙ୍ଖନାଦବାବୁ ଦର୍ପଣ ଟେକିଧରି ଯାହା ଦେଖିଲେ –

 

ଦେଖିଲେ ବାଁ ପାଖରେ ଅଳ୍ପ କେତୋଟି ବାଳର ଚାରା ଅବଶିଷ୍ଟ । ଦକ୍ଷିଣ ଦିଗ ପୂରାପୂରି ନିର୍ମୂଳ । ଦର୍ପଣ ଖଣ୍ଡିକ ଦୂରକୁ ଫୋପାଡ଼ିଦେଇ ସେ ଉଠିପଡ଼ିଲେ । ବିସ୍ଫୋରଣ ପୂର୍ବରୁ ହିଁ ସଭାସଦ୍‍ବର୍ଗ ଛିଟିକିପଡ଼ିଲେ ନିରାପଦ ଦୂରତ୍ୱକୁ । ବିସ୍ଫୋରଣ ହେଲା ଜଟି ବାରିକ ଉପରେ । ଖିଅର କଲା ବାକ୍ସ ଉପରେ ପଦାଘାତ କରି ତା'ର କାନ ମୂଳରେ ଟାଇପ୍ କଲାଭଳି ପଟା ପଟ୍ କେତୋଟି ପ୍ରହାର ବସାଇଦେଲେ ଅତି ଜବର ଭାବରେ । ମିଆଁ ଜବର ଆଲି ଅଳ୍ପ ଦୂରରେ ରାଗ ମେଘମହ୍ଲାରର ଗୁଣୁ ଗୁଣୁ ସୁରଛାଡ଼ି କହିଉଠିଲେ,"ତୋବା ତୋବା, ଆଚ୍ଛା ମାଫକ୍ ହାତ୍ ମେରା ସାବ୍ କା ।"

 

ନାଏବବାବୁ ପାଟିକଲେ -"ଶଳା ଜଟିଆ, ତୋର ଟିକିଏ ଅକ୍‍କଲ ବି ନାହିଁ ?"

 

ତହସିଲଦାର କହିଲେ, "ଛୋଟଲୋକ୍ କାହାଁକା, ଖାଲି ବାରିକ ହେଲେ କି କ୍ଷର କରି ଜାଣିବ ! କଥାରେ ଅଛି ସ୍ଵଦେଶେ ପୂଜ୍ୟତେ ରାଜନ୍ -ଇଏ -ୟଁ ।"

 

ପାର୍ଥବାବୁ କହିଲେ, "ଇଡ଼ିୟୋଟ" । ସବା ପଛରୁ ହେଡ୍‍ମାଷ୍ଟର ମହୋଦୟ ଓଠରେ ଜିଭ ବୁଲାଇ ନେଇ ଦୁଇଥର ଚେଷ୍ଟାକରି କହିଲେ -"ଠିକ୍ କହିଲେ ସାର୍ ! ଇଏସ୍ ଆଜ୍ଞା !"

 

ଦୁଇଜଣ ଚାକରକୁ ହୁକୁମ ଦେଲେ ଶଙ୍ଖନାଦବାବୁ-" ଏ ଶଳାର ଯନ୍ତ୍ରପାତି ଛଡ଼ାଇ ରଖ ଆଉ ୟାର ନିଶ, ଦାଢ଼ି, ମଥା ସବୁ ନିର୍ବାଳ କରିଦିଅ ।"ଆସ୍ତେ ଆସ୍ତେ ସମସ୍ତେ ନିଷ୍କ୍ରାନ୍ତ ହୋଇଗଲେ । ଶଙ୍ଖନାଦବାବୁ ନିଜେ କ୍ଷୁର ଧରି ତାଙ୍କର କେତେମାସର ସଞ୍ଚିତ ଶ୍ମଶ୍ରୁର ଧ୍ଵଂସାବଶେଷ ଟିକକ ନିଃଶେଷ କରିଦେଲେ ।

 

କେତେଘଣ୍ଟା ପରେ ଅତି ଗମ୍ଭୀରହୋଇ ଶଙ୍ଖନାଦବାବୁ ଆରାମ ଚେୟାର୍‍ରେ ବସି ଭାବୁଥିଲେ ଆକାଶ ପାତାଳ । ଧୀରେ ଧୀରେ ପ୍ରବେଶ କଲେ ତହସିଲଦାର ନିବାରଣ ।

 

"ହଜୁର ! ମୁଁ କହୁଥିଲି କି ଦୁଃଖକରି ଲାଭ ନାହିଁ । ସମ୍ରାଟ ସପ୍ତମ ଏଡ୍--"

 

ମହାକାଳ ଫଳ ଭଳି ଆଖିକରି ଶଙ୍ଖନାଦବାବୁ କହିଲେ -"ଭାଗୋ"-

 

ଗୋଟାଏ ସ୍ପଞ୍ଜରୁ ସବୁ ଜଳ ହଠାତ ଚିପୁଡ଼ି ହୋଇଗଲା ଭଳି ନିବାରଣର ମୁହଁ ଶୁଖିଗଲା ।

 

ଅକସ୍ମାତ୍ ଜମିଦାରବାବୁ କହିଲେ-"କ'ଣ କହୁଥିଲ ! ରହି ରହି ଗୋଟିଏ ରିସ୍କ୍ ନେଲାଭଳି ନିବାରଣ କହିଲେ-"କହୁଥିଲି କି ହଜୁର ମା ବାପ, ନିଶ ଅଳ୍ପ ରଖିବା ଯିମିତି, ନ ରଖିବା ବି ସିମିତି ଆଜି ଆପଣଙ୍କ ଭଳି ରାଜାମହାରାଜାଙ୍କ ଅଭ୍ୟାସ ହେଲାଣି । ତେଣୁ ଶୋକ କରି ଲାଭ ନାହିଁ । ଏଇ ଦେଖନ୍ତୁ ହଜୁର ! ସମ୍ରାଟ ସପ୍ତମ ଏଡୱାର୍ଡ ବିପୁଳ ନିଶ ଦାଢ଼ିର ମାଲିକ ଥିଲେ । ତାଙ୍କ ପୁଅ ପଞ୍ଚମ ଜର୍ଜ ବେଳକୁ ନିଶ ବହୁତ କମିଗଲା, ତାଙ୍କ ପୁଅ ଷଷ୍ଠ ଜର୍ଜ ମଧ୍ୟେ ମଧ୍ୟେ କିଞ୍ଚିତ ରଖୁଥିଲେ । ଏକଥା ଆପଣଙ୍କୁ ସେତେବେଳେ କହିଥିଲି ।"

 

--"ହୁଁ"—

 

"କିନ୍ତୁ ଷଷ୍ଠ ଜର୍ଜଙ୍କ ପରେ ଯିଏ ଗାଦିରେ ବସିଛନ୍ତି ହଜୁର, ଛାମୁ କହିଲେ ମିଛ ମଣିବେ, ତାଙ୍କର ଜନ୍ମରୁ ନିଶ ଦାଢ଼ି ନାହିଁ ।"

 

"ହାଃ, ହାଃ, ବହୁ ସୁଖବର ଜାଣିଛ ତ ହେ ନିବାରଣ !"

 

"ହି ହଜୁର ।"

 

ପାରେଶ୍ଵରର ଜମିଦାର ରାୟ ଶ୍ରୀ ଶଙ୍ଖନାଦ ଚୌଧୁରୀ ବାହାଦୂରଙ୍କ ବଦନ-ବ୍ୟୋମରୁ ପୁଞ୍ଜିଭୂତ ବାଦଲ ଅପସରି ଯାଇ ତାହା ପୁନରାୟ ଉଜଳିଉଠିଲା ।

***

 

ଚୁପ୍ ସଇତାନ

 

ସଇତାନ ଅନେକ ପ୍ରକାର । ଖୋଲା ଖୋଲି ଯେ ମଣିଷକୁ ଖୁନ୍ କରିପାରେ ବା ଦାରୁଣ ଯନ୍ତ୍ରଣା ଦେଇ କଲବଲ କରିପାରେ, ସେ ସଇତାନ । କିନ୍ତୁ ସବୁଠୁ ମାରାତ୍ମକ ଯିଏ ଚୁପ୍ ସଇତାନ ।

 

ବିଶୁ ଦାସ ଏଇ ଶେଷ ଶ୍ରେଣୀର । ଏଡ଼େ ବଡ଼ ଭୟାବହ ଆବିଷ୍କାର ନାଥୁ ମହାନ୍ତି ହଠାତ କରିପକାଇ ନଥିଲା । ବହୁଦିନର ଘଟଣା ପରମ୍ପରାରୁ ନିର୍ଯ୍ୟାସ ସଂଗ୍ରହକରି ପରିଶେଷରେ ଏକଦା ନିଜର ଲୁଗା ଦୋକାନରେ ବସି ସେ ସିଦ୍ଧାନ୍ତଟି ଘୋଷଣାକଲା-" ବିଶୁଆଟାକୁ କମ୍ ପାଇଚ କି ? ଶଳାସଇତାନର ସଇତାନ, ଚୁପ୍ ସଇତାନ ।"

 

ଏହା ପରେ ଉକ୍ତ ବିବୃତି ଉପରେ ସମବେତ ଖାତକମାନେ ଆଲୋଚନା କରି ଯଥାସମୟରେ ଏକମତ ହୋଇଗଲେ । କାରଣ ଆଜିକୁ ପାଞ୍ଚଦିନ ହେଲା ଜଗଦୀଶ ସାହୁର ଯେଉଁ ପଢୁଆ ଦୁହାଁଳ ଗାଈଟା ଦୁଧ ଦେଉନି, ହିସାବକରି ସଙ୍ଗେ ସଙ୍ଗେ ଦେଖାଗଲା ଯେ- ହଁ, ଗାଈ ପ୍ରଥମ ଯେଉଦିନ ତରସିକରି ପଘା ଛିଡ଼ିଲା, ସେଦିନ ସକାଳେ ଏକା ବିଶୁ ଦାସ ଗୁହାଳ ଆଗଦେଇ ଦୁଇଥର ଯିବାଆସିବା କରିଥିଲା । ସୁତରାଂ ଦୁଧ ବନ୍ଦ କରିଥିବାର ଏହି ପ୍ରତ୍ୟକ୍ଷ ପ୍ରମାଣ ଜଗଦୀଶ ସାହୁ ଧାରଖାତାରେ ନିଜ ନାମ ଚଢ଼ାଉଁ ଚଢ଼ାଉଁ ଉପସ୍ଥାପିତ କଲା ।

 

ଅଧଘଣ୍ଟାଏ ଭିତରେ ବିଶୁଦାସ ସମ୍ପର୍କୀୟ ଏଇ ନୂତନ ତଥ୍ୟ ଗାଁର ଆବାଳ ବୃଦ୍ଧ ବନିତା ମହଲରେ ବେଶ୍ ପ୍ରତିକ୍ରିୟା ଓ ବିସ୍ମୟ ସୃଷ୍ଟି କଲା । ଏତେଦିନେ ବହୁ ରହସ୍ୟର ସମାଧାନ ଦୁଇ ଯୁକ୍ତ ଦୁଇ, ଚାରି ଭଳି ସ୍ପଷ୍ଟ ହୋଇଉଠିଲା । ଆଜିକୁ ଦେଢ଼ବର୍ଷ ହେଲା ରାଢ଼ୀ ଘର ଏକୋଇରବଳା ଟେମ୍ପିର ପ୍ଳିହା ଯେ ଦିନକୁ ଦିନ ଉନ୍ନତ ହେଉଚି, ହୟଗ୍ରୀବ ଶ୍ରୀଚନ୍ଦନ ଘରର ପରିପୃଷ୍ଟ କଦଳୀ ଫେଣାଟା ପାଚିବ ପାଚିବ ବୋଲି ପାଚୁନାହିଁ, ନାଥ ମହାନ୍ତି ଘର ବଳଦଟା ପିଠିରେ ପାଞ୍ଚଣପିଟା ଘାଆ ଯେ ମୋଟେ ଶୁଖୁ ନାହିଁ- ଏସବୁ ଭିତରେ କାମ କରୁଛି ଏଇ ଚୁପ୍ ସଇତାନ ବିଶୁ ଦାସର ଗୁଣିଗାରୁଡ଼ି- ଅଦୃଶ୍ୟ, ଅଥଚ ଭୟଙ୍କର ସତ୍ୟ ।

 

ଏମନ୍ତ ଯେଉଁ ବିଶୁ ଦାସ, ସେ କିନ୍ତୁ ନିର୍ବିକାର ଚିତ୍ତରେ ଘୂରିବୁଲେ ୟା ପିଣ୍ଡାରୁ ତା ପିଣ୍ଡା-। ଗାଁର ନିଛାଟିଆ କୋଣରେ ତାର କ୍ରମଧ୍ଵଂସମାନ ଘର ସହ ନିଜର ଅଙ୍ଗ ଗଠନର ଏକ ଭୀତିପ୍ରଦ ସାଦୃଶ୍ୟ ରହିଛି । କିଛିବର୍ଷ ତଳେ ଥରେ ଟାଇଫଏଡ଼୍‍ ଉତ୍ତାରୁ ବିଶୁର ଚେହେରା ଉପରେ ଗୋଟାଏ ଭୂମିକମ୍ପ ହେଇଯାଇଥିଲା । ବାମ ଗଣ୍ଡଦେଶରେ ଚେକା ବାନ୍ଧିଥିଲା ଥୋଡ଼ାଏ ମାଂସ, ଆଉ ଡାହାଣ ପାଖ ଗାଲଟାରେ ନିର୍ଜଳା ଖାଲ । ରାସ୍ତା ମଝିରେ ଟହଲି ଟହଲି ଚାଲୁ ଚାଲୁ ବିଶୁ ଦାସ ଯାହାକୁ ଦେଖିଲେ ହସେ । ହସି ଅନ୍ୟକୁ ଆପ୍ୟାୟିତ କରିବାର ଚେଷ୍ଟାକରି ଖୁବ୍ ଅମାୟିକ ଲୋକକୁ ବି ତାଳୁରୁ ତଳିପା ଯାଏ ଚିଡ଼ାଇ ଦିଏ । ଚାଲିଚଳନ ଓ ଆଳାପସବୁ କେବଳ ବେସୁରା ଓ ନିଃସଙ୍ଗୀତ ନୁହେଁ, ଗୋଟିଏ ପଦକ୍ଷେପ ସହ ପର ପଦକ୍ଷେପର ଓ ଗୋଟିଏ ବାକ୍ୟ ସହ ପରବର୍ତ୍ତୀ ବାକ୍ୟର କୌଣସି ସଙ୍ଗତି ହିଁ ନ ଥାଏ ।

 

ଅଥଚ ତା ପେଟରେ ଥିଲା ଏତେ ବିଦ୍ୟା । ଅବାକ୍ କାଣ୍ଡ । ଅବଶ୍ୟ ଇମିତି ଅବାକ୍ ସେ ଦୁଇବର୍ଷ ତଳେ ବି ଥରେ ସମସ୍ତିଙ୍କି କରିଥିଲା । ସେଥର ବିରାଟ ଚଡ଼କ ମେଳା ଯେବେ ଶେଷହେଲା ଏବଂ ସଞ୍ଚିତ ପଇସାପତ୍ର ଶେଷକରି ଆବାଳବୃଦ୍ଧବନିତା ଗୁମ୍‍ଗାମ୍ ହେଇ ନିଜ ଭିତରକୁ ଦୃଷ୍ଟିଦେଲେ ହଠାତ ଦେଖାଗଲା, ବିଶୁ ଦାସ ମେଳା ଭିତରୁ ଏକ ଅଭାବନୀୟ ବସ୍ତୁ ଉପାର୍ଜନ କରିଆଣିଛି –ବଧୂଟିଏ । ସଲ୍ଲଜ ହସ ହସି କାହାରି ମୁହଁକୁ ଚାହିଁବା ଛଡ଼ା ଏଇ ହଠାତ ଭାର୍ଯ୍ୟାଲୋଭରେ କାହାରି ସାହାଯ୍ୟ, ମତାମତ ସେ ଲୋଡ଼ି ନାହିଁ । ଆତ୍ମୀୟହୀନା ଅପରିଚିତା ଏକ ଅବୋଧ ଭିକାରୁଣୀ କନ୍ୟାକୁ ସେ ନିଜର କରିପାରିଛି ।

 

ବିଶୁ ଦାସ ଯେଉଁଦିନ ଯାହା ଦୁଆରେ ଯାଇ ବସେ, ନିଜେ ପେଟପୂରା ଖାଇ ଯଥେଷ୍ଟ ଉଦ୍‍ବୃତ୍ତ ଗାମୁଛାରେ ବାନ୍ଧି ନ ସାରିବା ଯାଏଁ ସେଠାରୁ ଉଠେନାହିଁ । କିନ୍ତୁ ପ୍ରାୟ ସମସ୍ତେ ଏସବୁ ସହ୍ୟ କରିଯାଆନ୍ତି ।

 

କାରଣ ବିଶୁ ଦାସ ନିଜେ ଏଇଆ । କିନ୍ତୁ ତାର ପୂର୍ବ ପୁରୁଷର ଇତିହାସ ସମୃଦ୍ଧ । ଦୁଇପୁରୁଷ ପୂର୍ବ ଯାଏ ବି ଯେଉଁ ଖାନଦାନୀ ବଜାୟ ଥିଲା, ତା ପାଖରେ ଗାଁର ବହୁ ପରିବାରକୁ ମିଶାଇ ଆଜିର ମଧୁ ମହାନ୍ତିର ପରମ୍ପରା ବି ବିପୁଳ କୃତଜ୍ଞ ରହିବାକୁ ବାଧ୍ୟ । ଆଉ ଇତିହାସର ରସଜ୍ଞାନର ପରିଚୟ ରୂପେ ସେହି ବଂଶର କୁଳପ୍ରଦୀପ ଆଜିର ବିଶୁ ଦାସ ।

 

ଚୁପ୍ ସଇତାନ ବିଶୁ ଦାସକୁ ଏଣିକି ସମସ୍ତେ ଘୃଣାମିଶା ଭୟ କରନ୍ତି । ସେଦିନ ଶୀତଳା ଠାକୁରାଣୀଙ୍କ ପୂଜାରୀ ପୟୋଧର ପଣ୍ଡା ଦୁଇ ଆଣ୍ଠୁରେ ଲୋଟା ଅଟକାଇ କାଳିଗାଈ ପହ୍ନାରେ ହାତ ଦେଇଛନ୍ତି, ଦେଖିଲେ ଖଣ୍ଡେ ଦୂରରୁ ବିଶୁ ଦାସ ଆଖି ତରାଟି ଆସୁଛି । ଗାଈକୁ ଗୁହାଳ ଭିତରେ ଅତର୍ଚ୍ଛା ଭର୍ତ୍ତି କରିଦେଇ ସେ ପଦାକୁ ଆସି ବିଶୁ ଦାସର ସ୍ଵର୍ଗତ ବହୁ ପୁରୁଷର ଶ୍ରାଦ୍ଧ କରିବାରେ ଲାଗିଲେ । ବିଶୁ ପ୍ରଥମେ ହସିଲା । ତା’ପରେ ମୁହଁ ଶୁଖାଇ ପଥ ବଦଳକରି ଚାଲିଗଲା । କ୍ରମେ ସମସ୍ତେ ତା ଗତିପଥ ବିଷୟରେ ସତର୍କ ହୋଇପଡ଼ିଲେ । ଯମେଶ୍ଵର ଗଡ଼ନାୟକଙ୍କ ତ୍ରୟୋଦଶ ସନ୍ତାନଟିର ଏକୋଇସିଆ ପରେ ତାଙ୍କ ସ୍ତ୍ରୀ ପିଲାକୁ କୋଳରେ ଧରି ସଖୀମାନଙ୍କ ଗହଣରେ ଦେଉଳକୁ ଯାଉଁ ଯାଉଁ ରାସ୍ତାରେ ବିଶୁ ଦାସର ଦୃଷ୍ଟିପାତ ଯୋଗୁଁ ପାଞ୍ଚମାଇଲ ଦୂରବର୍ତ୍ତୀ ଗଜପଣ୍ଡିତ ଠୁଁ ମନ୍ତ୍ରପାଣି ମଗାଇ ପିଲା ଦେହରେ ଛିଞ୍ଚିଲେ । ତଥାପି ପିଲାଟି ଏଗାର ଘଣ୍ଟା କାଳ ବିଶୁ ଦାସ ବିରୁଦ୍ଧରେ ଚିତ୍କାର କଲା । ପେଁଠି ଅଧିକରୀଙ୍କ ଇଟାଭାଟିରେ ଦୁଇଥର ଯାକ ନିଆଁ ଧରିଲା ନାହିଁ । ଅଧିକାରୀ ମହାଶୟ ସଦାଶୟ ଲୋକ । ସେ ନିଜେ ଯାଇ ବିଶୁକୁ କଅଁଳେଇ କରି କହିଲେ– “ବାପା ! ସେଇ ବାଟରେ ପାଞ୍ଚଥର ଯିବାଆସିବା କଲୁଣି । ହୁଏତ ପାଟିରୁ ବଦ୍ ମନ୍ତ୍ରଟା ଇଡ଼ି ଯାଇଚି । ପୁଣି ଟିକିଏ ଜିଭ ଓଲଟାଇ ଫୁଙ୍କିଲାବେଳକୁ ଅଗ୍ନି ଦେବତା ଜିଭ ଲହ ଲହ କରି ଭାଟି ତଳ ଧରିନେବେ ।“

 

ବିଶୁ ଦାସ ହସିଲା । ଶେଷରେ ବହୁତ ପରେ କଥାଟା ବୁଝି ସଫା ମନାକଲା– ସେ କିଛି ଜାଣେ ନାହିଁ । ତାଟକା ହେଇ ଅଧିକାରୀ କହିଲେ- ଚୁପ୍ ସଇତାନ !

 

ଭୟଙ୍କର ବିଶୁ ଦାସ ସହ ଗାଁର କେହି ଆଜିକାଲି ଥଟ୍ଟା ତାମସା ବି କରନ୍ତି ନାହିଁ । କଦାଚିତ୍ କେହି କହେ- “ହଇରେ ବିଶୁ ! ତୁ ଶେଷରେ ଏଇଆ କରୁଚୁ ? ”ବିଶୁ କାଳବିଳମ୍ବ ନ କରି ହସିଦିଏ ଏବଂ ବକ୍ତା ବକାବକି କରି କାଳକ୍ରମେ ଶୀତଳ ହୋଇଯାଆନ୍ତି । ଲୋକେ ତାକୁ ଦେଖି ଗମ୍ଭୀର ହେଲେ ସେ କାକୁତିପୂର୍ଣ୍ଣ ହସ ହସେ ।

 

କିନ୍ତୁ ହଠାତ ଦିନେ ବିଶୁକୁ ଦେଖାଗଲା ଅସାଧାରଣ ଗମ୍ଭୀର । ଆଖିରେ କିଂକର୍ତ୍ତବ୍ୟବିମୂଢ଼ ଅଭିବ୍ୟକ୍ତି ।

 

ଅବଶ୍ୟ ପ୍ରତ୍ୟୁଷରେ କଥାଟା ପ୍ରକାଶ କରିଦେଲା ଗାଁର ବୁଢ଼ୀ ଧାଈ ସତୀ । ଗଲାକାଲିଠୁଁ ବିଶୁଆ ବୋହୂ ମର୍ମାନ୍ତିକ ଯନ୍ତ୍ରଣା ଭୋଗୁଛି– ଛୁଆ ହେବ । ରାତି ଦୁଇ ପହରଟାରେ ବାହୁଙ୍ଗା କାଠି ଜାଳି ବିଶୁ ଦାସ ସତୀ ଘରକୁ ଆସିଥିଲା । ଘମାଘୋଟ ରାତିଟାରେ ସତୀ କିମିତି ଗୋଟାଏ ଗୁଣୀ ସାଙ୍ଗରେ ପଦାକୁ ଯାଆନ୍ତା !

 

ବିଶୁ ଦାସର ଛୁଆ ହେବ । ଡିମା ଆଖିଦୁଇଟା ଟିପାବତୀ ଭଳି ଉଜ୍ଜ୍ୱଳ କରି ନାଥୁ ମହାନ୍ତି ଜଗା ସାହୁ ଆଡ଼େ ଅନାଇଲା ।

 

ଛୁଆ ହେବ ! ଅଥଚ ହେଉନି ! !

 

ବେଶ୍ ପରିଷ୍କାର କଥା । ପ୍ରତ୍ୟେକ ଲୋକଙ୍କୁ ଚାହିଁ ବୁଝିଗଲେ । ପେଁଠି ଅଧିକାରୀ କହିଲେ– “ଆପଣା ହସ୍ତେ ଜିହ୍ଵା ଛେଦି ! ପାପୀ ତ ! ନିଜ ମାଇପ ବେଳେ ବି ସେଇ ମନ୍ତ୍ର ପାଟିରୁ ବାହାରି ପଡ଼ିଚି । ଆଉ ନେଏ ଛୁଆ ! ଗାଁର କେତେ ଲୋକଙ୍କୁ ହଇରାଣ କରିଚି । ଏବେ ନିଜ ଯନ୍ତାରେ ନିଜେ ପଡ଼ି ଶିକ୍ଷାପାଉ । ପରମେଶ୍ଵର ପରମବ୍ରହ୍ମଙ୍କ ଲୀଳା !

 

ସତୀ କହିଲା-“ ମୋର ପୁଣି କିଏ ଯାଉଚି ? ନିଜେ ବିଶୁ ଦାସ ଭଲ କରୁ ।“

 

ସଭିଏଁ ଚୁପ୍ କରିଗଲେ । କିଛି ଦୂରରେ ସ୍ଵୟଂ ବିଶୁ ଦାସ ଗୁମ୍ ହୋଇ ଛିଡାହୋଇ ସତୀଆଡ଼କୁ ଚାହିଁଛି । ସତୀ କିଛି ନକହି ନିଧୁ ଘର ଭିତରକୁ ଚାଲିଗଲା । ନିଧୁ ହିସାବ କିତାବରେ ମନୋନିବେଶ କଲା । ଏକା ପେଣ୍ଠି ଅଧିକାରୀ କହିଲେ-“ବୁଝିଲୁ ବିଶୁ ! ନିଜେ କଣ୍ଟା ପକାଇଲେ ନିଜ ଗୋଡ଼ରେ ଫୁଟେ । କି ବଂଶର ପୁଅ ତୁ ! କଅଣ ହେଲୁ ।“

 

କାନ୍ଦୁଣି ମାନ୍ଦୁଣି ହୋଇ ବିଶୁ ଦାସ ହସିଲା । ପେଁଠି ପୁଣି କହିଲେ- ଅଭିମନ୍ୟୁ ବ୍ୟୂହ ଭିତରକୁ ପଶିବାର ମନ୍ତ୍ର ଜାଣିଥିଲା । ବାହାରିପାରିଲା ନାହିଁ । ତୁ ସିମିତି ଅଧାଟା ଜାଣିଚୁ କିରେ ? ହଉ, ସଭିଙ୍କ କଥା ନାରାୟଣ ବୁଝିବେ । “ପେଁଠି ଅଧିକାରୀ ଚାଲିଗଲେ । ପ୍ରାୟ ଘଣ୍ଟାଟିଏ ଛିଡ଼ା ହୋଇଗଲେ ଗୋଡ଼ ଖସ୍ ଖସ୍ କରି ବିଶୁ ଦାସ ସେଠାରୁ ଅନ୍ତର ହୋଇଗଲା । ତାପରେ ସମଗ୍ର ଦିନଟା ବିଶୁ ନିଜ ଘରକୁ ଯାଇଚି-ଆସିଚି । ଗାଁ ସାରା ତଟସ୍ଥ ଦୃଷ୍ଟିନେଇ ବୁଲିଛି । ଯିଏ ତାକୁ ଦେଖିଛି, ଦୁଇଟାରୁ ଗୋଟାଏ ଶବ୍ଦ ଉଚ୍ଚାରଣ କରିଛି- “ଚୁପ୍ ସଇତାନ” ବା “ଅଭିମନ୍ୟୁ” ।

 

ସତୀର ଦେଖା ଏକା ବିଶୁ ପାଇଲା ନାହିଁ । ସଞ୍ଜବେଳଠୁଁ ବିଶୁକୁ ବି ଆଉ କେହି ଦେଖିନାହାନ୍ତି ।

 

ଗୋଧୂଳିଠୁଁ ଆକାଶ ମେଘୁଆ କରି ଝୁପୁରୁ ଝୁପୁରୁ ବାଦଲ ଝରୁଥିଲା ।

 

ପଦାକୁ ବିଶେଷ କେହି ବାହାରି ନାହାନ୍ତି । ରାତି ପହରେ ସରିକି ହଠାତ ବର୍ଷାର ଗୁମୁ ଗୁମୁ ଆବ୍‍ହାଉଆ ଭିତରେ ବ୍ରାହ୍ମଣୀ ବେଙ୍ଗ ଆଉ ଝିଁଝିୟା ପୋକର ଆବାଜ ଭେଦି ବିଶୁ ଦାସ ଘରଆଡ଼ୁ ଗୋଟାଏ ଅଦ୍ଭୁତ ସ୍ଵର ଶୁଭିଲା । ସମସ୍ତେ ଭାବିଲେ-ନବଜାତ ଶିଶୁର କ୍ରନ୍ଦନ । କିନ୍ତୁ ଟିକିଏ ପରେ ସୁରଟା ପରିବର୍ତ୍ତନ ହେବାରୁ ସମସ୍ତେ ବୁଝିଲେ, ବିଶୁ ଦାସ ନିଜେ କଣ୍ଠ ଛାଡ଼ିଛି । ପୂର୍ବରୁ ସେ କେବେ କାନ୍ଦିବାର ଜଣାନଥିଲା । ତାର ଅମଙ୍ଗଳ ସୂଚକ ଚିତ୍କାର ରାତି ତିନିପହର ପର୍ଯ୍ୟନ୍ତ ସମସ୍ତିଙ୍କି ଗଭୀର ଆଶ୍ୱସ୍ତି ଦେଲା । ସକାଳ ହେଲା । ଗର୍ଭବତୀ ବୋହୂଟିର ମୁର୍ଦ୍ଦାର ଗନ୍ଧ ହେବା ପୂର୍ବରୁ ସମାଜସେବାରେ ପୁରସ୍କାରପ୍ରାପ୍ତ ଗାଁ ଅପର ପ୍ରାଇମେରୀ ବିଦ୍ୟାଳୟର ସ୍କାଉଟ୍‍ମାନେ ସତ୍କାର କରିଆସିଲେ ।

 

ଗାଧୁଆ ତୁଠରେ ସତୀ ସକ୍ ସକ୍ ହୋଇ କହିଲା, ”ହାୟ ରେ ! ମୁଁ ଭାବିଥିଲି ଯିଏ ଅଟକାଇବା ଗୁଣ ଜାଣେ, ସିଏ ସୁଧାରିବା ଗୁଣ ବି ଜାଣେ । ମୁଁ ହେଲେ ଯାଇଥାଆନ୍ତି ।

 

ପୂର୍ବେ ବିଶୁ ଦାସ ନିଜ ଭାର୍ଯ୍ୟା ଆଗରେ କଣ୍ଠ ଛାଡ଼ି ସଙ୍ଗୀତ ପରିବେଷଣ କରୁଥିଲା । ଏଣିକି ତା ଘର ଅଞ୍ଚଳଟା ନିସ୍ତବ୍ଧ । କଦାଚିତ ସେ ପଦାକୁ ବାହାରେ । ହେଲେ, ସେଇ ବଦ୍‍ଗୁଣ ଯାଇନାହିଁ । ଏବେ ବି ଜଣ ଜଣଙ୍କ ଘରର ଗାଈର ଦୁଧ ଅଟକୁଛି, କା’ର ଘାଆ ଭଲହେଉନି, କାର ବା ଜଳ-ବାହାଣୀ ଶେଣୀର ଦଉଡ଼ି ଥରକୁ ଥର ଛିଡ଼ି ଯାଉଛି ।

 

ପରିଶେଷରେ ଦିନେ ବିଶୁ ଦାସର ଔଦ୍ଧତ୍ୟର ସୀମା ସମସ୍ତେ ବୁଝିଲେ, ଯେଉଁଦିନ ନିଜେ ନାଥୁ ମାହାନ୍ତି ଗାଁଯାକ ହୁଲସ୍ତୁଲ କରିଆସିଲା । ତ’ର ଅନେକ ସ୍ନେହର କୁତ୍ତିଟାକୁ ବିଶୁ ଦାସ ଛୋଟା କରିଦେଇଛି । କୁତ୍ତି ଟା ଦେହରେ ଦଶମିକ କିଛି ପରିମାଣରେ ବିଦେଶୀ ରକ୍ତ ଅଛି ବୋଲି ହାବଡ଼ା ଷ୍ଟେସନଠୁଁ ଟିକେଟ କରି ନିଜ ସଙ୍ଗରେ ତାକୁ ନେଇ ଆସିଥିଲା ନାଥୁ । ବୋଧହୁଏ ସାହସିନୀ କୁତ୍ତି ବିଶୁ ଘର ଭିତରକୁ ପଶିଯାଇଥିଲା । ଦେଖାଗଲା-ତା’ ପଛ ଗୋଡ଼ରେ ଛେଲାଏ ମାଂସ ଉଡ଼ିଯାଇଛି । ଗାଁ ସାରା ସମସ୍ତେ ଦୁଃଖ କଲେ କିନ୍ତୁ ବିଶୁ ଘରକୁ ଯାଇ କଜିଆ କରିବା ପାଇଁ କାହାରି ପ୍ରବୃତ୍ତି ହେଲା ନାହିଁ ।

 

କିନ୍ତୁ ୟାପରେ ଅନେକ ଯାହା ଆଶା କରୁଥିଲେ ତାହା ହିଁ ହେଲା । କୁତ୍ତିର ଘାଆ ଆଉ ଭଲହେଲା ନାହିଁ । କ୍ରମଶଃ ବଢ଼ିବଢ଼ି ପଚିବାରେ ଲାଗିଲା । ନାନା ଔଷଧ ପ୍ରୟୋଗକରି ଓ ଜଣେ ପ୍ରଖ୍ୟାତ ଗୁଣି ଦ୍ଵାରା ଝାଡ଼ଫୁଙ୍କ କରି ବି ଲାଭ ହେଲାନି । ନାଥ ଅନୁଭବ କଲା- ଏ ଘାଆ ଖାଲି କୁତ୍ତିର ଗୋଡ଼ରେ ନୁହେଁ, ତା’ର ଆଭିଜାତ୍ୟର ମନଉପରେ । କୁତ୍ତିଟା ସର୍ବଦା କେଉଁମେଉଁ କରେ ।

 

ସେଦିନ ଯେତେବେଳେ ଅସହ୍ୟ ଉତ୍ତାପ ନେଇ ନାଥୁ ମହାନ୍ତି, ଜଗଦୀଶ ସାହୁ ଓ ଅନ୍ୟ କେତେଜଣ ପହଞ୍ଚିଲେ ବିଶୁ ଦାସ ଘର ସାମନାରେ, ବିଶୁ ସେତେବେଳେ ଗୋଟାଏ ଛୋଟ ବହିଟାଏ ଧରି ଲେଉଟାଉଥିଲା । ଏମାନଙ୍କୁ ଦେଖି ସହଳ ଛୋଟିଆ ପୁଟୁଳିଟାଏ ଭିତରେ ବହିଖଣ୍ଡି ଲୁଚାଇଦେଇ ପଦାକୁ ବାହାରିଆସିଲା । ଜଗଦୀଶ କହିଲା- “କାଉଁରୀକାମାକ୍ଷା ବହି ପଢ଼ି ଆହୁରି ମନ୍ତ୍ର ଶିଖୁଛୁ ଶଳା । ନିଜର ଭାରିଜାଟାକୁ ଖାଇଲୁ, ଶେଷକୁ ନାଥୁବାବୁଙ୍କ ବିଲାତି କୁତ୍ତିଟାକୁ ବି ଜିଅନ୍ତା ଖାଇବୁ ?”

 

ବିଶୁ ଦାସ କିଛି କହିଲା ନାହିଁ । ପୂର୍ବପରି ହସ ମଧ୍ୟ ନାହିଁ । ଦଳ ଭିତରୁ ଜଣେ ଅତ୍ୟନ୍ତ କୌତୁହଳୀ ହୋଇ ପିଣ୍ଡା ଉପରକୁ ଉଠିଯାଇ ପୁଟୁଳିଟା ଟାଣିଆଣିବା ମାତ୍ରେ ବିଶୁ ଦାସ ଗୋଟାଏ କୃଦ୍ଧ ଦୃଷ୍ଟିଦେଇ ସେଟା ଛଡ଼ାଇଆଣିଲା । ଅବାକ୍ ହେଲେ ସମସ୍ତେ ।

 

“ଶଳାର ଏତେ ହିମତ୍ ! ଛାଡ଼ ପୁଟୁଳିଟା ! କେତେ ରକମ ହାଡ଼ ରଖିଛୁ, ବାହାର କର-।“ ନାଥୁ ନିଜେ ଅଗ୍ରସର ହୋଇ ବିଶୁ ଦାସର ବାହୁଧରି ଝିଙ୍କିଲା । ଅକସ୍ମାତ୍ ବିଶୁ ସମସ୍ତଙ୍କୁ ଆହୁରି ଅବାକ୍‍କରି ନାଥୁ ମୁହଁକୁ ମେଞ୍ଚାଏ ଛେପ ପକାଇଦେଲା । ଜଣକ ହାତରୁ ବଙ୍କାବାଡ଼ିଟାଏ ଛଡ଼ାଇ ଆଣି ନାଥୁ ସଙ୍ଗେ ସଙ୍ଗେ କେଇପାହାର କସିଦେଲା ବିଶୁର କୁଜା ପିଠି ଉପରେ । ବିଶୁ କିଛି କହିଲା ନାହିଁ । ଚୁପ୍‍ଚାପ ଉଠିଯାଇ ପିଣ୍ଡାଉପରେ ବସି ଘରର ପଡନ୍ତ କଢ଼େଇଆଡକୁ ଚାହିଁରହିଲା-। ଅସଂଲଗ୍ନ ଗାଳି–ଗୁଲଜ ଦେଇ ସମସ୍ତେ ଫେରିଗଲେ । ବିଜୟର ଗର୍ବ କାହାରି ମନରେ ନ ଥାଏ-

 

ଅଳ୍ପ କେତେଦିନ ପରେ ଦିନେ ଲଛମୀ ଧାଈ ଗାଁରେ ଖବରଦେଲା ବିଶୁ ଦାସକୁ କେତେଦିନ ହେଲା ସନ୍ନିପାତ ହେଲାଣି । ସମସ୍ତେ ସଚେତନ ହେଲେ, ବିଶୁର ଆଉ ଦେଖାନାହିଁ ଏକା । ପେଁଠି ଅଧିକାରୀ ଲାଛମୀ ହାତରେ ଲୋଟାଏ ଦୁଧ ଦେଇପଠାଇଲେ । ଅଜ୍ଞାନ ବିଶୁ ଦାସ ତାହା ପ୍ରତ୍ୟାଖ୍ୟାନ କଲା । ବିରାଟ ବିସ୍ତୃତ ବାଡ଼ିର ଚାରିଆଡ଼େ ଏକ ପୁରୁଣା ଖାନଦାନ ପରିବାରର ଭଗ୍ନାବଶେଷ । ତାହାରି ଗୋଟିଏ ପ୍ରାନ୍ତରେ ବଂଶର ଶେଷ ପୁରୁଷ କୁଳାଙ୍ଗାର ବିଶୁ ଦାସ ଦିନେ ଦୁଇଥର ମାତ୍ର ଗଳା ଘଡ଼ଘଡ଼ କରି ମରିଗଲା ।

 

ଖବର ପାଇ ଅନେକ ଲୋକ ଜମାହେଲେ ।

 

ଏଇଠି ଥିଲା ବହୁବର୍ଷ ତଳେ ଦାସ ବଂଶର ପୂଜା ମେଲଣ ।

 

ଏଇଟା ରୋଷେଇଶାଳ ।

 

ଏଇଠି କେଇ ପୁରୁଷ ଆଗେ ଦାସସାଆନ୍ତେ ଶୋଉଥିଲେ ।

 

ଆଉ ଏ ବିଶୁ ଦାସ ।

 

ବିଶୁର ଶବକୁ ଉଇଖିଆ ମଶିଣାଟାରେ ଗୁଡ଼ାଇଦେବା ପରେ ତା’ତଳୁ ବାହାରିଲା ପୁଟୁଳିଟାଏ । ଜଗଦୀଶ କହିଲା– ଏଇଟା ତାର ମନ୍ତ୍ର ବହି ଆଉ କାଉଁରୀ ହାଡ଼ର ପେଡ଼ି । ପ୍ରଥମେ ସେଟା ଫିଟେଇବାକୁ ସମସ୍ତେ ଇତଃସ୍ତତ କରୁଥିଲେ । ନାଥୁ କହିଲା– ଫିଟାଅ, ହେ ଦେଖିବା କଅଣ ଅଛି । ସମବେତ ପ୍ରତ୍ୟେକେ କୌତୁହଳୀ ହୋଇ ଚାହିଁରହିଲେ । ଜଗଦୀଶ ଧୀରେ ଧୀରେ ଫିଟାଇଲା । ପ୍ରସ୍ତେ, ଦୁଇ ପ୍ରସ୍ତ, ତିନି ପ୍ରସ୍ତ କନା । ତା’ଭିତରେ ଖଣ୍ଡିଏ ପୁସ୍ତିକା–“ସଙ୍ଗୀତ ପାଚିଲା କଦଳୀ” - ଆଉ ଖଣ୍ଡେ ଚିରୁଣୀ । କୌତୁହଳ ଅତୃପ୍ତ ରହିଗଲା । ଯାଃ, ଏଗୁଡ଼ାକ କିଛି ନୁହେଁ । ମଡ଼ା ସାଙ୍ଗରେ ଗୁଡ଼ାଇ ବାନ୍ଧିଦିଅ ।

 

ଶବ ଉଠିଲା ଶ୍ମଶାନକୁ । ଆଉ ସମସ୍ତେ ଚାଲିଗଲେ ।

 

ସତୀ କହିଲା, -“ ଚିରୁଣୀ ଖଣ୍ଡି ବିଶୁ ଦାସର ବୋହୂ ବ୍ୟବହାର କରୁଥିଲା ।“ ଆଉ ଜଣେ କିଏ କହିଲା,-ଲୋକଟା ହୁଏତ ସତରେ କିଛି ଗୁଣିଟୁଣି ନଥିଲା ।

 

“ସେଇଆ ସମ୍ଭବ” – ସତୀ ଧାଈ ଗୋଟାଏ ଦୀର୍ଘ ନିଶ୍ଵାସ ଛାଡ଼ିଲା ।

***

 

ନାଗଲୋକ ପ୍ରତ୍ୟାଗତ

 

ହଜାରବର୍ଷ ତଳେ ଯେଉଁ ପାନ୍ଥଟି ବହୁ ସାଧନାରେ ସିଦ୍ଧିଲାଭ କରି କେବଳ ମାତ୍ର ପରିଦର୍ଶକର କୌତୂହଳ ନେଇ ହଠାତ ଦିନେ ନାଗଲୋକରେ ପ୍ରବେଶ କରିଥିଲା, ତା’ ଭ୍ରମଣର ଇତିକଥା ଅନେକେ ଜାଣିନାହାନ୍ତି ।

 

ଏପରିକି ତତ୍କାଳୀନ ସମୃଦ୍ଧିଶାଳୀ ଯେଉଁ ରାଜଦରବାର ତରଫରୁ ପାନ୍ଥ ଏ ସୃଷ୍ଟିର ବହୁ ଅନାବିଷ୍କୃତ ରହସ୍ୟର ସନ୍ଧାନ ପାଇଁ ନିଯୁକ୍ତ ହୋଇଥିଲା, ସେଇ ଦରବାରର ବୁଦ୍ଧିମାନ ଗୁପ୍ତଚରମାନେ ବି ପାନ୍ଥଟିର କୌଣସି ଉତ୍ତର ସମାଚାର ଦରବାରରେ ପରିବେଷଣ କରିପାରିନଥିଲେ । ସୁତରାଂ ବାରବର୍ଷ ବିତିଯିବା ପରେ କୌଣସି ଅଜ୍ଞାତ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଅନୁମାନ କରି ଦିନକର ପ୍ରଭାତରେ ଦରବାରରେ ଶୋକ ପ୍ରସ୍ତାବ ଆଗତ କରି ସଚୀବ ପ୍ରବାର କିଛି ଅନ୍ୟାୟ କରିନଥିଲେ ।

 

କିନ୍ତୁ ଏଣେ ନାଗଲୋକରେ ---ଐଶ୍ଵର୍ଯ୍ୟ ଓ ସମ୍ଭୋଗର ଅକଳ୍ପନୀୟ ପରିସର ଭିତରେ ପାନ୍ଥ ଗୋଟିଏ ଗୋଟିଏ ବର୍ଷକୁ ଏକ ଏକ ମୁହୂର୍ତ୍ତ ଭଳି ଚଳୁ କରିଦେଉଥିଲେ । ନାଗଲୋକ ଆଶ୍ଚର୍ଯ୍ୟ, ଅନନୁଭୂତ ଅମୃତର ରାଜ୍ୟ । ସେଠାକାର ଉଦ୍ୟାନରେ ଅସଂଖ୍ୟ ଫୁଲ ଫୁଟେ– ହୀରାର ଫୁଲ । କେଦାର ପୂର୍ଣ୍ଣକରି ଚକ୍ ଚକ୍ କରେ ମାଣିକ୍ୟର ଫଳ । ବୃଷ୍ଟିହୁଏ– ମୁକ୍ତାର ବିନ୍ଦୁ । ରୂପାର ଚଟାଣ ସବୁ ଉପରେ ସୁନାର ସୁଚିକ୍‍କଣ ହର୍ମ୍ୟ । ସୁନାର ହର୍ମ୍ୟ ଦିହରେ ନାମ ନ ଜଣା ରତ୍ନର ଆଶ୍ଚର୍ଯ୍ୟ କାରିଗରି । ଅହରହ ସେ ଦେଶର ମୃଦୁମନ୍ଦ ପବନରେ ଭାସିବୁଲେ ବହୁ କିସମର ବର୍ଣ୍ଣିଳ ରତ୍ନରେଣୁର ଆଭା ।

 

ପ୍ରତ୍ୟହ ପ୍ରଭାତରେ ନାଗରାଜ୍ୟର ସୀମାନ୍ତବର୍ତ୍ତୀ ଅମୃତର ସରୋବର ଭିତରୁ ସୂର୍ଯ୍ୟ ଉଏଁ– ବେଦୂର୍ଯ୍ୟର ସୂର୍ଯ୍ୟ । ତାର ରଶ୍ମିର ସ୍ପର୍ଶରେ ନାଗଲୋକ ଉତ୍ସବ-ମୁଖର ହୋଇଉଠେ । ଉଷା, ମଧ୍ୟାହ୍ନ ଓ ସନ୍ଧ୍ୟାରେ ସୂର୍ଯ୍ୟ ତାର ବର୍ଣ୍ଣ ପରିବର୍ତ୍ତନ କରେ । ସଙ୍ଗେ ସଙ୍ଗେ ଉତ୍ସବ ମଧ୍ୟ ଅଭିନବ ରୂପ ନିଏ, ଅଭିନବତର ହୋଇଚାଲେ ।

 

ବର୍ଷ ପରେ ବର୍ଷ, ହଜାରେ ବର୍ଷ ସେଇ ଦୂରାଗତ ପାନ୍ଥ ନାଗଲୋକର ଆଶ୍ଚର୍ଯ୍ୟ ସମସ୍ୟାକୁ ନେଇ ଗବେଷଣା କରିଛି । ପ୍ରଥମେ ସିଏ ଯେତେବେଳେ ଆସିଥିଲା ନାଗଲୋକର ପୌରସଭା ତାକୁ ସମ୍ବର୍ଦ୍ଧନା ଜଣାଇ ଉପଦେଶ ଦେଇଥିଲା– ଏ ରାଜ୍ୟର ବିଶେଷତ୍ଵ ଏହାକୁ ପୂରାପୂରି ଆପଣାର କରି ନ ଦେଖିଲେ ଏ ଚିରଦିନ ରହସ୍ୟମୟ ପ୍ରବାସ ହୋଇ ରହିଥିବ । ତା ପରଠୁଁ ସେଇ ବିମୁଗ୍ଧ ପାନ୍ଥ ତାର ସମସ୍ତ ଆନ୍ତରିକତା ଓ ଶକ୍ତି ଦେଇ ନାଗଲୋକର ପ୍ରତ୍ୟେକଟି ଅଣୁ ପରମାଣୁ ପର୍ଯ୍ୟବେକ୍ଷଣ କରିବାର ଚେଷ୍ଟା କରିଛି । ଅମୃତ ସରୋବରରେ ବୌଦୁର୍ଯ୍ୟର ସୂର୍ଯ୍ୟର ଉଦୟ, ହୀରକ ହର୍ମ୍ୟର ଶିଖର ଦେଶରେ ସୂର୍ଯ୍ୟାସ୍ତ ଆଉ ରତ୍ନାଲୋକ ବିଚ୍ଛୁରିତ ଉଜ୍ଜଳ ସନ୍ଧ୍ୟାମାନଙ୍କରେ ନାଗକନ୍ୟାଗଣଙ୍କର ରହସ୍ୟମୟ ବିଚରଣ, ବର୍ଷ ପରେ ବର୍ଷ ହଜାର ବର୍ଷ, ନାଗରିକ ସ୍ଵାଧୀନତା ସେ ଉପଭୋଗ କରିଛି ।

 

କିନ୍ତୁ ହଜାର ବର୍ଷ ପରେ ସେ ହଠାତ ଦିନେ ଚିତ୍କାର କରିଉଠିଲା– ନାଗଲୋକରୁ ସେ ମୁକ୍ତି ଚାହେଁ । ସେ ଚିତ୍କାର ଏତେ ଶାଣିତ ଓ ତୀକ୍ଷ୍‍ଣ ଯେ, ପାନ୍ଥକୁ ପରିବେଷ୍ଟନ କରି ରହିଥିବା ଅନ୍ୟାନ୍ୟ ସୁନ୍ଦରୀ ନାଗକନ୍ୟାମାନେ ଆର୍ତ୍ତନାଦ କରୁ କରୁ ଦୂରକୁ ଛିଟିକି ପଡ଼ିଲେ । ଗୋଟିଏ ମୁହୂର୍ତ୍ତ ପରେ ଶୁଣାଗଲା ପୌରସଭା ପ୍ରାଙ୍ଗଣରୁ ଅବିରାମ ଘଣ୍ଟାଧ୍ଵନି । ରାଜ୍ୟର ଉତ୍କଣ୍ଠିତ ନାଗରିକମାନେ ସେଠାରେ ଉପନୀତ ହେବାପରେ ପାନ୍ଥକୁ ପ୍ରଶ୍ନକଲେ ସଭାପତି–“ହେ ସୁଧୀ ! ଏଇ ଐଶ୍ଵର୍ଯ୍ୟର ଦେଶ ନାଗଲୋକର ସମସ୍ତ ସ୍ଵାଧୀନତା ତ ତୁମ ପାଇଁ ଉନ୍ମୁକ୍ତ । ଆଉ ତେବେ?” ସଭାପତିଙ୍କର ଏଇ ସୁଗଭୀର ପ୍ରଶ୍ନର ଲଳିତ ସଂସ୍କରଣ ଅସଂଖ୍ୟ ସୁନ୍ଦରୀଙ୍କର ଆକୁଳ ଆଖିରେ ଫୁଟିଉଠିଲା- - “ଆଉ ତେବେ ?”

 

ନିରୁତ୍ତର ପାନ୍ଥ ସଭା ପରେ ପୁଣି ଆସି ଧୀରେ ଧୀରେ ଛିଡ଼ାହେଲା-ଅମୃତ ସରୋବରର ସ୍ନିଗ୍‍ଧ ନୀରରାଶି ତୀରରେ ।

 

“ପାନ୍ଥ ! ତୁମେ ଭୁଲିଯାଉଚ, ମର୍ତ୍ତ୍ୟଲୋକର ଜୀବନଧାରା ଓ ନାଗଲୋକର ପ୍ରାକୃତିକ ନିୟମ ଭିତରେ ବହୁତ ତାରତମ୍ୟ । ମର୍ତ୍ତ୍ୟଲୋକର ହିସାବ ଅନୁସାରେ ତୁମେ ଏଠାକୁ ଆସିବାର ହେଲା ହଜାର ବର୍ଷ । ତୁମେ ଯେଉଁ ପୃଥିବୀରେ ଥିଲ– ସେ ପୃଥିବୀ ଓଲଟ ପାଲଟ ହୋଇଯିବଣି । ତୁମ ରାଜ୍ୟର ରାଜା, ତୁମ ସ୍ତ୍ରୀ, ଶିଶୁ, ଏସବୁ ଆଜି ଇତିହାସର ପରିସର ଭିତରୁ ବି ଅପସରି ଯିବେଣି । ଅତଏବ କେଉଁଠିକି ଯିବ ତୁମେ !”

 

ସେଇ ନିଛାଟିଆ ଝିଲ୍‍ମିଲ୍‍ ସନ୍ଧ୍ୟାରେ ଏ ପ୍ରଶ୍ନ କଲା ନାଗଲୋକର ସଭାପତି କନ୍ୟା । ନିରୁତ୍ତର ପାନ୍ଥ ତା’ର ଦୁଇହାତ ମୁଠାକରି ଶୂନ୍ୟକୁ ଚାହିଁ ରହିଲା । ସେ ଚାହେଁ ଧୁଳି ବାଲିର ଦୁଇମୁଠା ମାଟି; ଏବଂ ଅକୃତ୍ରିମ ନିର୍ମଳ ମର୍ତ୍ତ୍ୟର ଆକାଶ ।

 

ଆହୁରି କେତେବର୍ଷ ବିତିଗଲା । ପାନ୍ଥ ଇତିମଧ୍ୟରେ ଥରେ ଦୁଇଥର ପୁଣି ଚିତ୍କାର କରିଛି । ଥରେ ଦୁଇଥର ପୁଣି ତା ପାଇଁ ପୌରସଭାର ଅଧିବେଶନ ବସିଛି । କ୍ରମେ କ୍ରମେ ପାନ୍ଥ ବୁଝିପାରିଛି– ତାର ଆଉ ମୁକ୍ତି ନାହିଁ ।

 

ଅନନ୍ତ କାଳଧରି ଏହି ନାଗଲୋକର ସ୍ଵାଧୀନତା ଭିତରେ ତାର କାରାଗାର ।

 

ସ୍ଫୁର୍ତ୍ତି-ମୁଖର ଚଳଚଞ୍ଚଳ ରାଜ୍ୟ ଭିତରେ ଏକମାତ୍ର ତାର ଅଙ୍ଗପ୍ରତ୍ୟଙ୍ଗ ଅବସନ୍ନ ହୋଇଆସିଛି । ତାର ଦୃଷ୍ଟି ଧୂମାର୍ତ୍ତ ହୋଇଆସିଛି, ଅଥଚ ମୃତ୍ୟୁର ଆଶା ନାହିଁ । ନାଗଲୋକ ଅମୃତର ରାଜ୍ୟ ।

 

ଅବଶେଷରେ ଏକଦା ନିଶାର୍ଦ୍ଧରେ, ନାଗଲୋକର ଭାଗ୍ୟରେ ସଂଘଟିତ ହେଲା ଏକ ଅଭୂତପୂର୍ବ ଘଟଣା । ଏକାନ୍ତ ଅସମୟରେ ପୌରସଭାର ଘଣ୍ଟାନାଦ । ବଡ଼ ଆଶ୍ଚର୍ଯ୍ୟର କଥା । ସମସ୍ତେ ଶୁଣିଲେ, ପାନ୍ଥ ବି ଶୁଣିଲା, ନାଗଲୋକର ଲୌହ ଦରଜା ସେପଟେ କେଉଁ ସବୁ ଅଜ୍ଞାତ ଶତ୍ରୁର ଆକ୍ରମଣ । ନିମେଷ ଭିତରେ ନାଗରିକମାନେ ସୁସଜ୍ଜିତ ହୋଇ ବାହାରିପଡ଼ିଲେ ଯୁଗ ଯୁଗର ରହସ୍ୟମୟ ନାଗଲୋକର ସୁରକ୍ଷା ପାଇଁ । ଚାରିଆଡ଼େ ବିଶୃଙ୍ଖଳା ଓ ବିଭ୍ରାନ୍ତି ।

 

ଏତିକିବେଳେ, ସମସ୍ତଙ୍କର ଦୃଷ୍ଟିପଥ ଏଡ଼ାଇ ଗୋଟିଏ ସୁଡ଼ଙ୍ଗ ଭିତରେ ପ୍ରବେଶକଲା ପାନ୍ଥ । ଠିକ୍ ରାସ୍ତା । ହଜାର ବର୍ଷ ପୂର୍ବେ ଏଇ ପଥରେ ହିଁ ସେ ନାଗଲୋକକୁ ଆସିଥିଲା । ସେ ଉଲ୍ଲସିତ ପଦକ୍ଷେପରେ ଆଗେଇ ଯାଉଁ ଯାଉଁ ହଠାତ ସ୍ତବ୍‍ଧ ହେଲା । ତା’ ଆଗରେ ଉଭା ସେହି ନାଗଲୋକର ସଭାପତି-କନ୍ୟା । ହଜାରେ ବର୍ଷର ପରିଚିତା । ସୁଡ଼ଙ୍ଗ ବାହାରେ ସେତେବେଳେ ଲୁଣ୍ଠନ ଓ ଆତ୍ମରକ୍ଷାର ଅବିଶ୍ରାନ୍ତ ଯୁଦ୍ଧ । ନାଗକନ୍ୟା ପଥରୁ ଅପସରି ଛିଡ଼ାହେଲା । ଚଞ୍ଚଲ ପଦକ୍ଷେପରେ ଅଗ୍ରସର ହେଲା ପାନ୍ଥ । ଦିହ ହାତରେ ତା’ର ଏଥର ବାଜୁଛି ମର୍ତ୍ତ୍ୟଲୋକର ଝଲକ ଝଲକ ପବନ । ଆଉ ଅଳ୍ପ ଦୂର ।

 

ଅବଶେଷରେ ସୁଡ଼ଙ୍ଗ ଶେଷ ହେଲା । ଆକାଶ ଓ ମୃତ୍ତିକା ମଝିରେ ଏକ ବରଫାବୃତ ଶୁଭ୍ର ପାହାଡ଼ର ଉପତ୍ୟକାରେ ଆସି ପାନ୍ଥ ଛିଡ଼ାହୋଇଛି । ସେତେବେଳକୁ ରାତ୍ରି ଶେଷ । ଦୂର ଚକ୍ରବାଳରେ ରଙ୍ଗୀନ ତନ୍ଦ୍ରାର ପ୍ରଲେପ । ପଶ୍ଚିମ-ଦିଗନ୍ତ ସମାହିତ । କୌଣସି ନିକଟତମ ପାହାଡ଼-ପଲ୍ଲୀରେ ହୁଏତ ଜାଗିଉଠିଥିଲେ ଗୋରୁ-ମହିଷର ପଲ । ମୃଦୁ ମୃଦୁ ପବନରେ ସେମାନଙ୍କର ନିଶ୍ଵାସର ଉଷ୍ମତା । ଆକୁଳ ଉଲ୍ଲାସରେ ପାନ୍ଥ ନୃତ୍ୟକଲା । ତା’ପରେ ବହୁଦିନର ରୁଦ୍ଧ ଗଳା ଫଟାଇ ଯଥେଚ୍ଛା ଚିତ୍କାର କଲା ଏବଂ ଅବଶ ହେବା ପୂର୍ବରୁ ପାହାଡ଼ର ଶୀର୍ଷଦେଶ ଉପରକୁ ଉଠିଯାଇ ବସିଲା । ତା’ପରେ କେତେ ମିନିଟର ତନ୍ଦ୍ରାପରେ ପୁଣି ଯେତେବେଳେ ନବଜାତ ସୂର୍ଯ୍ୟଆଡ଼କୁ ଆଖିଖୋଲି ଚାହିଁଲା, ସେତେବେଳେ ଚାହୁଁ ଚାହୁଁ ସୂର୍ଯ୍ୟ ହଠାତ ବୈଦୁର୍ଯ୍ୟ ପାଲଟି ଗଲା । ପାନ୍ଥ ଉଠି ଛିଡ଼ାହୋଇ ପଡ଼ିଲା, କିନ୍ତୁ ସେତେବେଳକୁ ତା’ ଗୋଡ଼ ତଳର ଶୈଳଶୀର୍ଷ ହୀରକ ପାଲଟି ଯାଇଥିଲା । ପାହାଡ଼ତଳିର କେତେଗୁଡ଼ିଏ ବଣ୍ୟ ଗୁଳ୍ମଳତା ଚାହୁଁ ଚାହୁଁ ମାଣିକ୍ୟ ଓ ମୁକ୍ତାମୟ ହୋଇଗଲା ।

 

ନାଗଲୋକରେ ଯୁଗ ଯୁଗ କଟାଇବା ପରେ ପାନ୍ଥର ଚକ୍ଷୁଦ୍ୱୟ ପରଶପଥରଠାରୁ କୋଟି କୋଟି ଗୁଣ ଶକ୍ତିଶାଳୀ ହୋଇଯାଇଥିଲା । ତା ଆଖିର ରଶ୍ମିରେ ମର୍ତ୍ତ୍ୟଲୋକର ସବୁକିଛି ରତ୍ନ ପାଲଟିଯିବାକୁ ଲାଗିଲା ।

 

ପାନ୍ଥ ଇଚ୍ଛାକଲା, ଗୋଟାଏ ବିପୁଳ ଚିତ୍କାରର ବିସ୍ଫୋରଣରେ ତା’ ନିଜ ଦେହକୁ ଧୂଳି ଧୂଳି କରି ଫଟାଇ ଦେଇ ମଧ୍ୟ ସେ କାହାକୁ ଅଭିସମ୍ପାତ ଦେବ, କିନ୍ତୁ ସେ ଏକାନ୍ତ ଅବଶ । ସେତେବେଳେ ହୀରାର ଶୈଳଶୀର୍ଷ ଉପରେ ବୈଦୂର୍ଯ୍ୟ ତା’ର ରଶ୍ମିକଣା ଢାଲୁଥିଲା ।

 

ନାଗଲୋକରେ ହଜାରେ ବର୍ଷ କ୍ଷୀଣ ତନ୍ଦ୍ରା ଉପଭୋଗ କରିବାପରେ ପ୍ରଥମଥର ପାଇଁ ପାନ୍ଥ ଏଥର ଗାଢ଼ ନିଦ୍ରାରେ ଶୋଇଗଲା– ଆଉ ଉଠିଲା ନାହିଁ ।

***

 

ଦଳେଇ ଘାଇ

 

ସମଗ୍ର ଆକାଶଟାକୁ କିଏ ଯିମିତି ଚାଷକରିବା ଉଦ୍ଦେଶ୍ୟରେ ହଳକରି ରଖିଚି । କଳା ମୁଗୁନିଆ ମେଘର କାରାଗାର ତଳେ ତିନିରାତି କଏଦି ରହିବାପରେ ମ୍ରିୟମାଣ ଜହ୍ନ ଆକାଶର ଏକ ନିଛାଟିଆ ତଟରେ ଥ’ ମାରି ରହିଯାଇଛି । ତିନିଦିନ ଝଡ଼ସହ ଅହରହ ଲଢ଼େଇକରି କୃଷ୍ଣଚୂଡା ଗଛଟା ଅବାକ୍ ହୋଇ ଛିଡ଼ାହୋଇଛି, ତାର ରଣକ୍ଳାନ୍ତ ଅବୟବ ଗହଳରୁ ଲହୁଭଳି ଥପ୍‍ଥପ୍‍ ପାଣିଟୋପା ଗାଳିଆସୁଛି ।

 

ତନୁ ଟିକିଏ ଛିଡ଼ାହୋଇ ଆକାଶକୁ ଚାହିଁଲା । ଦକ୍ଷିଣ ଦିଗରୁ ଛାଡ଼ି ଛାଡ଼ି ଯାଇ ଉତ୍ତର-ପଶ୍ଚିମର ଆକାଶ ତଳିରେ ମେଘର ସଞ୍ଚାର କ୍ରମଶଃ ବହଳ ହୋଇଆସୁଛି ।

 

‘ତନୁ ଭାଇ !’

 

ଗାଁ ମୁଣ୍ଡ ବନ୍ଧଆଡ଼ୁ ଦଳେ ଟୋକା ଆସୁ ଆସୁ ତନୁକୁ ଡାକିଲେ ।

 

‘ତନୁ ଭାଇ ! ବନ୍ଧ ସେପଟେ ପାଣି ଆହୁରି ବଢ଼ୁଛି । ଆମେ ଯେଉଁଠି ଚିହ୍ନ ଦେଇଥିଲୁ, ସେ ଥାନଟା ବୁଡ଼ିଗଲାଣି ।‘

 

‘ବଢ଼ୁ, ବଢ଼ୁ ! ଯେତିକି ବଢ଼ିଛି ସେତିକି । ଏଣିକି ଆଉ ବଢ଼ିବାର ଉପାୟ ନାହିଁ ।‘ ତନୁ ଆଶ୍ଵାସନା ଦେଲା ।

 

ଝାପ୍‍ସା ଝାପ୍‍ସା ଅନ୍ଧାରରେ ଦଳ ପଛପଟୁ ଜଣେ କିଏ କହିଲା, ‘ତନୁ ଭାଇ, ଯଦି ବନ୍ଧ ଭାଙ୍ଗିଯାଏ ?’

 

କୃଷ୍ଣଚୂଡ଼ା ଗଛଟାକୁ ଦୋହଲାଇ ଦେଇ ପଟ ପଟ୍ ପଟ୍ କରି ଗୋଟାଏ ପୃଥୁଳକାୟ ପକ୍ଷୀ ଉଡ଼ିଗଲା ବନ୍ଧଆଡ଼କୁ । ସମସ୍ତଙ୍କ ଉପରେ ପାଣିପଡ଼ିଲା । ତନୁ ଟିକିଏ ଘୁଞ୍ଚିଆସି କହିଲା– ‘ବନ୍ଧ ଭାଙ୍ଗିବା ଏତେ ସହଜ କଥା ନୁହେଁ ।‘ ଟିକିଏ ରହି ସେ ପୁଣି ଯୁକ୍ତି ଯୋଗକରି କହିଲା, ‘ଏଇଟା ତ ଆଉ ଅନ୍ଧାରି ଯୁଗ ନୁହେଁ । ନଈରେ କେତେ ଇଞ୍ଚ ବର୍ଷା ହେଲା କେତେ ଫୁଟ ପାଣି ବଢ଼ିବ, ସେ ସବୁର ଟିକିନିଖି ହିସାବ ସରକାରୀ ଅଫିସରେ ରହେ । ବନ୍ଧ କେତେ ପାଣି ସମ୍ଭାଳିପାରିବ, ତାର ଜୋର କେତେ, ସରକାର ସବୁ ଖବର ରଖିଥାନ୍ତି । ବନ୍ଧ ଭାଙ୍ଗିବାର ଥିଲେ ସରକାରୀ ଲୋକେ ଆଗରୁ ବନ୍ଧ ମରାମତ କରିଥାଆନ୍ତା ଆଉ ଆମକୁ ବି ହୁସିଆରି ଦେଇଥାଆନ୍ତା-

 

ଅନୁଜ୍ଜ୍ଵଳ ରାସ-ଜ୍ୟୋତ୍ସ୍ନାରେ କାହାରି ମୁହଁର ଭାବ ବାରି ନହେଉଥିଲେବି ବହୁକ୍ଷଣ ପରେ ଗୋଟାଏ ଆଶ୍ଵସ୍ତିର ଉଷୁମ ଅନୁଭବ କରିହେଲା । ଜଣେ କିଏ କହିଲା- “ତା ଛଡ଼ା ଏଇ ହେଲା ଅସୁମାରି କାଳର ପୁରୁଣା ବନ୍ଧ । ମା’ ଭଳି ଆମକୁ କୋଳକରି ରକ୍ଷାକରି ଆସିଛି । ଇଏ ଇମିତି ନଷ୍ଟହେବନି, ୟା’ର ଭାଙ୍ଗିବାର ସମୟ ଆସିନି । ଇଏ କେବେ ଭଙ୍ଗିବ ଜାଣିଛ ?”

 

ତା’ ମୁହଁରୁ ଛଡ଼ାଇନେଇ ଆଉଜଣେ ଜବାବ ଦେଲା- “ହଁ ଯେବେ ସିନ୍ଦୂର ମୁଣ୍ଡିଆ କୁମ୍ଭୀର ଭୁସ୍‍କିନା ବନ୍ଧ କଣା କରିଦେଇ ଏପଟକୁ ବାହାରିବ ଆଉ ଗୋଟା ଦେଶ ଜଳାର୍ଣ୍ଣବ କରିଦେଇ ଠାକୁରାଣୀଙ୍କଠି ମୁଣ୍ଡିଆମାରି ଯାଇ ସମୁଦ୍ରରେ ଲୁଚିଯିବ- ସେତେବେଳକୁ ଏ ବନ୍ଧ ଭାଙ୍ଗିଯିବ । କଳିକାଳ ଶେଷହେବା ବେଳକୁ । ଅଭି ନୁହେଁ ।“

 

ଏଥର ଜଣେ ଗୁଣୁ ଗୁଣୁ କରି ଗୀତ ଗାଇବାକୁ ଆରମ୍ଭ କରିଦେଲା, କାରଣ ଏ କିମ୍ବଦନ୍ତୀ ଉପରେ ଅବିଶ୍ଵାସ କରିବାର ବିଶେଷ କାରଣ ନାହିଁ । ପିତୃ ପିତାମହ ଅମଳରୁ କଥାଅଛି-। ଅବଶ୍ୟ କଳିକାଳ ଦିନେ ସରିବ, ତେବେ ଆଜି ନୁହେଁ ନିଶ୍ଚୟ ।

 

ଧୀରେ ଧୀରେ ସମସ୍ତେ ପୁଣି ବନ୍ଧଆଡ଼କୁ ମୁହାଁଇବାକୁ ଆରମ୍ଭ କରିଥିଲେ । ଗାଁ ପରେ ବନ୍ଧ ପର୍ଯ୍ୟନ୍ତ ବିସ୍ତୃତ ଫସଲ ଭୁଇଁ । ସେମାନଙ୍କ ସ୍ନିଗ୍‍ଧ ନୀଳ ତନୁ ଉପରେ ଆବୋରିଯାଇଛି ଜହ୍ନର ସ୍ନିଗ୍‍ଧ-ଜରୀ ଉତ୍ତରୀୟ ।

 

“ଏଃ, ସାବଧାନରେ ଆସ ।“ ଆଗୁଆ ପିଲାଟି କହିଲା ।

 

“ଦୂର ! ଏଇଟା ମାଟି ବିଡ଼ାଳିଆ ସାପଟିଏ । କାମୁଡ଼ି କାମୁଡ଼ି ଝିଣିଦେଲେ ବି ଟିକିଏ ଛେପ ବୋଳିଦେଲେ – ବାସ୍ ! ବିଷ ଗନ ।“

 

ଇଂରାଜୀ ମିଶାଇ କଥାକହି ଆଗକୁ ବାହାରିଗଲା ରଥୀ । ତନୁ ସହ କଟକ ଯାଇ ଜଣକ ଘରେ ପୂଜାରୀ ରହିଥିଲା ସେ କିଛି ମାସ ।

 

“ଏଇ ରଥୀ ! ବନ୍ଧ ଉପରେ ସେମାନେ କିଏକିରେ !”ତନୁ ପଚାରିଲା । ଅଳ୍ପ ଦୂରରୁ ବନ୍ଧ ଉପରେ ଗୁଡ଼ାଏ ମଣିଷ ଟଳମଳ ହେଉଥିଲେ । ସବୁଗୁଡ଼ାକ ଏକା ସାଇଜର ।

 

ରଥୀ ଏକାବେଳକେ ତଳୁ ପାଟିକରି ଡାକିଲା- “ଆବେ ବନ୍ଧକା ଉପର କୌନ୍ ହେ ।“

 

ହଠାତ ସମସ୍ତଙ୍କ ଆଖି ବୁଜି ହୋଇଗଲା । ଚମ ଜାଳିଦେଲା ଭଳି ଟର୍ଚ୍ଚ ଲାଇଟ କେତେଟା ପଡ଼ିଲା ଏମାନଙ୍କ ମୁହଁରେ । ବନ୍ଧ ଉପରୁ ଅଚିହ୍ନା ସୁରରେ ଢେଲା ଭଳି କେତୁଟା ଶବ୍ଦ ପଡ଼ିଲା- “ଏଇ ବେକୁବ୍ ! ନୀଚେ ହଠ୍ ଯାଓ ।“

 

ସମସ୍ତେ ରହିଗଲେ । କିଛି କିଛି ସମୟ ପରାମର୍ଶ କରିବାପରେ ତନୁ ଏକୁଟିଆ ସେମାନଙ୍କ ପାଖକୁ ଯାଇ ଫେରି ଆସିଲା ।

 

“ସରକାରୀ ଲୋକେ । ବନ୍ଧ ପରୀକ୍ଷା କରିବା ପାଇଁ ଆସିଥିଲେ ପରା ! କହିଲେ – କିଛି ଭୟ ନାହିଁ । ହୈହଲ୍ଲା ନ କରି ଯାଇ ଶୋଇପଡ଼ ।“

 

ମଝି ରାତିରେ ଯେତେବେଳେ ତନୁ ଦରଜା ଖୋଲି ପିଣ୍ଡାରେ ଆସି ଦୁଇମିନିଟ ଛିଡ଼ାହେଲା, ସେତେବେଳେ ତା’ନିଦ ଜୁଡ଼ବୁଡ଼ ଆଖିରେ ବିସ୍ମୟଭରା ସୁନ୍ଦର ଟିକିଏ ଆନନ୍ଦ ।

 

ସେ ସ୍ଵପ୍ନ ଦେଖିଛି ।

 

ଚପରାସୀ ତନୁ ଦୁଇଦିନ ପାଇଁ ଗାଁକୁ ଆସି ବିନା ଅନୁମତିରେ ଛଅଦିନ ରହିଲାଣି । ଭାବୁଥିଲା, ଗଲା କାଲିଠୁଁ ଲେଉଟି ଯିବବୋଲି । କିନ୍ତୁ ଏଇ ବନ୍ୟା ଆଉ ଗାଁ ବ୍ୟାପୀ ଆତଙ୍କ ଭିତରେ ସେ ବି ଉବୁଟୁବୁ ହୋଇ ରହିଯାଇଛି !

 

ଆଃ, ଏଇ ମୁହୂର୍ତ୍ତକର ସ୍ଵପ୍ନ ! ଆଉ ଥରେ ଶୋଇଥିଲେ ସେଇ ସ୍ଵପ୍ନଟା ଯେଉଁଠି ଭାଙ୍ଗିଗଲା, ଶେଉଠୁ ଆରମ୍ଭ ହୁଅନ୍ତା କି ! ତନୁ କବାଟ ବନ୍ଦକରି ଯାଇ ପୁଣି ଶୋଇଲା । ଯାହାକୁ ସ୍ଵପ୍ନରେ ଦେଖୁଥିଲା ସେ ପାଖରେ ଶୋଇଛି । ନିଦବେଳେ ତା’ର ଫୁଲା ଫୁଲା ଆଖି ଦିଟା କେଡ଼େ ସୁନ୍ଦର । ଲକ୍ଷ୍ମୀ ଶୋଇଛି, ତନୁ ଓ ଲକ୍ଷ୍ମୀ ଭିତରେ ଆଉ ଜଣକର ଅସ୍ତିତ୍ୱ ବି ଧୀରେ ଧୀରେ ଫୁଟନୋନ୍ମୁଖ । ଅବଶ୍ୟ ଏଇ ମୁହୂର୍ତ୍ତରେ ସେ ଶୋଇବା ଚେଇଁବାର ଊର୍ଦ୍ଧ୍ଵରେ ତେବେ ଆଉ କିଛିଦିନ ପରେ ଦୁହିଙ୍କ ଭିତରେ ଏଇ ଚାଖଣ୍ଡେ ଅଣଓସାରିଆ ସ୍ଥାନ ଭିତରେ ସିଏ ବିରାଜମାନ କରିବ ।

 

ତନୁ ସ୍ଵପ୍ନ ଦେଖିଛି ଏଇକଥା; ଟିକିଏ ଅସ୍ପଷ୍ଟ ଭାବରେ ହେଲେ ବି ।

 

ତନୁ ଯେଉଁ କଡ଼ରେ ଶୋଇଥିବାବେଳେ ସ୍ଵପ୍ନ ଦେଖିଥିଲା, ପୁଣି ସେଇ କଡ଼ରେ ଶୋଇଲା । ଲକ୍ଷ୍ମୀକୁ ଥରେ ଡାକିଦେବାକୁ ଇଚ୍ଛା ହେଉଥିଲା । କିନ୍ତୁ ବିଚାରୀ ଢେର ରାତି ଯାଏ କାମକରି ଶୋଇଛି । ଶୋଉ ।

 

ତନୁ ଏଥର ସ୍ଵପ୍ନ ଦେଖିବାର ଚେଷ୍ଟାକଲା ।

 

ଧଡ଼କିନା ଉଠି ବସି ତନୁ ପ୍ରଥମେ ଭାବୁଥିଲା, ଯାହାକୁ ଆଗରେ ପାଇବ, ଗୋଟାଏ ଥାପଡ଼ ବସାଇ ଦେବ ବୋଲି । କିନ୍ତୁ ଲକ୍ଷ୍ମୀର ମୁହଁରେ ଏଭଳି ଭୟାବହ ଭାବ ସେ କେବେ କଳ୍ପନା ବି କରିନଥିଲା । ସ୍ଵପ୍ନ ଓ ଜାଗରଣର ବ୍ୟବଧାନ ଟିକକ ବୁଝିବା ପୂର୍ବରୁ ଲକ୍ଷ୍ମୀ ତାକୁ ଖଟ ଉପରୁ ଖସାଇ ଦେଇ ସାରିଥିଲା । ତନୁ ଏଥର ଦଉଡ଼ି ବାହାରିଗଲା ପଦାକୁ ---

 

ଠିକ୍ ତା ଘର ଆଗର ସତୁରୀ ବର୍ଷର ବୁଢ଼ା କାର୍ତ୍ତିକ ଜେନାର ଦେଢ଼ମହଲା ଘରର ଗୋଟାଏ ଅଂଶ ଦୁମ୍‍କିନା ଖସିପଡ଼ିଥିଲା ତଳକୁ । ତନୁର ମାଆ ଘର ଭିତରୁ ବାହାରୁ ବାହାରୁ ଗୋଡ଼ଛନ୍ଦି ଦୁଆରବନ୍ଧ ଉପରେ କଚାଡ଼ି ହୋଇପଡ଼ିଥିଲେ । ତାଙ୍କ ପାକୁଆ ପାଟି ଭିତରକୁ ହାବୁକା ହାବୁକା ପାଣି ପଶିଯାଉଛି । ବୁଢ଼ୀର ଥର ଥର ଦେହଟାକୁ କୋଳକୁ ଟେକିନେଇ ତନୁ ଥରେ ଦି’ଥର ନିଜ ଚାରିପଟେ ବୁଲିଗଲା । ତାପରେ ପିଣ୍ଡା ତଳକୁ ଡେଇଁପଡ଼ି ବୁଢ଼ୀର ଅଥର୍ବ ଦିହକୁ ଚାଳ ଉପରକୁ ଫୋପାଡ଼ିଦେଲା । ପିଣ୍ଡା ଧସ୍ ଧସ୍ ଗାଳିପଡ଼ୁଛି । ପିଣ୍ଡା ଉପରେ ଚାଖଣ୍ଡେ ପାଣି ---

 

ଚାହୁଁ ଚାହୁଁ ଆଣ୍ଠିଏ । ଝରକା ଟପି ଘର ଭିତରକୁ ସୁଅ ଆରମ୍ଭ ହୋଇଗଲା । ପୋଷା ବିଲେଇଟା ବୁଡ଼ୁଚି ଉଠୁଚି- ପାଖ ଖୁଣ୍ଟକୁ ଧରିବାର ଚେଷ୍ଟା କରୁଛି । ଚାରିଆଡ଼େ ଅଦ୍ଭୁତ, ଅନନୁଭୂତ ଶଙ୍କା । ମଣିଷ ଓ ପ୍ରକୃତିର ଚିତ୍କାର । ଲକ୍ଷ୍ମୀ ଛିଡ଼ା ହୋଇଛି ପେଟେ ଜଳରେ । ସୁଅ ବଢ଼ୁଛି । ତନୁ ଲକ୍ଷ୍ମୀଆଡ଼କୁ ଆଗେଇ ଗଲା । ଚାଳ ଉପରେ ମା ବୁଢ଼ୀ ପାଟିକରି କାନ୍ଦିବାକୁ ଲାଗିଛି କ୍ଷୀଣ କଣ୍ଠରେ-। ତନୁ ଯେତେବେଳେ ଲକ୍ଷ୍ମୀକୁ ଧରି ଚାଳ ଉପରକୁ ଉଠାଇଲା, ସେତେବେଳେ ଲକ୍ଷ୍ମୀ ବି କାନ୍ଦିବାକୁ ଆରମ୍ଭ କରିଚି ।

 

ତନୁର ମନେପଡ଼ିଲା– ଗାଁ ବଡ଼ ପୋଖରୀ ଓ ବିଲ ମଝିରେ ଗୋଟାଏ ଡଙ୍ଗା ମାଟିରେ ବସି ଯାଇଥିଲା । ସେଟାକୁ ଯଦି ଉଠାଇ ହୁଏ ! ପାଣି ଛପ୍ ଛପ୍ କରି ସେ ଦଉଡ଼ିଲା । ପଛରୁ ଲକ୍ଷ୍ମୀର ପାଟି ଶୁଭୁଛି । ଶୁଭୁ । ଲକ୍ଷ୍ମୀକୁ ସେ ବଞ୍ଚାଇବ । ଡଙ୍ଗାଟା ଯଦି ମିଳିଯାଏ !

 

ପାଣି ବଢ଼ୁଚି । ଗାଁ ତୁଠ ପାଖରେ ବେକେ ପାଣି । ନୌକାଟା ଅସ୍ଥିର ଭାବରେ ଭାସୁଛି- ତାକୁ ଜଡ଼ାଇ ଧରି ଉଠିବାର ଚେଷ୍ଟା କରୁଛନ୍ତି ଅନ୍ତତଃ ତିରିଶ ଚାଳିଶ ମାଇକିନିଆ, ମରଦ ।

 

ସୁଅ ଭାଙ୍ଗି ତନୁ ଯାଇ ପହଞ୍ଚିଲା ।

 

ତିରିଶ କି ଚାଳିଶ ଲୋକ, ସମସ୍ତେ ତନୁର ଘନିଷ୍ଠ, ସମସ୍ତେ ମନାକରିଉଠିଲେ ଅକଥ୍ୟ ଭାବରେ ।

 

ହତାଶ ତନୁ କିଛି ନ କହି ଆକଣ୍ଠ ବୁଡ଼ି ନୌକାର ଗୋଟାଏ ମଙ୍ଗକୁ ହାତରେ ମୁଠାଇ ଧଇଲା ।

 

“ଛାଡ଼ ! ଛାଡ଼”– କିଏ ଗୋଟାଏ କାତ ଉଠାଇଲା ତାହାରି ଆଡ଼କୁ ।

 

ନୌକା ଛାଡ଼ିଦେଇ ସୁଅ ସାଙ୍ଗରେ ଲଢ଼େଇକରି ତନୁ କେଇ ପାହୁଣ୍ଡ ଆଗକୁ ବଢ଼ିବା ପରେ ପଚ୍ଛରୁ ସମବେତ ଚିତ୍କାର ଶୁଣିଲା । ରଥୀ ରଡ଼ିକରୁଚି–“ତନୁ ଭାଇ, ଦଉଡ଼ିଟାକୁ ଧରିନିଅ । ନୌକା ସୁଅରେ ପଡ଼ିଯାଇଛି ।“

 

ତନୁ ଛିଡ଼ାହେଲା । ରଥୀ ଫୋପାଡ଼ିଦେଲା ପ୍ରକାଣ୍ଡ ଦଉଡ଼ାର ଗୋଟାଏ ଦିଗ । ତନୁ ଧରିନେବା ବେଳକୁ ଅନ୍ୟ ପାଖଟା କିନ୍ତୁ ରଥୀ ହାତରୁ ଖସିଗଲା । ନୌକା ଘୂରି ଘୂରି ଦୂରେଇ ଯାଉଛି । ନୌକା ଭିତରେ ତୁମୁଳ ଆର୍ତ୍ତନାଦ । ତନୁ ଦଉଡ଼ିର ଗୋଟିଏ ପାଖ ନୌକା ଆଡ଼କୁ ଫୋପାଡ଼ିଲା । ସାଏଁ କରି ନୌକା ଘୂରି ଘୂରି ପଶିଯାଉଛି ତଳଆଡ଼କୁ । ତନୁ ଆଉ ଚାହିଁଲା ନାହିଁ ।

 

ନିଜ ଘର ପାଖକୁ ଯିବା ପୂର୍ବରୁ ତନୁ ଆଗରେ ଖସିଗଲା କାର୍ତ୍ତିକ ଜେନାର ମାଟି କୋଠାର ବାକି ଅଂଶ । ଚାରିଆଡ଼େ ଚାଳ ଉପରେ ମଣିଷ ଭର୍ତ୍ତି ହୋଇଗଲେଣି । କାନ୍ଦ ନ ହେଲେ ବି ଖୁବ୍ ଜୋରରେ ଚିତ୍କାର । କିନ୍ତୁ ସବୁ ଲୁଚିଯାଉଛି ଅସଂଖ୍ୟ ହାବୋଳି ଭଳି ପାଣିର ସୁ ସୁ ଚିତ୍କାର ଭିତରେ ।

 

ତନୁ ପାଣି ପିଇଗଲା ତିନି ଚାରି ଢୋକ । ଆଉ ଆଗେଇ ଯାଇ ହେଉନି । ସମ୍ମୁଖର ଖଜୁରୀ ଗଛକୁ କୁଣ୍ଢାଇ ଧରି ସେ ଉଠିବାକୁ ଲାଗିଲା । ପୂର୍ବରୁ ଖଜୁରୀ ଗଛ ମୁଣ୍ଡରେ ଆଶ୍ରା ନେଇସାରିଛି କଳା ହଳଦିଆ ରଙ୍ଗର ସରୁ ସାପଟିଏ । ଆଗକୁ ହାତେ ଛାଡ଼ି ତନୁ ମଝିରେ ଓହଳି ରହିଲା । ତନୁର ଖଜୁରୀ ଗଛ ଆଉ ଲକ୍ଷ୍ମୀ ଚଢ଼ିଥିବା ଚାଳ ଭିତରେ ଅନ୍ତରାୟ ସୃଷ୍ଟିକରିଛି ବୁଢ଼ା କାର୍ତ୍ତିକ ଜେନାର ଧ୍ଵଂସମାନ ବୁଡ଼ନ୍ତ ଘର । କାର୍ତ୍ତିକ ଜେନା କାହିଁଗଲା ? ତନୁ ଚାରିଆଡ଼କୁ ଆଖି ବୁଲାଇଲା । ଚାରିଟା ଟଙ୍କା ସିନ୍ଦୁକକୁ ଜାବୁଡ଼ିଧରି ବୁଢ଼ା ହୁଏତ ମାଟିତଳେ ବିଶ୍ରାମ କରିଥିବ ।

 

ଗଛ ଅଗର ହଳଦିଆ-ନୀଳ ସାପଟା ଫଣା ତଳକୁ କରି ପାଣି ଉପରକୁ ଓହଳିପଡ଼ି କ’ଣ ବାସନା ବାରୁଛି । ତନୁ ଆଉଟିକିଏ ଖସି ପାଣିକୁ ଗୋଡ଼ ବଢ଼ାଇ ବାଡ଼ିଟିଏ ଅଟକାଇ ଧରିଲା-। ହାତକୁ ନେଇ ଚିହ୍ନିଲା– ଗାଁ ଯାତ୍ରା ଦଳର ଅଷ୍ଟବକ୍ର ଋଷିର ଅଭିନୟ କରୁଥିବା ଟୋକାର ବଙ୍କାବାଡ଼ି ସେଇଟା । ସୌଖୀନ୍ ଆଖଡ଼ାଘର ଧୋଇହୋଇ ଯାଇଛି ।

 

ବାଡ଼ିଧରି ତନୁ ଉପରକୁ ଉଠିଲା । ସାପ ସିମିତି ଓହଳିପଡ଼ିଛି । ସମସ୍ତ ଜୋରଦେଇ ବାଡ଼ି ଉଞ୍ଚାଇ ତନୁ ସାପର ଲାଞ୍ଜଆଡ଼େ ପାହାର ପକାଇଲ । ଥପ୍‍କରି ସେ ପଡ଼ିଗଲା ସୁଅରେ ।

 

ତନୁ ଆଉ ଦୁଇ ଧାପ ଉପରକୁ ଉଠିଗଲା । ଘଣ୍ଟାପରେ ଘଣ୍ଟା କଟିଚାଲିଛି । ମଣିଷ, ଗାଈ-ଗୋରୁ, ସିନ୍ଦୁକ, ପେଟରା, ସବୁ ଭାସି ଚାଲିଛନ୍ତି ଶୋଭାଯାତ୍ରା କରି । ଭୟାବହ ଶବ୍ଦ । ତା’ଭିତରେ ମଣିଷ, ପଶୁର ଚିତ୍କାର–ସବୁ ଜୀର୍ଣ୍ଣ ହୋଇଯାଇଛି । ସନ୍ଧ୍ୟା ହେଲା । ଆଦିଗନ୍ତ ମତ୍ତ ପାଣିର ଘୂର୍ଣ୍ଣି ଭିତରେ ସୂର୍ଯ୍ୟ ବୁଡ଼ିବା ପରେ ଆଉ ଯେ ଉଠିବ, ସେ କଥା ସନ୍ଦେହଜନକ ମନେ ହେଉଥିଲା ତନୁକୁ ।

 

ଲକ୍ଷ୍ମୀର ନାମଧରି ସେ ଗଳାଫଟାଇ ଚିତ୍କାର କଲା କେତେଥର । ତା’ପରେ ବୋଉ ବୋଉ ବୋଲି । ରାତି ଘନେଇ ଆସିଲା ।

 

ଭୋର ବେଳକୁ କାର୍ତ୍ତିକ ଜେନାର ଚାଳ ଆହୁରି ବସିଯାଇ ପାଣିରେ ସମତଳ ହୋଇଯାଇଥାଏ । ତେଣୁ ତନୁ ଦେଖିପାରିଲା, ତା’ଘର ଚାଳ ଉପରେ ବୁଢୀ ଓ ଲକ୍ଷ୍ମୀ ବସିଛନ୍ତି । ଚାଳଟା କ୍ରମେ ଜୀର୍ଣ୍ଣ ହୋଇଆସୁଛି । ଏଥର ବୋଉ ପାଟିକଲା ଆଗ ଥର ଥର ଗଳାରେ– “ତ-ନୁ ଉଁ ଉଁ –“ । ତନୁ ଜବାବ ଦେଲା ଆଉ ହାତହଲାଇ ସେଇଠି ବସି ରହିବାକୁ ଇଙ୍ଗିତ ଦେଲା ।

 

ତନୁର ଦେହ ହାତ ଯିମିତି ଶିଥିଳ ହୋଇଆସୁଛି, ହଠାତ ଖସିପଡ଼ିବ ଅବା ମନେହେଉଛି । ସୂର୍ଯ୍ୟ ଉଠିଲା । ବିନା କଥାରେ ବହୁ ସମୟ ଯାଏ ତନୁ ଓ ତା’ର ବୁଢ଼ୀମା ଖାଲି ପରସ୍ପରକୁ ପାଟିକରି ଡାକି ଚାଲିଲେ ।

 

ତା’ପରେ ସମସ୍ତ ଦିନ ନିସ୍ତବ୍ଧ, ନୀରବ । ଦି’ପହରେ ଚାରିଆଡ଼େ ଘୋଟିଆସିଲା ବର୍ଷା । ତନୁ ଖାଲି ଚାହିଁ ଚାହିଁ ଦେଖୁଥାଏ, କୁହୁଡ଼ିମୟ ଝଞ୍ଜା ଭିତରେ ତା’ର ମା ଓ ସ୍ତ୍ରୀ ପରସ୍ପରକୁ କୁଣ୍ଢାଇଧରି ବସିଛନ୍ତି । ଚାଳର ଗୋଟାଏ ପାଖ ଖୋଲିଯାଉଛି । ସେଇ ବର୍ଷା ଭିତରେ ସୂର୍ଯ୍ୟ କେତେବେଳେ ଧୋଇହୋଇ ବୁଡ଼ିଲା, ଜଣାଗଲା ନାହିଁ । ଭୋକ ଓ ଝଡ଼ ବର୍ଷାର ମାଡ଼ରେ ତନୁର ଦେହରେ କିମିତି ନିଶାଭଳି ଘୋଟି ଆସୁଥାଏ । ସେ ଆଖିବୁଜି ଖଜୁରୀ ଗଛର ଆବୁ ଦେହରେ ଗାଲ ଜାକି ଜଡ଼ି ରହିଥାଏ । ମେଘର ଅନ୍ଧାରପରେ ଯେତେବେଳେ ସନ୍ଧ୍ୟାର ଅନ୍ଧାର ଘନହେଲା, ତନୁ ଥରେ ଚିହିଙ୍କି ବସି କାନଡେରିଲା । ତାହାରି ଘର ଚାଳରୁ ଲକ୍ଷ୍ମୀ ଆଉ ବୁଢ଼ୀ ରଡ଼ି କରୁଛନ୍ତି । ସେ ଥରେ ଦୁଇଥର ଜବାବ ଭଳି ଗୋଟାଏ କିଛି କହିବାର ଚେଷ୍ଟାକଲା । ଅନ୍ଧାର ଭିତରେ ଚାଳଟାବି ଆଉ ଦେଖାଗଲା ନାହିଁ ।

 

ରାତି ଭିତରେ ବହୁବାର ବଳ ସଂଗ୍ରହକରି ତନୁ ଲକ୍ଷ୍ମୀର ନାମଧରି ଡାକିଲା ଆଉ ଆଖି ଯଥାସମ୍ଭବ ତରାଟି ଅନ୍ଧାର ଭେଦି ତାକୁ ଦେଖିବାକୁ ଉଦ୍ୟମ କଲା । କିନ୍ତୁ ଯେତେବେଳେ ସକାଳହେଲା ସେତେବେଳେ ତାର ଜୀର୍ଣ୍ଣ ଚାଳ ଆଉ ସେ ସ୍ଥାନରେ ନ ଥିଲା । ଲକ୍ଷ୍ମୀ ଆଉ ବୋଉର ଗତ ରାତିର ଚିତ୍କାରତକ ତାର ଦୁଇ କାନରେ ଜମାଟ ବାନ୍ଧି ରହିଥିଲା ।

 

ତାର ଚପରାସୀ ଚାକିରିର ପଇସାରେ ବୁଣା ଚାଳଟା ହୁଏତ ଧୀରେ ଧୀରେ ଖସି ଖସି ପାଣି ଭିତରେ ମିଶିଗଲା, ଯିମିତି ମିଶିଯାଉଛି କାର୍ତ୍ତିକ ଜେନାର ଖାସ୍ ସୁଧରେ ବୁଣା ବୁନିଆଦି ଚାଳ-

 

ଆଉ ଗୋଟାଏ ସାପ ଓ ସାପ ଛୁଆ ଉଠୁଛନ୍ତି ଗଛ ଉପରକୁ । ତନୁ ଆଉ ଟିକିଏ ଜାକିଜୁକି ବସିଲା । ଦି’ପହରେ ନୀଳ ଉଡ଼ାଜାହାଜଟିଏ ଭଁ ଭଁ କରି ଉଡ଼ିଗଲା ଖୁବ୍ ତଳେ । ଏଇ ଉଡ଼ାଜାହାଜରେ ଯିଏ ବସିଛି, ସେ ସବୁ ଦେଖୁଛି, ଅଥଚ ନିରାପଦ । କିଏ ବସିଛି- ସାହେବ ? ଯାହାପାଖରେ ସେ ଚପରାସୀ ? ନାଁ, ମୁଖ୍ୟମନ୍ତ୍ରୀ, ଯାହାଙ୍କ ସହ କେତେମାସ ତଳେ ତଳିଆ କର୍ମଚାରୀ ସମ୍ମିଳନୀରେ ସେ କରମର୍ଦ୍ଦନ କରିବାର ସୁଯୋଗ ପାଇ ଧନ୍ୟ ହୋଇଥିଲା । ଅଥଚ ଏତେ ପାଖଦେଇ ଉଡ଼ିଯାଇ ବି, କେତେ ବ୍ୟବଧାନ ବର୍ତ୍ତମାନ !

 

କାର୍ତ୍ତିକ ଜେନାର ଚାଳ ପୂରାପୂରି ବୁଡ଼ିଯାଇଛି । ଲକ୍ଷ୍ମୀ ନାହିଁ । ବୋଉ ବୁଢ଼ୀ ! କେଉଁ ଅଜ୍ଞାତ କାଳରୁ ବାପ ମରିବାଠୁଁ ବୁଢ଼ୀ ହିଁ ତିଆରିକରି ସାଇତି କରି ରଖିଥିଲା ତାର ସଂସାର । ତନୁର ବାହାଘର କରାଇଥିଲା ଲକ୍ଷ୍ମୀ ସହ । ସମସ୍ତ ଇତିହାସ, ସମସ୍ତ କିଛି କେଇ ଇଞ୍ଚ ପଟୁମାଟି ତଳେ ଲିଭିଯିବ ।

 

ଦୁଇ ରାତି ତଳେ ଲକ୍ଷ୍ମୀ ଶୋଇଥିଲା ତାପାଖରେ । ସେ ସ୍ଵପ୍ନ ଦେଖୁଥିଲା ।

 

ଆକାଶରେ ପକ୍ଷୀଟିଏ ବି ଉଡ଼ୁନଥିଲା । ଏବେ ବହୁ ଦୂରରୁ ପଞ୍ଝାଏ କଳାକଳା ଉଡ଼ି ଆସୁଛନ୍ତି- ଶାଗୁଣା ।

 

ତନୁ ପଡ଼ିଯାଇଥାନ୍ତା । କାରଣ ଅତର୍କିତ ଭାବରେ ଖଜୁରୀ ଗଛଟା ଆଗକୁ ଝୁଙ୍କିପଡ଼ି ଆଉ ଗୋଟାଏ ଗଛରେ ଠେକ ଲାଗିଗଲା । ତନୁ ଲକ୍ଷ୍ୟକରି ଦେଖିଲା ସେ ଗଛଟା ମଧ୍ୟ ନଇଁଆସୁଛି ତଳକୁ ।

 

ଦୁଇଟା ଗଛ ନଇଁଆସୁଛି । ହଠାତ ନୁହେଁ, ଆସ୍ତେ ଆସ୍ତେ । ପାଖରେ ଅନ୍ୟକିଛି ଗଛ ବା ଘର ଆଉ ନାହିଁ । ତନୁ ସଜାଡ଼ିହୋଇ ବସିଲା । ତାର ହଲ୍‍ଚଲରେ ଗଛ ଆଉରି ଟିକିଏ ନଇଁପଡ଼ିଲା ।

 

 

 

 

 

ଦୁଇଦିନ ଆଗେ ଏହା ଭରା ଫସଲ ଭୂଇଁ ଥିଲା । ଭବିଷ୍ୟତରେ ବି ଫସଲ ଭୂଇଁ ରହିବ-। ତନୁ– ଏଇ ମାଟିରେ ବଢ଼ିଥିଲା, ଦିନେ ଏଇ ମାଟିରେ ମିଶନ୍ତା । ତେବେ–

 

ତନୁ ଦୁଇରାତି ଆଗେ ଦେଖିଥିଲା– ତା’ର ସେ ସ୍ଵପ୍ନ ????

***

 

ଜାଆଁଳା ଘାଇର କୂର୍ମ

 

ଜାଆଁଳା ଘାଇର କୂର୍ମକୁ ସମସ୍ତେ ଚିହ୍ନିଥିଲେ ।

 

ତୂଳାଭିଣା ଭଳି କୁହୁଡ଼ି– ଫଟା ପ୍ରତ୍ୟୁଷରେ ଯେତେବେଳେ ଗାଁ ଚାରିପଟ ଅଶ୍ଵତ୍‍ଥ ଗଛ ସବୁର ଥଣ୍ଡା ଜୁଡ଼ୁବୁଡ଼ୁ ଦିହ ଭିତରେ ଚିଲ, ଶଙ୍ଖଚିଲର ବି ସ୍ଵପ୍ନ ଭାଙ୍ଗିନଥାଏ, ଗୋହିରି ରାସ୍ତାର କିଆବୁଦା ତଳେ ତଳେ ହୁକ୍‍କା ଅଗରେ ଗୁଡ଼ାଖୁ ଚିଲମ ଲଗାଇ ଆଉଁଷାବିଲେଇ ଭଳି ଘୁଡ଼ୁରୁ ଘୁଡ଼ୁରୁ କରି ସେ ଚାଲିଥାଏ ବିଲଆଡ଼େ । ଘଡ଼ିଏ ଯାଏ ଏ ହିଡ଼ରୁ ସେ ହିଡ଼କୁ ପାହୁଣ୍ଡ ବଦଳକରି ସେ ଗାଁ ଭିତରକୁ ପ୍ରତ୍ୟାବର୍ତ୍ତନ କରିବାବେଳକୁ ବାଲି ସାଲୁବାଲୁ ସାହି ରାସ୍ତା ଉପରେ ଗଛପତ୍ରର ଫାଙ୍କଦେଇ ଝରଝର ଉଷା ବୁଣି ପଡ଼ିଥାଏ ।

 

ସତୁରା ମା ସେତେବେଳେ ତା କୁଡ଼ିଆ ଆଗ ରାସ୍ତାରେ ଗୋବର ପାଣି ସିଞ୍ଚି ଝାଡ଼ୁ ଦେଉଥାଏ । କଳା ମୁଗୁନି ପଥର ଭଳି ପିଠି ଭିତରର ସୁପ୍ରାଚୀନ ମେରୁଦଣ୍ଡଟାକୁ ସଳଖ କରିବାର ଚେଷ୍ଟାକରି ଜାଆଁଳା ଘାଇର କୂର୍ମ ସେଠି ଛିଡ଼ାହୁଏ ।

 

“ହଇଲୋ ମା, ତୋର ସେଇ ତୁଠ ସେପଟ ଫାଳୁଆ ଜମିଟାକୁ ରଘୁ ଜେନା ଭାଗ କରୁଚି ପରା ? ତହିଁରେ ଏକା ଏ ବର୍ଷ ଭଲ ଫସଲ ଉଧେଇବ । ସିଏ ପରା କହରା ମାଟି, ତା ପେଟରେ କାମଧେନୁ ଭଳି ରସ ଅଛି । ଯେତେ ଯୁଗ ଟାଣିଲେ ବି ସିଏ ଧାନ କେରାକୁ କ୍ଷୀର ଯୋଗାଇବା ବନ୍ଦ କରିବ ନାହିଁ । ହେଲେ ରଘୁ ସାଉଘର ଜମି ଦୁଇ ମାଣରେ ଚାରା ଆଜିଠୁଁ ସିଠାପଡ଼ି ଆସିଲାଣି ।“

 

ଲମ୍ବା ଝାଡ଼ୁର ବନ୍ଧେଇ ଉପରେ ହାଲୁକା ଭାବରେ ହାତ ପାପୁଲି ଥୋଇ ସତୁରା ମା ଶୁଣେ । ଆଉ ଜଣେ ଦୁଇଜଣ ବି ଆସି ଶୁଣନ୍ତି । ଜାଆଁଳା ଘାଇର ବାସିନ୍ଦାଗଣଙ୍କର ଦୈନନ୍ଦିନ ପ୍ରଭାତର କାର୍ଯ୍ୟକ୍ରମ ବୁଢୀର ଏଇ ରିପୋର୍ଟାଜ୍‍ଠାରୁ ଆରମ୍ଭ ହୁଏ ।

 

ଜୀବନ ଇତିହାସର କେଉଁ ପ୍ରାଥମିକ ପୃଷ୍ଠାରେ କୂର୍ମ ବୁଢ଼ାର ନାମ ଥିଲା ପରମାନନ୍ଦ । ସେ ଅଠରଶହ କେତେ ମସିହାର କଥା । ବର୍ଷେ ଜାଆଁଳା ଘାଇର କୋଦଣ୍ଡ ପ୍ରତାପ ଜମିଦାର ରାୟ ଶଙ୍ଖନାଦ ଚୌଧୁରୟଙ୍କ ପୂଜା ମେଳାରେ କେତେ ମୂର୍ତ୍ତି ‘ବାବା’ ବିଜେ କରିଥିଲେ । ସେମାନଙ୍କର ଅଲୌକିକ ମହାଶକ୍ତିରେ ଖଣ୍ଡମଣ୍ଡଳ ଯାକ ତଟସ୍ଥ ହୋଇଯାଇଥିଲେ । ଜାଆଁଳା ଘାଇରେ ଥାଉଁ ଥାଉଁ ଦିନେ ପରମାନନ୍ଦ ଗୋସ୍ଵାମୀଙ୍କର ଦ୍ଵିସହସ୍ରତମ ଜନ୍ମ ଦିବସ ପଡ଼ିଲା ବୋଲି ଚେଲାମାନେ ଜମିଦାରଙ୍କୁ କହିଲେ । ସଙ୍ଗେ ସଙ୍ଗେ ଏକଥା ବି ଜଣାଇଦେଲେ ଯେ ଦ୍ଵିସହସ୍ର ବର୍ଷ ପୂର୍ଣ୍ଣ ହୋଇ ଯାଉଥିବା ଯୋଗୁଁ ବାବାଜୀ ଆଉ ମର୍ତ୍ତ୍ୟଲୋକରେ ରହିବାକୁ ଇଛୁକ ନୁହନ୍ତି । କିନ୍ତୁ ହିମାଳୟ ପାରିହୋଇ ଦେବଲୋକକୁ ପ୍ରସ୍ଥାନ କରିବା ପୂର୍ବରୁ ସେ ଜମିଦାର ବାହାଦୂରଙ୍କର ବହୁ ଇଚ୍ଛା ପୂରଣ କରିଯିବେ, ଏଥିରେ ସନ୍ଦେହ ନାହିଁ । ରାତାରାତି ଶଙ୍ଖନାଦ ବାବୁ ପ୍ରତାପପୁରର ସାମନ୍ତଙ୍କ ଜିମା ଖଣ୍ଡିଏ ତାଲୁକ ବନ୍ଧକ ରଖି ଟଙ୍କାଆଣି ବାବାଜୀଙ୍କ ଜନ୍ମ ଦିବସ ପାଳନ କଲେ । ସେଇ ଉତ୍ସବର ଆନନ୍ଦ ଭିତରେ ସମସ୍ତେ ପ୍ରମତ୍ତ ଥିବାବେଳେ ନିଛାଟିଆ କୁଡ଼ିଆର ନିଷ୍ପ୍ରଭ ଦୀପାଲୋକ ଭିତରେ ଯେଉଁ ଶିଶୁଟିଏ ଭୂମିଷ୍ଟ ହେଲା, ଜନନୀ ତା’ର ନାମ ଦେଲେ ପରମାନନ୍ଦ ।

 

ତାପରେ ଆନନ୍ଦଟା ଉଡ଼ିଯିବାକୁ କିଛି ଡେରିଲାଗିଲା ନାହିଁ । ଦିନେ ଉତ୍କଟ କୋଳାହଳ ଭିତରେ ଶଙ୍ଖନାଦ ବାବୁଙ୍କ ମେଘନାଦ ପାଚେରି ଭିତରୁ ଘୋଷିତ ହେଲା, ବିରାଟ ଲୁହା ସିନ୍ଦୁକର ବିପୁଳ ସମ୍ଭାର ସହ ବାବା ପରମାନନ୍ଦ ଅନ୍ତର୍ହିତ । ଯଦିଓ ଶିଶୁ ପରମାନନ୍ଦର ବୟସ ସେତେବେଳେ ମାତ୍ର ମାସଟିଏ ବି ନୁହେଁ, ତଥାପି ସମସ୍ତେ ତାକୁ ଡାକିବାକୁ ଆରମ୍ଭ କଲେ ପରମାଠକ ।

 

ବହୁ ବର୍ଷ ବିତି ଗଲାଣି । ପରମାନନ୍ଦ ବା ପରମା ଠକ ନାମ ଅର୍ଜନ କରିବା ଭିତରେ ପରମାର କିଛି ହାତ ନ ଥିଲା । ତାପରେ କିନ୍ତୁ ସେ ନିଜର କୃତିତ୍ୱରେ ଯେଉଁ ନାମ ଜନତାର ରାୟରେ ପଟ୍ଟା କରିନେଲା, ସେ ନାମର ପ୍ରତାପରେ ଧୋଇଗଲା ଦୂର ଅତୀତର ଅନର୍ଜିତ କଳଙ୍କ ।

 

କେତେ ଅସୁମାରି ଯୁଗର ସ୍ଵପ୍ନମୟ କାହାଣୀ ସବୁ ପିଠିରେ ଧରି କଥା କହେ ଭଙ୍ଗା ଦେଉଳ, ପାହାଡ଼ ପର୍ବତର ଶିଳାଲିପି । ପରମା ପିଠିର କହରା କୃଷ୍ଣ ଚମର କୁଞ୍ଚନ ସବୁର ସଂକେତ ଲିପି ଯଦି କେହି ଉଦ୍ଧାର କରିପାରନ୍ତା, ତେବେ ଇତିହାସ ନ ହେଉ, ପ୍ରତ୍ନତତ୍ତ୍ଵ ନ ହେଉ, ବହୁ କାହାଣୀ କିନ୍ତୁ କଥା କହିଉଠନ୍ତେ । ସେ ଚମର ଆବରଣ ତଳେ କେତେ ସହସ୍ର ଥର ଟେଳା ଟେଳା, ରକ୍ତ ଚକା ବାନ୍ଧି ମିଳେଇଯାଇଛି, କେତେ ଚାବୁକ ବି ହଜମ ହେଇଯାଇଛି । ଶ୍ରୀମନ୍ଦିର ପାଇଁ ପଥର ବହି ବହି ଯେଉଁମାନେ କୂର୍ମ ବନିଯାଇଥିଲେ, ଇନ୍ଦ୍ରଦ୍ୟୁମ୍ନ ସରୋବରର ନୀଳ ନୀର ଭିତରେ ବିଗତ ଦିନର ସ୍ଵପ୍ନଭଳି ସେମାନେ ଭାସିବୁଲନ୍ତି । ମୁଆଁ, ଉଖୁଡ଼ା, ସୁଆଗ ଶରଧା ନ ପାଉଥିଲେ ବି ପରମା ନିଜକୁ ସେମାନଙ୍କ ସମଗୋତ୍ରୀୟ କରି ଗୌରବ ନିଏ ।

 

ଅବିଶ୍ଵାସିନୀ କୁଳଖିଆ ନଈକୁ ପହରା ଦେଇ ଦେଇ ଦୂର ଦିଗ୍‍ବଳୟ ଯାଏ ଲମ୍ବିଯାଇଚି ଯେଉଁ ଜାଆଁଳା ଘାଇର ବନ୍ଧ, ତା’ର ଜମାଟବନ୍ଧା ଦିହ ଭିତରେ ଖିଲାଣ ଭଳି ଜମି ରହିଛି ପରମା ଦେହର ଝାଳ । ପଚାଶ ବର୍ଷ ତଳେ ଯେଉଁ ସବୁ କଳା, ସାବନା, ଟେରା, ଗେଡ଼ା, ଢେଙ୍ଗଣ, ଖର୍ବମାନଙ୍କ ସହ କାନ୍ଧ ମିଳାଇ ପରମା ମଥା ଓ ପିଠିରେ ଝୁଡ଼ି ପରେ ଝୁଡ଼ି, ବସ୍ତା ପରେ ବସ୍ତା ବାଲି ମାଟି ନେଇ ଥୋଇଥିଲା ନଈ ପାଣିର କଡ଼ ଛୁଇଁ ଦୂରକୁ ଦୂରକୁ, ସେମାନେ ସବୁ ମଲେଣି । ଏକା ଅକ୍ଷତ ରହିଛି ଜାଆଁଳା ଘାଇର ବନ୍ଧ । ସେଇ ଅଧା ଇଂରାଜୀ କାନତରାଟିର ମୁହଁ ଗୋଟାଏ ଅଧାଳିଆ ଫିକା ଜହ୍ନ ଭଳି ଆଜି ବି ତା’ର ମନେପଡ଼େ । କାନତରାଟି ତଳକୁ ଥିଲା ଯଉଁ ବାବୁ ତା’ର ଚାବୁକ୍ ସବୁରି ପିଠି ଛୁଇଁଛି ।

 

ମାତ୍ର ଏଇ ଗୋଟିଏ କୃତିତ୍ଵ ନେଇ ପରମା କୂର୍ମ ବୋଲାଏ, ସେ କଥା ନୁହେଁ ।

 

ଗ୍ରାମଦେବତୀ ଚଣ୍ଡୀଙ୍କର ଏଇ ମନ୍ଦିର –

 

ସେଇ ବିରାଟ ରାସପୋଖରୀ –

 

ସର୍ବୋପରି ଚାଳିଶ ବର୍ଷ ତଳେ ତିଆରି ଜମିଦାରଙ୍କ ଏଇ ପ୍ରକାଣ୍ଡ ବାସଭବନ । ଏଇ ଅଟ୍ଟାଳିକା ହିଁ ତାର କୂର୍ମତ୍ଵ ପ୍ରତି ବିଶେଷ ଦାନ ଦେଇଛି । ପିତୃ ଅମଳର ପୁରୁଣା ଋଣ ସୁଝିବା ସକାଶେ ଏଇ କୋଠା ତୋଳିବା ପାଇଁ ସେ ପୁରା ଅଢେଇବର୍ଷ ବେଠି ଖଟିଛି । ଚାଳିଶ ବର୍ଷ ତଳେ ଯେଉଁମାନେ ଶିଶୁ ଥିଲେ, ସେମାନଙ୍କ ଭିତରୁ ଅନେକଙ୍କର ମନେଅଛି, ପରମା ମଥାରେ ପୂର୍ବେ ଗୋଟିଏ ମାଂସଳ ଆବୁ ଥିଲା । ତ୍ଵରିତ୍‍କୋପୀ ଶଙ୍ଖନାଦବାବୁଙ୍କ ଖଡ଼ମ ଆଘାତରେ ସେଟା ଦିନେ ହଠାତ ଅନ୍ତର୍ହିତ ହୋଇଯାଇଥିଲା । ଚିକ୍କଣ ଥିଲେ ବି ଆଜିଯାଏ ସେଠାରେ ବାଳ ଉଠେନି । କୂର୍ମତ୍ଵର ସିଏ ଗୋଟାଏ ସିଲ୍ ମୋହର ।

 

ସୁତରାଂ ଏଇ ସୁଦୀର୍ଘ ଅତୀତର ଅଭିଜ୍ଞତାକୁ ପୁଞ୍ଜିକରି କୂର୍ମ ବୁଢ଼ା କେବେ ପ୍ରଥମେ ବିଶ୍ଵାସ କରିପାରିଲାନି ଯେ ଜାଆଁଳା ଘାଇର ଅବସ୍ଥା ଏଥର ବିପନ୍ନ । ଜାଆଁଳା ଘାଇ ତାର ଆତ୍ମଜ-। କେତେ ସନ୍ଧ୍ୟା ଓ ସକାଳରେ ବସି ଜାଆଁଳା ଘାଇର ମୁଣ୍ଡ ଉପରର ଦୂବଘାସଗୁଡ଼ାକୁ ବାତ୍ସଲ୍ୟମମତା ନେଇ ସେ ଆଉଁସିଛି ।

 

ବୁଢ଼ା କେଇଦିନ ଆଉ ବିଲବାଡ଼ି ତଦାରଖ କାମକୁ ଗଲା ନାହିଁ । ବନ୍ଧ ଉପରର ନୂଆଣିଆ ବାରଗଛ ଅଷ୍ଟବକ୍ର ଚେରକୁ ଆଉଜିବସି ଘୂର୍ଣ୍ଣିମୟ ଗୈରିକ ପାଣି ଆଡ଼କୁ ଚାହିଁ ରହିଥାଏ, ଆଉ ଯିଏ ଗଲେ କୁହେ, “ବୁଝିଲ କି ନା, ଏ ପାଣିକୁ ଜାଆଁଳା ଘାଇ ଖାତିର କରେନା । ବୁଝିଲ କି ନା, ଥରେ ତେଇଶ ସାଲରେ ଏମିତି ପାଣି କେଇ ହାବୁକା ଖାଲି ଚେଙ୍ଗମାଛ ଭଳି ଭିତରକୁ ଡେଇଁପଡିବା ଭଳି ଭାବ ଦେଖାଇଥିଲା । କ’ଣ କଲୁ ଜାଣିଛ ? ରାତାରାତି ଏପଟେ ଲମ୍ବମାନ ପୋଖରୀ ଖୋଲିପକାଇ ମାଟିତକ ନେଇ ଲଦି ଦେଲୁ ବନ୍ଧ ଉପରେ । ଆଉ ଯାଏ କୁଆଡ଼େ ? ତାର ଦୁଇଦିନ ପରେ ଗବ୍‍ଗାବ୍ ହୋଇ ପାଣି ଖସିଗଲା ତଳକୁ ।“

 

ଗଭୀର ଆତ୍ମପ୍ରତ୍ୟୟରେ ସେ ହସେ ।

 

ସେଦିନ କିନ୍ତୁ ସେ ବଡ଼ ମ୍ରିୟମାଣ ଓ ସନ୍ଦିଗ୍ଧ ହୋଇଉଠିଲା, ଯେତେବେଳେ ଶୁଣିଲା ଯେ ବନ୍ଧ ଉପରେ ସରକାରୀ ପହରା ବସିଛି ଓ ଗାଁ ଲୋକେ ସେଠାକୁ ଯିବାବେଳକୁ ସେମାନେ ଧମକ ଦେଉଛନ୍ତି ।

 

ସଞ୍ଜବେଳେ ମେଘ ହେଉଥାଏ । ଝୁପ୍ ଝୁପ୍ କରି ଅସରାଏ ହୋଇ ପୁଣି ଛାଡ଼ି ଯାଉଥାଏ । ବୁଢ଼ା ଧୀରେ ଧୀରେ ଆସି ବରଗଛର ଗୋଟାଏ ଓହଳ ଧରି ନଈଆଡ଼େ ନିର୍ନିମେଷ ଭାବରେ ଚାହିଁରହିଲା । ଅସୁମାରି ପାଣିର ଅସୀମ ଶୋଭାଯାତ୍ରା, ତାର କଳା କଳା ଘୂର୍ଣ୍ଣି ଭିତର ଦେଇ ସେ ଯେପରି ସାରା ପୃଥିବୀଟାକୁ ଚାହୁଁଛି ପାତାଳକୁ ପଠାଇ ଦବାପାଇଁ ।

 

ବୁଢ଼ା ଦଉଡ଼ି ଦଉଡ଼ି ପ୍ରାୟ ତଳକୁ ପଳାଇ ଆସିଲା । ଆଉରି କେତେଜଣ ଟୋକା ବୁଲୁଥିଲେ ବନ୍ଧ ତଳେ ତଳେ । ନିଜର ଆଦିମ ମେରୁଦଣ୍ଡ ସଳଖ କରି ବୁଢ଼ା ସେମାନଙ୍କୁ ଏକଜୁଟ କରି ବହୁଦିନ ପରେ ପୁଣି ମାଟି ଖୋଳା ଆରମ୍ଭ କଲା । ହାୟରେ ! ସେ ଯଦି ଏ ପାଣିର କୁଳବୁଡ଼ା ଲକ୍ଷଣ ଆଗରୁ ଚିହ୍ନିପାରିଥାନ୍ତା ।

 

ରାତିର ପ୍ରାୟ ତୃତୀୟ ପ୍ରହରରେ ସଭିଏଁ କ୍ଳାନ୍ତ ହୋଇ ଫେରିଆସିବାବେଳେ ବୁଢ଼ା ସମସ୍ତିଙ୍କ ପିଠି ଥାପୁଡ଼େଇ କହିଥିଲା, “ପୁଣି ସକାଳେ ଲାଗିଯିବା । ଚିନ୍ତା ନାହିଁ ।

 

ପ୍ରଭାତ ହେଲା । ବିଶୃଙ୍ଖଳା ଓ ଅତର୍କିତ ନରନାରୀଙ୍କ ହାହାକାର କିନ୍ତୁ ଜଳସ୍ରୋତର ବିପୁଳ ନିର୍ଦ୍ଦୋଷକୁ ଟପିଯାଇ ପାରିଲା ନାହିଁ । ଗାଁ ପ୍ରାନ୍ତରେ ମହଜୁଦଥିବା ଯୋଡ଼ିଏ ତିନୋଟି ନୌକା ସାଏଁ ସାଏଁ ହୋଇ ଭାସିଗଲେ କେଉଁ ଅନିର୍ଦ୍ଦିଷ୍ଟର ଗତି ପଥେ ପଥେ । ଶଙ୍ଖନାଦ ବାବୁଙ୍କର ବିରାଟ ଦୁଇମହଲା କୋଠା ଭିତରେ ଦଉଡ଼ି ଦଉଡ଼ି ଯେଉଁମାନେ ଯଥାଶୀଘ୍ର ପହଞ୍ଚିପାରିଲେ, ସେମାନଙ୍କୁ ନେଇ ଘର କବାଟ ବନ୍ଦକରି ଦିଆଗଲା । ବହୁ ପୁରାତନ ଏକ ନିଛାଟିଆ ଗାଁଆ ଜାଆଁଳା ଘାଇର ଜୀବନରେ ସେଦିନର ସୂର୍ଯ୍ୟୋଦୟ ସଙ୍ଗେ ସଙ୍ଗେ ନଇଁ ଆସିଲା ଜୀବନ-ସନ୍ଧ୍ୟା ।

 

ତା’ପରେ ପ୍ରାୟ ଦେଢ଼ ସପ୍ତାହ ପରେ ଯେତେବେଳେ ପ୍ରଳୟ ପରର ବଜ୍ରାହତ ନରନାରୀମାନେ ଗାଁର ଧ୍ୱଂଶାବଶିଷ୍ଟ ନିର୍ଦ୍ଦିଷ୍ଟ ସ୍ଥାନଗୁଡ଼ିକୁ ଫେରିଆସି ପରସ୍ପର ଚାହାଁଚୁହିଁ ହେଲେ, ଛୋଟ ପିଲାଟିଏ ତା’ ମାଆକୁ ପଚାରିଲା– କୂର୍ମ ଅଜା କାହିଁ ?

 

ସମସ୍ତେ ଭାବିଲେ । ଜଣେ କହିଲା– ସକାଳ ଆଗରୁ, ଜାଆଁଳା ଘାଇ ଭାଙ୍ଗିବା ପୂର୍ବରୁ ବନ୍ଧ ଉପରୁ ଜଣକର ପାଟି ଶୁଭୁଥିଲା ଅନ୍ୟମାନଙ୍କୁ ସତର୍କ କରି । ମନେହେଉଥିଲା– କୂର୍ମ ବୁଢ଼ାର ଗଳା ।

 

ଆଉ ଜଣେ କହିଲା, “ଆମେ ସବୁ, ଶଙ୍ଖନାଦ ବାବୁଙ୍କ ଦୁଇମହଲାକୁ ଉଠିଯାଇ କବାଟ ବନ୍ଦ କରିଦେବା ଆଗରୁ ଦୁଆରେ କିଏ କବାଟରେ ଶବ୍ଦ କରୁଥିଲା । ଭାବିଲି, କୂର୍ମ କାଳେ ହୋଇଥିବ । କିନ୍ତୁ କେହି ତଳକୁ ଆସିଲେ ନାହିଁ ।

***

 

ବୟସ୍ୟ

 

ସନ୍ଧିର ଆବେଦନ ନେଇ ଶତ୍ରୁପକ୍ଷର ଦୂତ ମହାରାଜାଙ୍କ ଛାମୁରେ ଉପସ୍ଥିତ ।

 

ଦ୍ଵାରପାଳ ମୁଖରୁ ସମ୍ବାଦପ୍ରାପ୍ତି ମାତ୍ରେ ମହାରାଜ ତର୍ଜ୍ଜନୀ ଦେଖାଇ ଇଙ୍ଗିତ କଲେ । ନର୍ତ୍ତକୀବୃନ୍ଦ ଅଭିବାଦନ ଜଣାଇ ଧୀରେ ଧୀରେ ଅପସରି ଗଲେ ।

 

ମହାରାଜାଙ୍କ ମୁଖରେ ତୀକ୍ଷ୍‍ଣ ବ୍ୟଙ୍ଗଭାବ ପରିସ୍ଫୁଟ ହେଲା ।

 

ଦରବାର ମଧ୍ୟରେ ପ୍ରବେଶକରି ଦୂତ ନତମସ୍ତକରେ ଛିଡ଼ାହୋଇ ରହିଲେ । ଆସନ ଗ୍ରହଣ କରିବାକୁ ବି କେହି କହିଲେ ନାହିଁ । ବୟସ୍ୟ କିମ୍ଭୂତ ଅଙ୍ଗଭଙ୍ଗୀମାନ କରି ଦୂତ ଚାରିକଡ଼େ ଦୁଇ ତିନିଥର ବୁଲିଆସି ତା’ର ଆପାଦ ମସ୍ତକ ନିରୀକ୍ଷଣ କରି କହିଲା– “କି ହୋ ଦୂତ ପ୍ରବର ! ତମ ରାଜା ପରା କହୁଥିଲେ-ବିନ୍ଦୁ ମାତ୍ର ଥିବାଯାଏ ରକ୍ତ, ନ ଛାଡ଼ିବେ ଯୁଦ୍ଧଭୂମି କେହି ରାଜଭକ୍ତ । ଏବେ ତ ଏକା ତମକୁ ଜବେଇ କଲେ ଦୁଇ କଳସ କିମ୍ବା ତତୋଃଧିକ ରକ୍ତ ବାହାରିବ ।

 

“ପାରିଷଦବର୍ଗ ହସିଉଠିଲେ । ସ୍ମିତହାସ୍ୟ ସହକାରେ ରାଜା ପରିଚାରିକାଆଡ଼କୁ ଅନାଇଲେ । ପରିଚାରିକା ସଙ୍ଗେ ସଙ୍ଗେ ଗ୍ଲାସ ପୂର୍ଣ୍ଣ ରଙ୍ଗୀନ୍ ସୁରା ବଢ଼ାଇଦେଲା ତାଙ୍କ ଶ୍ରୀକରକୁ-

 

ଟିକିଏ ଅନ୍ୟମନସ୍କ ହୋଇପଡ଼ିଥିଲା ବୟସ୍ୟ । ଦାରବାରର ଝାଡ଼-ଲଣ୍ଠନ ଆଡ଼କୁ ଚାହିଁ ଟିକିଏ ଗୁମ୍‍ହୋଇ ରହି ଯାଇଥିଲା ସିଏ । ମାତ୍ର କେଇ ମୁହୂର୍ତ୍ତ । ତା’ପରେ ରାଜା ଜଡ଼ିତ କଣ୍ଠରେ ଡାକିଲେ – “ବୟସ୍ୟ”--------!

 

“ହେ, ହେ, ହେ, ମହାରାଜ ! ଶତ୍ରୁପକ୍ଷର ସମସ୍ତଙ୍କର ଦେହର ରକ୍ତ ବୋଧହୁଏ ମୂତ୍ରରେ ପରିଣତ ହୋଇଛି । ନଚେତ ଆଜି ଅକାଳରେ ସନ୍ଧିର ପ୍ରସ୍ତାବ କାହିଁକି ?” ପାରିଷଦବର୍ଗ ଏଥର ପ୍ରବଳ ଭାବରେ ହସିଲେ । ବୟସ୍ୟ ମଧ୍ୟ ନିଜ ରହସ୍ୟର ଗଭୀର ମର୍ମ ଉପଲବ୍ଧିକରି ଅଟ୍ଟହାସ୍ୟ କରିଉଠିଲା– ହୋଃ, ହୋଃ,ହୋଃ,ହୋଃ,ହୋଃ ।

 

ଆସର ବେଶ୍ ଜମିଆସିଲା ।

 

ମହାରାଜ ହଠାତ ସିଂହାସନ ତ୍ୟାଗକରି ଉଠି ଛିଡ଼ାହେଲେ । ବନ୍ଦୀ କର ଶତ୍ରୁ ପକ୍ଷର ଏଇ ଦୂତକୁ । ଆଗାମୀକାଲି ଦରବାରରେ ଏହାର ବିଚାର ହେବ ।

 

ମହାରାଜାଙ୍କ ପଶ୍ଚାତରେ ପାରିଷଦବର୍ଗଙ୍କର ପ୍ରସ୍ଥାନ । ଦୁଇଜଣ ପ୍ରହରୀ ଦୂତର ବେନି ହସ୍ତରେ ରୁମାଲ ବନ୍ଧନ କରି ତାକୁ ଘେନିଗଲେ । ପଛରେ ବହୁ ବିଚିତ୍ର ଅଙ୍ଗଭଙ୍ଗୀ ଦ୍ଵାରା ଦୂତକୁ ବିଦ୍ରୂପ କରି କରି ବୟସ୍ୟ ବି ଚାଲିଗଲେ ।

 

ପଖାଜ ବାଜିଆ ପାଖରେ ଯେଉଁ ଟୋକାଟା ବସି ଘୁଙ୍ଗୁର ନଚଉଥିଲା, ସେ ଘଣ୍ଟା ବଜାଇଲା ତିନିଥର – ତୃତୀୟ ଅଙ୍କ ଶେଷ ହେଲା ।

 

ବୟସ୍ୟ ହରିପଦ ସାଜଘର ଭିତରକୁ ପଶିଆସିଲା ବେଳକୁ ମହାରାଜ ଜନାର୍ଦ୍ଦନ ଅଧିକାରୀ ସାଜବାକ୍ସ ଉପରେ ବସିପଡ଼ି ପୂରାଦମ୍‍ରେ ତମାଖୁ ଟାଣୁଥିଲେ । “ଶଳା ମୁହଁରେ ଚମଡ଼ା ତ ନୁହେଁ, ଯେମିତି ଗୁବୁଡ଼ି ଛାଲ । ଏତେ ବ୍ରଣ ହେଲେ ‘ପାଉଣ୍ଡର’ ଧରିବ କିମିତି ?” ନର୍ତ୍ତକୀ ଟୋକାଟା ଉପରେ ରାଗି ଅଧିକାରୀ ‘ପେଣ୍ଟାର୍’ ମୁହଁକୁ ଚାହିଁ କହିଲେ । “ଆଉ ଏ ହରିପଦିଆ ! ବେହିଆ ଆଜି ‘ମରାଡ଼୍‍’ କରିଥିଲା ! ମୁଁ ରାଜା ହୋଇଥିନି ବିଲି ସିନା ସମାଳି ନେନି । ଶଳା ‘ଜୁକାର୍’ ପାଠ୍ କରୁଚି, ଅଥଚ ମୁହଁଟାକୁ ତେନ୍ତୁଳିଖିଆ ରକମ ବିଚିକିଟିଆ କରି ରଖିଛି ସବୁବେଳେ-। ହରିପଦ !”

 

ଶଙ୍କିତ ପଦରେ ହରିପଦ ମୁଣ୍ଡରୁ ହରରଙ୍ଗୀ ଟୋପିଟା କାଢ଼ିପକାଇ ଆସି ଅଧିକାରୀ ଆଗରେ ଛିଡ଼ାହେଲା । “ଶଳା, ଗୋଟାଏ ମାଇପ ମରିଗନେ ପନ୍ଦରଟା ମିଳିବେ । ତା ବିଲି ମୋର ‘ଫେଷ୍ଟିଜ୍‍’କୁ ତୁ ମରାଡ଼୍ କରିବୁନା କିସ ବେ ?” କ୍ରୂଦ୍ଧ ଅଧିକାରୀଙ୍କ ଦୃଷ୍ଟି ଶୀଘ୍ର ଅନ୍ୟଦିଗକୁ ଆକ୍ରୁଷ୍ଟ ହେଲା । ରାଜକନ୍ୟା ଦିଗମ୍ବର ସହିତ କଟୁଆଳ ପୁତ୍ର ଅବିନାଶର ମାଡ଼ଗୋଳ ହୋଇଯାଇଛି । ଅବିନାଶ ଦିଗମ୍ବରକୁ ତିନିଅଣା ପଇସା ଦେଇଥିଲା ବଣ୍ଡୁଳିଏ ‘ସ୍ଵାଧୀନ ଭାରତ’ ବିଡ଼ି କିଣିବା ପାଇଁ-। ପୀତାମ୍ବର ଦଶପଇସା ଦାମର ‘ନିଉ ସ୍ଵାଧୀନ ଭାରତ’ ବିଡ଼ି କିଣି ଦୁଇଟା ପଇସା ଆତ୍ମସାତ କରିଛି ।

 

“ଏଇ ଅବିନାଶ—“

 

ଆସରରେ ତାଳ ଛିଡ଼ାଇ ‘ନି-ସା-ସାନି-ସା–ଧା-ନି’ ଗତ ଶେଷ ହେଲା । ଅଧିକାରୀ ତରବରରେ ଦିଗମ୍ବର କିମ୍ବା ଅବନ୍ୟାଶ ଗାଲରେ ତିନି ଚାରିଚାପୁଡ଼ା ଥୋଇ ଆସର ଆଡ଼କୁ ମୁହାଁଇଲେ ।

 

“ଅଧିକାରୀ–“

 

ଅଧିକାରୀ ଫେରିଚାହିଁଲେ । ଗୋଟାଏ ପ୍ରଶ୍ନଚିହ୍ନ ଭଳି ଆଗକୁ ବଙ୍କାହୋଇ ହରିପଦ ଡାହାଣ ହାତ ପାପୁଲିରେ ବାଁ ହାତ ଅଙ୍ଗୁଳିଗୁଡ଼ା ଦଳିବାକୁ ଲାଗିଲା । ତାର ନିଷ୍ପ୍ରଭ ଆଖିଦୁଇଟାରେ ସୀମାହୀନ ମିନତି । ସେ ପ୍ରତି ଭ୍ରୂକ୍ଷେପ ନ କରି ଅଧିକାରୀ ଜବାବ ଦେଲେ, “ଥରେ ନୁହେଁ, ଅଧେ ନୁହେଁ, ହଜାର ଥର କହିଚି । ଛଦାମଟିଏ ବି ମୋ ପାଖରେ ଆଜି ନାହିଁ ।“

 

“ଦେଖ ଅଧିକାରୀ, ତୁମେ ଆଜି କିଛି ଦବ ବୋଲି କହିଥିଲ । ସେଇ ଭରସାରେ ପୁଆତୀ ରୋଗୀକୁ ଘରେ ଛାଡ଼ିଦେଇ ମୁଁ ଆସିଲି । ଛୁଆ କାଳଠୁଁ ଆଜି ପଚିଶ ବର୍ଷ ହେଲା ମୁଁ ଖଟୁଚି, ଦରକାର ହେନେ ତଲ୍‍ପିଦାର୍ କାମ ବି କରିଚି । ଇଁତି ଅସୁବିଧାର ପଡ଼ି ମୁଁ କେବେ ଅସମୟରେ ହାତ ପତେଇ ନାହିଁ । ଟିକେ ଭାବ ଅଧିକାରୀ !”

 

“ଏଇ ଅଙ୍କଟା ସରୁ, ଦେଖାଯିବ ।“

 

ନିୟତି ଗୀତ ଶେଷକରି ହାତଟା ଦର୍ଶକମାନଙ୍କ ଆଡ଼ୁ ବିଞ୍ଚିଆଣି ଚାଲିଆସିଲା । ପୋଷାକପତ୍ର ସଜାଡ଼ି ନେଇ ଅଧିକାରୀ ରାଜକୀୟ ଚାଲିରେ ଆସର ଭିତରକୁ ପଶିଗଲେ ।

 

ହରିପଦ ଜନଗହଳି ପାରିହୋଇ ବିଡ଼ି ଦୋକାନ ପଛପଟେ ଟିକିଏ ଖୋଲା ଜାଗାରେ ଛିଡ଼ାହେଲା ।

 

“ଏଇ ବାପା”

 

“ଶାରି ! ମା କିଁ ତିକା ଅଛିରେ ତୋର ?”

 

“ଖାଲି କାନ୍ଦୁଚି । ଦିଗା କବିରାଜ କହିଲା, ହାତେ ହାତେ ଦୁଇଟଙ୍କା ନ ପାଇନେ ଆସିବନି । ତୁ ଚାଆ ଏଥର ବାପା !”

 

“ଟଙ୍କା ନ ନେଇ ଖାଲି ଯାଇ କିସ କରିମି କହ ! ତୁ ଆଉ ଥରେ ଘରୁ ବୁଲି ଆଏ । ଟିକେପରେ ମୋତେ ଟଙ୍କା ମିଳିବ । ଏ ବିଲ ଦୁଇଖଣ୍ଡ ପାର ହେଇ ତୁ ଏକଲା ଏ ରାତିରେ ଯାଇ ଆସି ପାରୁଚୁ ମା ?”

 

ନ ଆସିନେ କିଁ ତା କରିମି ? ମା ଖାଲି ମରିଯିବ ବିଲି କହୁଚି । ତୁ ଏଥର ଚାଆ ବାପା-

 

ଡାକ ପଡ଼ିଲା । ହରିପଦ ପାଠ୍‍ଟାକୁ ମନେ ମନେ ଆଉଡ଼ାଇ ନେଇ ଆସରଆଡ଼କୁ ଅଗ୍ରସର ହେଲା ।

 

ଚାରି ପାଞ୍ଚଟା ଓସ୍ତଗଛ ମୂଳରେ ସ୍ଥାନଟା ବେଶ୍ ଫାଙ୍କା । ସବୁଠୁ ପୁରୁଣା ‘ଜଗୁ ଗୋସେଇଁ’ ଗଛମୂଳରେ ଶୀତଳା ମନ୍ଦିର । ଦେବୀଙ୍କର ଅପର୍ଯ୍ୟାପ୍ତ ଚନ୍ଦନ ଚର୍ଚ୍ଚିତ ମୁହଁ ଉପରେ ହାରକିନି ଲାଇଟ୍‍ର ଆଲୁଅ ପଡ଼ି ଲାଲ ଡଗ ଡଗ ଦେଖାଯାଉଚି । କ୍ଷୁଦ୍ର ଗୋଲାକାର ଆସରକୁ ଘେରି ଅନ୍ତତଃ ହଜାରେ କି ବାରଶ ବାଳବୃଦ୍ଧବନିତା ସମନ୍ଵିତ ଦର୍ଶକମଣ୍ଡଳି । କେରପାଉଲ ବିଛା ଆସର ଉପରେ ଭଗ୍ନ- ଊରୁ ଦୁଇଟା ଚେୟାର । ଗୋଟିକରେ ବସିଛନ୍ତି ରାଜା ଏବଂ ଅନ୍ୟଟିରେ ମନ୍ତ୍ରୀ ମହୋଦୟ ।

 

ଦୀର୍ଘ ପଚିଶବର୍ଷ ଯାତ୍ରାଦଳରେ କଟାଇଛି ହରିପଦ । ସାତବର୍ଷ ବୟସରେ ପ୍ରଥମେ ‘ଦେବଦାସୀ’ଠୁଁ ଆରମ୍ଭକରି କଟୁଆଳ, ନିୟତି, କୃଷ୍ଣ–ଯାତ୍ରାର କୁଟିଳା ଇତ୍ୟାଦି ବହୁସ୍ତର ଅତିକ୍ରମକରି ସେ ବୟସ୍ୟର ପର୍ଯ୍ୟାୟରେ ପହଞ୍ଚିଛି । କିନ୍ତୁ ଆଜି ଯେପରି ପ୍ରଥମଥର ପାଇଁ ସେ ଦର୍ଶକମଣ୍ଡଳୀ ଆଗରେ ନିଜର ପରୀକ୍ଷା ଦେବାକୁ ଆସିଛି । ସୁରା-ପାନରତ ମହାରାଜାଙ୍କ ଢଳଢ଼ଳ ନୟନ ଆଗରେ ନର୍ତ୍ତକୀମାନେ ନୃତ୍ୟରତା । ହରିପଦ ଆସର ଭିତରେ ପ୍ରବେଶ କଲା । ସଙ୍ଗେ ସଙ୍ଗେ ଅସଂଖ୍ୟ ଆଖି ହାସ୍ୟୋଜ୍ଜଳ ହୋଇଉଠିଲା ।

 

ହଠାତ ଶଙ୍କିଯାଇ ବି ହରିପଦ ଖୁବ୍ ସତର୍କ ଭାବରେ ନର୍ତ୍ତକୀମାନଙ୍କ ସହ ରହସ୍ୟ ଆରମ୍ଭ କଲା । ଆସର ଜମେଇବାକୁ ପଡ଼ିବ । କିଛି କିଛି ଅପ୍ରାକୃତିକ ଅଙ୍ଗଚାଳନା, ଅଶ୍ଳୀଳ ଇଙ୍ଗିତ-

 

“ସାବାସ୍ ବେଟା ସାବାସ୍ !” ଚାପାଗଳାରେ ସୁର ମାଷ୍ଟର ହାରମୋନିୟମ ଉପରୁ ଝୁଙ୍କିପଡ଼ି କହିଲେ, ବୟସ୍ୟ ଜଣେ ନର୍ତ୍ତକୀଆଡ଼କୁ ଆବେଦନ ପୂର୍ଣ୍ଣ ଆଖିରେ ଚାହିଁ ଘୁଞ୍ଚି ଯାଉଥିଲା-। ହଠାତ ମହାରାଜ ସେଇ ନର୍ତ୍ତକୀର ବାହୁ ଆକର୍ଷଣ କରନ୍ତେ ନର୍ତ୍ତକୀ ବୟସ୍ୟକୁ ବେଖାତିରକରି ରାଜାଙ୍କଆଡ଼କୁ ଢଳିପଡ଼ିଲା । ହରିପଦ ବେଶ୍ ଗୋଟାଏ ହତାଶ ଭଙ୍ଗୀର ଅବତାରଣାକରି ଆସରରେ ଗୋଟାଏ ହସର ଢେଉ ଖେଳାଇଲା ।

 

ନିସ୍ତେଜ ହୋଇପଡ଼ିଲା ହରିପଦ । ଜନତାର ଶେଷ ପ୍ରାନ୍ତରେ ଅସ୍ପଷ୍ଟ ଟିକି ଛାୟାଟିଏ । ମଳିନ ବେଶ । ଅବିନ୍ୟସ୍ତ ବାଳଗୁଡ଼ା ପଡ଼ିଛି ମୁହଁସାରା । କୌଣସି ପ୍ରକାରେ ଦୃଶ୍ୟଟା ଶେଷକରି ହରିପଦ ପଳାଇଆସିଲା ସେଇ ବିଡ଼ି ଦୋକାନ ପଛକୁ ।

 

ଶାରି ! ମୋ ମାଆ ଯେ, ଆଉ ଟିକିଏ ପରେ ମୁଁ ଯିମି ।

 

“ଦୂର, ତୁ ଖାଲି ମିଛରେ ଠକଉଚୁ, ଅସୁଲୁ ଯିବୁ ନି ।“ ଧକେଇ ଧକେଇ ଶାରି କହିଲା ।

 

ଓଠରେ ଓଠ ଚାପି ଦମ୍‍ଧରି ହରିପଦ ଛିଡ଼ାହୋଇ ରହିଲା ।

 

“ହରିପଦ, ହରିପଦ ଗାଲୁ କାଆଡ଼ ଶଳା ! ମୋର ସୁନାମ, ଫେଷ୍ଟିଜ ସବୁ ଛାରଖାର କଲୁ ତୁ । ଏତେ ‘ନରମସ୍’ ହଉଚୁ କେନେ ବେ ? ରାତିଟା ପାଉ, ତୋର ଥରେ କି ମୋର ଥରେ । ଅଧିକାରୀ ଘୂରିପଡ଼ି ଚାଲିଗଲା ।

 

“ଅଧିକାରୀ, ବଞ୍ଚାଇଦିଅ ଅଧିକାରୀ !”

 

“ମୋର ଗୋଟେ ବାପ ଗୋଟେ କଥା । ଅଭି ନୁହେଁ, ଯେତେବେଳେ କହିଚି, ସେତେବେଳେ ।“

 

“ଚତୁର୍ଥ ଅଙ୍କ ତ ଶେଷ ହେଲା ।“

 

“ଏଥର ଯଦି ଭଲ ନ କରିବୁ, ତେବେ କିଛି ମିଳିବ ନି । ଏଇ ଅଙ୍କଟା ଯାଉ ।“

 

ଶାରି ପାଖକୁ ଫେରିଆସି ଛିଡ଼ାହେଲା ହରିପଦ । ଜହ୍ନ ମଥାଉପରୁ ଢଳି ପଡ଼ିଲାଣି । ବିସ୍ତାରିତ ମଇଦାନ ସେ ପାରିରେ ଅସ୍ପଷ୍ଟ ଧୂଆଁଳିଆ ଦେଖାଯାଉଚି ନିଶାର୍ଦ୍ଧର ଘୁମନ୍ତ ଗାଁଆ । ଗାଁଆ ଶେଷରେ ବିଲ ଗାଡ଼ିଆଆଡ଼କୁ ତାର ଟିକି ଚାଳଘର ଦୁଇ ତିନିଟା ଛୋଟ ଆମ୍ବ ଗଛ ଆଉ କିଆବୁଦା ଭିତରେ ଲୁଚିଯାଇଚି । ଖାଲି ଉପରକୁ ମୁଣ୍ଡ ତୋଳି ଛିଡ଼ାହୋଇଛି ପଛପାଖ ନଡ଼ିଆ ଗଛ-। ଅଦୂରର ସେଇ ନିର୍ଜ୍ଜନ ଆବେଷ୍ଟନୀ ଭିତରୁ ଯିମିତି ଗୋଟାଏ ଯନ୍ତ୍ରଣା ଭାସିଆସୁଥିଲା, ସୁର ଯା'ର ଏକାନ୍ତ ଅସ୍ପଷ୍ଟ ।

 

"ତୁ ଭାରି ଠକ, ନା ?" କାନ୍ଦଣା ବନ୍ଦକରି ସନ୍ଦିଗ୍ଧ ସୁରରେ ଶାରି କହିଲା ।

 

"ଆଉଥରେ ଘରୁ ବୁଲି ଆଏ । ଦେଲେ ମୁଁ ତୋ ସାଙ୍ଗରେ ଯାଇ ଏକାଥରେ କବିରାଜ ନେଇ ଘରେ ପହଞ୍ଚିବି ।"

 

ଶାରିର ଜବାବ ଶୁଣିବା ପାଇଁ ହରିପଦର ସାହସ ଅଣ୍ଟିଲା ନାହିଁ । ସାଜଘର ଭିତରକୁ ପଳେଇଗଲା ସିଏ ।

 

ଆହୁରି ଦୁଇ ତିନିଟା ଦୃଶ୍ୟ କଟିଗଲା । ବହୁବର୍ଷର ଅଭିନୟ ପଟୁ ତନ୍ତ୍ରୀସବୁ ଆଜି ସମସ୍ତ ଅବସନ୍ନତା ସତ୍ତ୍ୱେ ବିଶ୍ଵସ୍ତ ଭାବରେ କାମ ତୁଲାଇ ନେଲେ ।

 

ହୁଏତ ପୁଣି ଶାରି ଦଉଡ଼ି ଆସିଥିବ ଘରୁ । ଆହୁରି ଅଧଘଣ୍ଟାଏ ପରେ ଟଙ୍କା ମିଳିପାରେ-। ଗଭୀର ଭୟ ସତ୍ତ୍ୱେ ହରିପଦ ଥରେ ଆଖିପକାଇ ଦେଖିଲା । ନା, ଶାରି ଆସିନାହିଁ ।

 

ଏଇଥର ପୁଣି ଗୋଟାଏ ବିପଜ୍ଜନକ ମୁହୂର୍ତ୍ତ । ଅଧିକାରୀ ସାଙ୍ଗରେ ଏକା ଦୃଶ୍ୟରେ ପାଠ କରିବାକୁ ପଡ଼ିବ । ଆସରକୁ ଯିବାଆଗରୁ ଦୁଇଟା ବିଡ଼ି ନିଃଶେଷ କରି ବହୁତ ଦମ୍ଭ ସଞ୍ଚୟ କଲା ହରିପଦ । ଏଇ ଦୃଶ୍ୟ ପରେ-

 

ହରିପଦ ଆସିବା ମାତ୍ରେ ଆସର ହାସ୍ୟମୁଖରିତ ହୋଇଉଠିଲା । ମୁଖ୍ୟ ବୟସ୍ୟ ହରିପଦ ଆଉ ଗୋଟାଏ ବୟସ୍ୟର କାନଧରି ଆବୃତ୍ତି କଲା–

 

ଆରେ ଆରେ ଦୁଷ୍ଟ ଦଶାସନ,

ଭାବିଛୁ କି ମୋତେ ତୁହି ଛାଗର ନନ୍ଦନ ?

ସୀତାକୁ ହରଣକରି ମୋହ ସଙ୍ଗେ ଲଗାଇଛୁ ଦଙ୍ଗା,

ତୋତେ ମାରି ମନ୍ଦୋଦରୀକୁ ହେବି ମୁହିଁ ସଙ୍ଗା ।

 

ହରିପଦର ଅଦ୍ଭୁତ ବୀରତ୍ଵବ୍ୟଞ୍ଜକ ଉଚ୍ଚାରଣ ଓ ଅଭିନୟରେ ବ୍ୟାପକ ହସର ଜୁଆର ଖେଳିଗଲା ସାରା ଆସର ବ୍ୟାପି । ହସ୍ତପଦ ସଞ୍ଚାଳନକରି ମୁଖସ୍ଥ ପାଠ ହରିପଦ ଭୀଷଣ ପାଟିକରି କହୁଥାଏ । ମହାରାଜାର ଆସନରୁ ଅଧିକାରୀ ଟିକିଏ ବିସ୍ମିତ ହୋଇ ଗଳଦ୍‍ଘର୍ମ ହରିପଦକୁ ତୀକ୍ଷ୍‍ଣ ଦୃଷ୍ଟିରେ ଲକ୍ଷ୍ୟକଲେ ।

 

ହସ ଆଉ ତାଳିରେ ଆସର ମାତ୍ କରିଦେଇ ହରିପଦ ବାହାରିଆସିଲା ସାଜଘର ଆଗକୁ । ଅଧିକାରୀ ବି ଆସିଲେ । ପାଉଡ଼ର ସୁଟ୍‍କେଶ ଭିତରୁ କାଢ଼ି ଉଦ୍‍ବିଗ୍ନ ହରିପଦର ଥର ଥର ହାତରେ ଯୋଡ଼ିଏ ଟଙ୍କା ଧରାଇଦେଲେ ସିଏ– “ଯା’ ଶଳା, ଆଉ ଗଜଗଜ କରନା ।“

 

ହରିପଦ ଜନଗହଳି ଭିତରୁ ବାହାରକୁ ଆସି ଖୋଜିଲା ଶାରିକୁ । ଏତେବେଳ ଯାଏଁ ସେ ଫେରିନି । ସେ ଆଗେଇଗଲା ଘରମୁହାଁ । କେଇପାଦ ଆସିବାପରେ ଚମକି ଛିଡ଼ାହେଲା । “ଶାରି, ତୁ ଚୁପ୍‍କିନା ଠିଆ ହେଇଚୁ ! ମା କିମିତା ଅଛି କହ ! ଚାଲ କବିରାଜ ପାଖକୁ ।

 

ଶାରି ଚୁପ୍‍କରି ଛିଡ଼ାହୋଇ ରହିଲା ।

 

“ଶାରି, କଥା କହ ମା !” ଦୁଇ ହାତରେ ଶାରିର ଟିକି ତନୁକୁ ଦୋହଲାଇ ଦେଇ ଛେପ ଢୋକିଲା ହରିପଦ ।

 

ଅଦୂର ଗାଁ ସୀମାନ୍ତର ସେଇ ତନ୍ଦ୍ରାତୁର ଆବେଷ୍ଟନୀ ତଳେ ଜହ୍ନ ଫାକାଶିଆ ହୋଇ ଗାଡ଼ି ପଡ଼ୁଥିଲା । ରାତ୍ରି ଶେଷ ପ୍ରହରର ସାଙ୍କେତିକ ହୁରିପକାଇଲେ ବିଲୁଆ ପଞ୍ଝାଏ ।

 

“ଶାରି !”

 

ଏଥର ପାଟିକରି କାନ୍ଦିଉଠିଲା ଶାରି ।

***